Unknown

ଜନ୍ମଭୂମି

ନନ୍ଦକିଶୋର ବଳ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି-ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :-

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?”

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ-

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

 

 

 

ପୁଣି:-

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’-ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି-କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ-। ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା’ କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’-ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:-

 

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’-

 

 

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନଥାଏ-। ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :-

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।”

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା-ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି-? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

 

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Renaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭ୍ୟୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ-। ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ-। ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ-। ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ-। ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ-। ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି- “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ- “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ-। ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି-ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ-। ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ-ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ-

 

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

 

କୁସୁପୁର

 

ତା ୨୫ । ୪ । ୧୯୫୫

ଶ୍ରୀ ସୂର୍ଯ୍ୟମଣି ଜେନା

 

ଜନ୍ମଭୂମି

ପ୍ରଥମ ଭାଗ

 

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ”

 

ଉତ୍ସର୍ଗ

ମାତୃଭୂମି ଓ ମାତୃଭାଷାର ପରମଭକ୍ତ ଉଦାରଦୃଦୟ ନୀରବ କର୍ମବୀର ପାରଳାଖେମୁଣ୍ଡିର ରାଜକୁମାର ସୁକବି ଶ୍ରୀଯୁକ୍ତ ଶ୍ରୀ ଶ୍ରୀ ପଦ୍ମନାଭନାରାୟଣ ଦେବ ମହୋଦୟଙ୍କ ପବିତ୍ର ନାମରେ ଲେଖକର ଶ୍ରଦ୍ଧା ଓ ସମ୍ମାନ ସହକାରେ ଏହି କ୍ଷୁଦ୍ର ଗ୍ରନ୍ଥ ଉତ୍ସୃଷ୍ଟ ହେଲା।

 

ଭୂମିକା

ବିଗତବର୍ଷ ପ୍ରବଳ ପ୍ରତାପ ସପ୍ତମ ଏଡ଼୍‌ବାର୍ଡଙ୍କ ଅଭିଷେକ ପୂର୍ବରୁ ବାଲେଶ୍ୱର ଜିଲ୍ଲାର କେଦାରପୁରସ୍ଥ “ରାଧାନାଥ ଲାଇବ୍ରେରୀ” ର ସମ୍ପାଦକ ‘ନବୀନ ସମ୍ରାଟଙ୍କ ନିକଟରେ ଉତ୍କଳମାତାର ଗୁହାରୀ’ ନାମକ ପ୍ରବନ୍ଧର ଶ୍ରେଷ୍ଠ ଲେଖକଙ୍କୁ ପୁରସ୍କାର ଦେବା ନିମିତ୍ତ ବାମଣ୍ଡାର ‘ସମ୍ୱଲପୁର ହିତୈଷିଣୀ’ ରେ ବିଜ୍ଞାପନ ଦେଇଥିଲେ । ଏହି ପଦ୍ୟ ପ୍ରବନ୍ଧଟି ଉକ୍ତ ପୁରସ୍କାରପ୍ରାପ୍ତ ହୋଇ ‘ହିତୈଷିଣୀ’ ରେ ଧାରା−ବାହିକରୂପେ ପ୍ରକାଶିତ ହୋଇଥିଲା ଏବଂ ପରେ ବ୍ରହ୍ମପୁରର ‘ଗଞ୍ଜାମ ହିତବାଦିନୀ’ ପତ୍ରିକାରେ ଧାରାବାହିକରୂପେ ଉଦ୍ଧୃତ ହୋଇଥିଲା । ବର୍ତ୍ତମାନ ଏହା ପୁସ୍ତିକାକାରରେ ପ୍ରକାଶିତ ହେଲା । “ରାଧାନାଥ ଲାଇବ୍ରେରୀ’ର ସ୍ଥାପୟିତା ଶ୍ରୀଯୁକ୍ତ ବାବୁ ଶଶିଭୂଷଣ ରାୟ ମହାଶୟ ଏହି ପଦ୍ୟକୁ ପୁସ୍ତକାକାରରେ ପ୍ରକାଶ କରିବାର ଅନୁମତି ଦେଇ−ଥିବାରୁ ତାଙ୍କୁ ଆନ୍ତରିକ କୃତଜ୍ଞତା ଅର୍ପଣ କରୁଅଛୁଁ ।

 

୩୦ । ୧୨ । ୧୯୦୩

କଟକ

ପ୍ରଣେତା

 

 

ନବୀନ ସମ୍ରାଟଙ୍କ ନିକଟରେ ଉତ୍କଳମାତାର ଗୁହାରି

ଅଜୟ ବ୍ରିଟିଶ            ରାଜ୍ୟ−ଅଧିପତି

ଭାରତ−ସମ୍ରାଟ ଇଂଲଣ୍ଡେଶ୍ୱର,

ଯା ରାଜ୍ୟେ ସବିତା            ଚିର ସମୁଦିତ

ଅର୍ଦ୍ଧଧରାର ଯେ ମଣ୍ଡଳେଶ୍ୱର,

 

ଅବତରି ଦେବ            ଧାମୁଁ ସୌଦାମିନୀ

ଯା ରାଜ୍ୟେ ଖଟନ୍ତି ଦାସୀରୂପରେ,

ପ୍ରବଳ ପ୍ରତାପେ            ଭାସେ ଯାର ତରୀ

ନିଖିଳ ନୀରଧି−ବରୁଣ ଘରେ;

 

ସେହି କ୍ଷଣଜନ୍ନା            ସପ୍ତମ ଏର୍ଡୱାଡ୍‌

ହେବେ ରାଜସିଂହାସନାଭିଷିକ୍ତ,

ପାନ ମିତ୍ର ଗଣ            ଉତ୍ସବ−ଉଦ୍‌ଯୋଗ

କରୁଛନ୍ତି, ମହା ଉତ୍‌ଫୁଲ୍ଲ ଚିତ୍ତ ।

 

ସର୍ବ ଧରାପତି            ଅଭିଷେକ ବିଧି

କି ବର୍ଣ୍ଣୁବୁ ତୁ ରେ କ୍ଷୀଣା ଲେଖନୀ,

ଥିଲେ ଥିବ ଦିନେ            ଉତ୍ସବ−ଉପମା

ଦୁର୍ଲ୍ଲଭ ସେ ଦୃଶ୍ୟ ମଧ୍ୟେ ଅବନୀ ।

 

କୋଟି କୋଟି ମୁଦ୍ରା            ହେଉଛି ବ୍ୟୟିତ

ନାନା ରାଜୋଚିତ ବିଳାସ ପାଇଁ,

ଦେଲେ ମୁଦ୍ରା କୋଟି      କୋଟି ମୁକ୍ତହସ୍ତେ

ଦରିଦ୍ର ସେବାର୍ଥେ ବ୍ରିଟେନସାଇଁ ।

 

ଘୋର ରାଜସିକ            ଉତ୍ସବେ ଏ କି ରେ

ସାତ୍ତ୍ୱିକ ସୁଦାନ−ଦେବ ପ୍ରସାଦ ।

ଭାରତର ଉପ−            ଯୁକ୍ତ ଏ ସମ୍ରାଟ

ଭିକ୍ଟୋରିୟାଙ୍କର ଯୋଗ୍ୟଦାୟାଦ ।

 

ଦୀନସେବା ପୁଣ୍ୟ            ବ୍ରତ−ପୁରସ୍କାର

ଦିବ୍ୟ−ଶାନ୍ତି ପ୍ରାଣେ ହେଲା ବର୍ଷଣ,

ଯଥାକାଳେ ନୃପ            ବିଭୁ−ଧ୍ୟାନ କରି

ଅମୂଲ୍ୟ−ପଲଙ୍କେ କଲେ ଶୟନ ।

 

ଆତ୍ମା ପ୍ରସାଦର            ଚିର ସହଚର

କୂଟନୀତି−ପାପ−ମିଥ୍ୟାର ଅରି,

ସୁନିଦ୍ରା ଆସିଣ            ସମ୍ରାଟ−ସଦନେ

ବିରାଜିଲେ ଶାନ୍ତି ବର୍ଷଣ କରି ।

 

ଦୀନ−ଦୁଃଖି−କଥା            ଭାଳି ନରେଶ୍ୱର

ହେଲେ କ୍ରମେ ଗାଢ଼ ନିଦ୍ରା−ମଗନ,

ଉତ୍ସବ−ଉଦବିଗ୍ନ−            ମାନସେ ସମ୍ରାଟ

ଦେଖିଲେ ଅପୂର୍ବ ଏକ ସ୍ୱପନ ।

 

ହୀରକ−ରତନ−            ମଣି−ମାଣିକ୍ୟରେ

ଖଚିତ ଏକଇ ସୁ−ସିଂହାସନ,

ପାତ୍ର ମନ୍ତ୍ରୀ ସହ            ଅସଂଖ୍ୟ ଜନତା

ମଧ୍ୟେ ଲଭିଛନ୍ତି ଆପେ ଆସନ ।

 

ଦେଶ−ଦେଶାନ୍ତରୁ            ଆସିଛନ୍ତି ପ୍ରଜା

ନିଜ ନିଜ ଅଳି କରିବା ପାଇଁ,

ତହିଁ ମଧ୍ୟେ ଦୀନା            ବିଷର୍ଣ୍ଣ ପ୍ରତିମା

ବସିଅଛି ନାରୀ କୋଣରେ ଯାଇଁ ।

 

ଜଣ ଜଣ ହୋଇ            ସର୍ବ ସଖୀ ଯାଇଁ

ନୋଇଁ ଶିର ନିଜ କଥା କହିଲେ,

ସଙ୍କୋଚରେ ସେହି            ବିଷର୍ଣ୍ଣା ପ୍ରତିମା

ଶ୍ରୀଛାମୁରେ ଯାଇ ମଥା ନୋଇଁଲେ ।

 

 

ଶପ କେଶପାଶ            ପାଣ୍ଡୁର କପୋଳ

ପିନ୍ଧିଛି ମଳିନ ବସନ ବାଳୀ,

ତାଚ୍ଛଲ୍ୟେ ତା ପ୍ରତି            ଚାହାଁନ୍ତି ସକଳେ,

ନିରେଖି ଲୋତକ ଦିଏ ସେ ଢାଳି ।

 

ମଧୁ ଚକ୍ରେ କିବା            ହେଲା ଲୋଷ୍ଟ୍ରପାତ,

ଜନତା−ସିନ୍ଧୁକି ହେଲା ଉଦ୍ଦେଳ,

ଗର୍ଜ୍ଜିଲେ ସକଳେ            “କିଏ ସେ ଏହୁଟା

ନିଏ ସମ୍ରାଟଙ୍କ ମହାର୍ଘ ବେଳ ?

 

ଶିଳ ଶିଳପତା            ଗଗନେ ଉଡ଼ୁଛି

ତୁଳା କହୁଅଛି ରଖ ହେ ମତେ,

ହାତୀ ଘୋଡ଼ା ଯହିଁ            ବୁଡ଼ିମରୁଛନ୍ତି

ଛେଳି କହେ ପାଣି ଏଠାରେ କେତେ !

 

ସୁବର୍ଣ୍ଣର ଜରା−            ଜଡ଼ଉ କୌଷେୟ,

ରତନ−କାଞ୍ଚଲା, ହୀରା−ମହୁଡ଼,

ପିନ୍ଧି ଆସିଛନ୍ତି             ରାଣୀ ମହାରାଣୀ,

ତାଙ୍କ କଥା ହୋଇ ଯାଉଛି ହୁଡ଼ ।

 

 

ମଳିନ ବସନେ            କିଏ ରେ ଏଇଟା

ସମ୍ରାଟ−ମମ୍ମୁଖେ କରେ ଗମନ ?

ନିର୍ବୋଧ ଦଉଡ଼େ            ସେଠାକୁ, ଯେଠାବେ

ଯିବାକୁ ଡରନ୍ତି ଦେବତାଗଣ ।”

 

ଦରିଦ୍ର−ଜନୀନ            ସତୀ−ଶିରୋମଣି

ଭକ୍‌ଟେ ରିୟାଙ୍କର କୁଳନନ୍ଦନ

ଜନତା−ଉପରେ            କଟାକ୍ଷେ ନିହିଲେ

ଦାମିନୀ−ଭାସ୍କର−ଦୃପ୍ତ−ନୟନ ।

 

ରହିଲା ତଟସ୍ଥେ            ସମଗ୍ର ଜନତା

ଉତୁରିଲା ଜଳେ ପଡ଼େ କି ତୈଳ,

ତୁଟିଲା ଉତ୍ସାହ            ବ୍ରୀଡ଼ା−ଭୟ−ଭଳେ,

ଭଟା ଖାଇଲା କି ସିନ୍ଧୁ ଉଦ୍ଦେଳ ?

 

କହିଲା କାମିନୀ            “ପ୍ରବଳ ପ୍ରତାପ

ନିଖଳ−ଅବନୀ−ଅଧି−ଈଶ୍ୱର,

ମୋ ନାମ ଉତ୍କଳ            ଘର ଆର୍ଯ୍ୟବର୍ତ୍ତ−

ଦାକ୍ଷିଣାତ୍ୟ−ସନ୍ଧିସ୍ଥଳେ ମୋହର,

 

 

ଉତ୍ତରେ କପିଶା            ପୂର୍ବେ ନୀରନିଧି,

ଦକ୍ଷିଣେ ଚିଲିକା ନୀଳିମାମୟ,

ପଷ୍ଚିମେ ମୋହର            ମଧ୍ୟ ପ୍ରଦେଶାଦି,

ମୋର ପଶ୍ଚିମାଂଶ ପର୍ବତମୟ ।

 

ପାହାଡ଼ ଭିତରେ            ବସା ବାନ୍ଧି ପ୍ରଭୋ

ସୁଖେ କରୁଥିଲେ ମୁଁ ବସବାସ,

ମୋ ଘରେ ଯାଇଣ            ପଶିଲେ ଯବନେ,

ଘଟାଇଲେ ନାଥ ମୋ ସର୍ବନାଶ ।

 

ପ୍ରାଚୀନ କାଳରେ            ଥିଲା ମୋ ଗୌରବ

ଭାସ୍କର୍ଯ୍ୟ, ସ୍ଥାପତ୍ୟ, କାବ୍ୟ, ପୁରାଣ,

ଅସଂଖ୍ୟ ବିପଦ−            ବାତ୍ୟା ବହି, ଅଛି

ଆଜି ମଧ୍ୟ ପୂର୍ବ କୀର୍ତ୍ତି−ପ୍ରମାଣ ।

 

ପୁରାଣ ମନ୍ଦିର            ଶିବ−ବିଷ୍ଣୁ−ସୂର୍ଯ୍ୟ−

ଶକ୍ତି−କ୍ଷେତ୍ର, ବୌଦ୍ଧ କୀରତିରାଜି,

ଏତେ ମଲାରେ ଭୋ            ଭାରତ ସମ୍ରାଟ !

ଜଳେ ଜକଜକ ଗୌରବ ଆଜି ।

 

 

ତଥାପି ମୋ ସୁତେ            ପଡ଼ିଯାଇଛନ୍ତି ।

ଅବନତି−ପଙ୍କୁ ଉଠି ନ ପାରି

ଗଭୀର ବେଦନା−            ଭରେ କୋଟି ସୂତେ

ନିଶି ଦିବା ଦେଉଅଛନ୍ତି ଘାରି ।

 

ଅଛି ପୂର୍ବ ଯଶ,            କିନ୍ତୁ ଗତ କଥା

କହି କେବେ କେହି ନ ହୁଏ ବଡ଼,

ସଦା ମୋ ଗୃହରେ            ବହୁଅଛି ଏବେ

ଦାରିଦ୍ର୍ୟ ଜଡ଼ତା ଅଧର୍ମ ଝଡ଼ ।

 

କୋଟି ସୁତେ ମୋର            ଅଳସ ଅଜ୍ଞାନ

ବେଳେ ଖାଇ ବେଳେ ଶୋଇ ଉପାସ;

ନାହିଁ ବୁଦ୍ଧି ବଳ            ନାହିଁ ତତ୍‌ପରତା

ହୋଇଅଛି ତେଣୁ ମୋ ସର୍ବନାଶ ।

 

ବାଟି ବାଟି ମୋର            ପଡ଼ିଛି ପଡ଼ିଆ

ଚଷି ନ ଖାଆନ୍ତି ମୋ ସୁତେ ତାହା,

ସେତୁ ମନ୍ଦିରାଦି            ଭାଙ୍ଗି ମୋ ଯାଆନ୍ତି

ନ ଚାହାନ୍ତି କେହି ତେଣିକି ଆହା !

 

 

ଜନମିଲେ ମୋର            କୋଳେ କବିସୂର୍ଯ୍ୟ

ଭଞ୍ଜ ଦୀନକୃଷ୍ଣ ଏ ଆଦି କବି

ମଳିନ ଦିଶୁଛି ଏ            ଯୁଗେ ଭୋ ପ୍ରଭୁ !

ଉତ୍କଳ ସାହିତ୍ୟ ଆନନ−ଛବି ।

 

ପଠାଣ ମୋଗଲ            ମରହଟ୍ଟାଗଣ

ନିଦାରୁଣ ହେଲେ ମୋ ସୁତ ପ୍ରତି,

ମୋ ପୂର୍ବ ପ୍ରତିଭା            ହୋଇଗଲା ଜଡ଼,

ପଗଲି ମୁହିଁ ଗଭୀରେ ଅତି ।

 

ଶତ ବର୍ଷ ପୂର୍ବେ            ବିଧି କୃପାବଳେ

ଉଦ୍ଧାରିଲେ ମୋତ ଇଂଲଣ୍ଡବାସୀ,

କଅଁଳିଲା ଅସ୍ଥି            ମାରିଲି ନିଶ୍ୱାସ

ଶତ ଶତ ବର୍ଷ ପରେ ମୁଁ ଆସି ।

 

ଅର୍ଦ୍ଧଶତ ବର୍ଷ            ପୂର୍ବେ ମୋ ଗୃହରେ

ପଡ଼ିଲା ଦୁର୍ଭିକ୍ଷ ଦାରୁଣ ଘୋର,

କଲବଲ ହୋଇ            ନିଦାଘ ନିର୍ଘାତେ

ମଲେ ଦଶ ଲକ୍ଷ ସନ୍ତାନ ମୋର ।

 

 

ସେହି ଦିନଠାରୁ            ବ୍ରିଟେନରାଜଙ୍କ

କରୁଣା କଟାକ୍ଷ ହେଲା ମୋ ପ୍ରତି,

ପାଶ୍ଚାତ୍ୟ ସଭାତା            ଦେବଦୂତେ ତେଣୁ

ପଠାଇ ଦେଲେ ସେ ଦରିଦ୍ର କତି ।

 

ସେତୁ ନାଳ କଳ            ବିଦ୍ୟାଳୟ ତୋଳି

କଲେ ରଜା ମୋର ଯେ ଉପକାର,

ଦରିଦ୍ର ପ୍ରଜା ମୁଁ            କୃତଜ୍ଞତା ବିନା

କରିବି କି ଆଉ ପ୍ରତ୍ୟୁପକାର ?

 

ପଶ୍ଚିମୁଁ ଆସିଣ            ଖ୍ରୀଷ୍ଟ−ଶିଷ୍ୟଗଣ

ସ୍ୱର୍ଗ ସମାଗତ ଦୃତ ସଙ୍କାଶ,

ବିଦ୍ୟାଳୟ ଛାପାକଳ            ଆଦି ସ୍ଥାପି

ପାଶ୍ଚାତ୍ୟ ସଭ୍ୟତା କଲେ ପ୍ରକାଶ ।

 

ନଗରେ ନଗରେ            ଗ୍ରାମେ ଗ୍ରାମେ ବୁଲି

ମହର୍ଷି−ଈଶାଙ୍କ ଦିଦ୍ୟ ଜୀବନ,

ପବିତ୍ର ସୁନୀତି            କରିଣ ପ୍ରଚାର

ମୋ ଘରେ ସୁଜ୍ଞାନ କଲେ ବଣ୍ଟନ ।

 

 

ପ୍ରାତଃ ସ୍ମରଣୀୟ            ରେଭେନ୍‌ସା ସାହେବ

କଲେ କୃପାରେ ମୋ ଯେ ଉପକାର,

ଯୁଗଯୁଗାନ୍ତର            କାଳକାଳକୁ ମୋ

ସୁତେ ଭୁଞ୍ଜୁଥିବେ ସୁଫଳ ତାର ।

 

ମୋର ଯୋଗ୍ୟ            ସୁତ ଶ୍ରୀ ଚନ୍ଦ୍ରଶେଖର

‘ସିଦ୍ଧାନ୍ତଦର୍ପଣ’ କରି ପ୍ରକାଶ,

କରିଛି ମୋ            ସୁତ ସୁଚିର ସଞ୍ଚିତ

ନିର୍ବୋଧ କଳଙ୍କ କିଞ୍ଚିତ ନାଶ ।

 

ଜ୍ୟୋତିଷ୍କ−ଜଗତ            ପର୍ଯ୍ୟବେକ୍ଷଣରେ

ଆଧୁନିକ ନବ ଯୁଗ ବିଜ୍ଞାନ

ସହାୟ ନ ଘେନି            ବୈଜ୍ଞାନିକ ସତ୍ୟ

ପ୍ରତିଭାରେ ପାଇଅଛି ସନ୍ଧାନ ।

 

ମୋର ଯୋଗ୍ୟ            ସୁତ ଶ୍ରୀମଧୁସୂଦନ

ଦେଶହିତବ୍ରତ କରି ଗ୍ରହଣ

ନାନା ସେବାକରି            ମୋର ହିତ−ଅର୍ଥେ

ଆସି ଏ ଇଂଲଣ୍ଡେ କଲା ଭ୍ରମଣ ।

 

 

ଦେବାଲାଗି ଚିର            ସ୍ଥାୟୀ ବନ୍ଦୋବସ୍ତ

ଯେ ପ୍ରତିଜ୍ଞା କଲେ ବ୍ରିଟିଶରାଜ,

ମୋ ସୁତ ବହୁତ            ଗୁରାରୀ କଲେହେଁ

ପାଇ ନାହିଁ ସେହି କୃପା ମୁଁ ଆଜି ।

 

ଇଂଲଣ୍ଡୁ ନେଉଟି            ଶ୍ରୀ ମଧୁସୂଦନ

କରିବାପାଇଁ ମୋ ଦୁଃଖ ମୋଚନ

ଶିଳ୍ପାଗାର ଖୋଲି            ସ୍ୱଦେଶ ସାମଗ୍ରୀ

କରନ୍ତି ସୁଦୂର ସ୍ଥାନେ ପ୍ରେରଣ ।

 

ରଜତ କନକ            ମାଣିକ୍ୟ ବିପଣୀ,

ଲାଟ କିମିଶ୍ନର ଯାଆନ୍ତି ତହିଁ,

ଶ୍ୱେତାଙ୍ଗ ମହିଳା            ରାଜରାଣୀ କଣ୍ଠେ

କନକଲଳାମ ଅଛଇ ରହି ।

 

ମୋ ସୁଦିନ ଅବା            ଫେରି ଆସିପାରେ

ମୋର ଶତପୁତ୍ର ଶତଯତନେ,

କିନ୍ତୁ ଜଣକର            ଯତନେ କି ହେବ

ନ ଜାଗିଲେ ମୋର ସର୍ବ ନନ୍ଦନେ ।

 

 

ରାଧ ନାଥ, ମଧୁ,            ଫକୀରମୋହନ

ରାମଶଙ୍କରରାଦି ଲେଖକ କବି

ଫେରାଇ ଅଛନ୍ତି            କିଞ୍ଚିତେ ମୋହର

ପୁରାତନ ଯୁଗ ଗୌରବ−ରବି ।

 

ସେତୁ ମନ୍ଦିରାଦି            କରନ୍ତି ସଂସ୍କାର

କିଛି କିଛି ରାଜପ୍ରତିନିଧିଏ,

ଇଂରେଜଙ୍କ ବିନୁ            ମୋ ଘୋର ବିପାକ

ଆଉ ଦୂର କରିପାରିବ କିଏ ?

 

କଲେହେଁ ନୃପତି            କିଛି ଉପକାର

ମୋ ଘୋର ଦୁର୍ଦ୍ଦଶା ଘୁଞ୍ଚଉ ନାହିଁ,

ଶତ ଦୁଃଖ କଷ୍ଟ            ଦୀନତା ଲାଞ୍ଛନା

ରହିଅଛି ମୋର ବ୍ରିଟେନ ସାଇଁ ।

 

କୋଟି ସୁତମାତା            ହୋଇ ମୁଁ ସମ୍ରାଟ,

ଅର୍ଦ୍ଧକୋଟି ସୁତ ଅଛି ହରାଇ,

ଗଞ୍ଜାମ ସମ୍ୱଲ−             ପୁର କାନ୍ଥି ନେଲେ

ମାନ୍ଦ୍ରାଜ, ମଧ୍ୟଭୂ, ବଙ୍ଗ ଛଡ଼ାଇ ।

 

 

ଅଙ୍ଗହୀନା ହୋଇ            ପଡ଼ିଅଛି ମୁହିଁ

ନିତାନ୍ତ ଦୁର୍ବଳ ଦରିଦ୍ର ହୀନ,

ଏକତା ଅଭାବେ            ମୋର ସୁତଗଣ

ଫେରାଉ ନାହାନ୍ତା ପୂର୍ବ ସୁଦିନ ।

 

ଭାଇଠାରୁ ଭାଇ            ହୋଇଣ ବିଚ୍ଛିନ୍ନ

ସମବେତ ଚେଷ୍ଟା କରି ନ ପାରି,

ଜୀବନ ସଂଗ୍ରାମେ            ଅନ୍ୟାନ୍ୟ ପ୍ରଦେଶ

ସଙ୍ଗେ ପଦେ ପଦେ ଯାଆନ୍ତି ହାରି ।

 

ବଙ୍ଗ ମହାରାଷ୍ଟ୍ର−            ମାନ୍ଦ୍ରାଜ ପଶ୍ଚିମ

ପଞ୍ଜାବ ଗୁର୍ଜ୍ଜର ରାଜପୁତାନା,

ବ୍ରିଟିଶ ଜାତିଙ୍କ            ପଛରେ ଚାଳନ୍ତି

ଘେନିଣ ଉନ୍ନତି−ବିଜୟବାନା ।

 

ମୁହିଁ ଏକା ପ୍ରଭୁ            ଅଙ୍ଗହୀନା ହୋଇ

ନ ପାରଇ ଚାଲି ତାଙ୍କ ସଙ୍ଗତେ,

ପୂର୍ଣାଙ୍ଗ ନବୀନ            ଶକ୍ତି ଦେଇ ଭୂପ !

ଜଡ଼ତା−ଜାମ୍ୱାଳୁଁ ଉଦ୍ଧାର ମତେ ।

 

 

ଥିଲା ଦିନ ଯେବେ            ଏ ଭାରତେ ମୁହିଁ

ପାଇଥିଲା ଉଚ୍ଚ ଆସନ ଏକ,

ସତେ କି ବ୍ରିଟିଶ            ସିଂହାସନ ଛାୟା

ତଳେ ଫେରିବ ମୋ ସୋ ପୂର୍ବ ଟେକ ।

 

ଏକ ରାଜଛତ୍ର            ତଳେ ରହି ଯେବେ

ସର୍ବ ପୁତ୍ର କନ୍ୟା ଧରିଲି ଅଙ୍କେ,

ଦଶ ଜଣ ସଙ୍ଗେ            ଜଣେ ହୋଇ ମୁହିଁ

କଲି ଘର ଦ୍ୱାର କେଡ଼େ ନିଶଙ୍କେ ।

 

ଆଜି ଥୋକେ ସୁତ            ହେଲେଣି ତେଲଙ୍ଗା

ଥୋକାଏ ଖୋରଟା ଥୋକେ ବଙ୍ଗାଳୀ,

ନିଜ ଘର ଛାଡ଼ି            ହୋଇ ନାରଖାର

ବୁଲନ୍ତି ଯେସନେ ଦାସ କାଙ୍ଗାଳୀ ।

 

ଭଗିନୀସୁତ ମୋ            ବଡ ବଡ଼ ଯେତେ

ରାଜକର୍ମଯାକ ବସନ୍ତି ମାଡ଼ି,

କୋଟି ପୁତ୍ରେ ମୋର            ଦୂରେ ଦୂରେ ଥାଇ

ମୂଲ ଲାଗୁଛନ୍ତି ପେସନେ ହାଡ଼ି ।

 

 

ଉନ୍ନତ ଇଂରେଜ            ଗର୍ବିତ ଉଦ୍ଧତ,

ବୋଲି କ୍ଷୁର୍ଣ୍ଣ ଯେଉଁ ଭାରତ ସୁତ,

ନିଜ ଭ୍ରାତା ପ୍ରତି            ଗର୍ବିତ ଉଦ୍ଧତ

ହୁଅନ୍ତି ଏକଥା ବଡ଼ ଅଦ୍ଭୁତ ।

 

ଦୁର୍ବଳ−ସହାୟ            ଲଜ୍ଜା ନିବାରଣ

ସ୍ୱାଧୀନତେ−ନ୍ୟାୟ−ଧର୍ମ୍ମାବତାର,

ମହାସ୍ୱାର୍ଥ−ତ୍ୟାଗେ            ହେ ବ୍ରିଟିଶସିଂହ

କ୍ରୀତଦାସଗଣେ କଲ ଉଦ୍ଧାର ।

 

କେତେ କେତେ ଦେଶେ            ଦେଲ ଜ୍ଞାନଶକ୍ତି

ଅତ୍ୟାଚାର ଉପଧର୍ମକୁ ତଡ଼ି,

ତବ ବାନାଛାୟା−            ତଳେ କି ଉତ୍କଳ

ଅବସାଦ−ପଙ୍କେ ରହିବ ପଡ଼ି ?

 

ସମଗ୍ର ଉତ୍କଳ−            ଭାଷୀ ଦେଶ ଖଣ୍ଡେ

ଏକୀଭୂତ କରି କର ସବଳ,

ଏକ ଶାସକଙ୍କ            ତଳେ ଥାଇ ଶୁଭ

ମନାସନ୍ତୁ ମୋର ସୁତ ସକଳ ।

 

 

ଓଡ଼ିଆଏ ହୋଇ            ହାତ ଧରାଧରି

ପରସ୍ପରେ କରି ସାହାଯ୍ୟ ଦାନ,

ସମବେତ ଚେଷ୍ଟା            କରି ଧନେ, ଜ୍ଞାନେ

କରନ୍ତି ଉନ୍ନତ−ମାର୍ଗେ ପ୍ରୟାଣ ।

 

ଜାତୀୟତା−ନାଶ            ଅବନତି−ମାର୍ଗ,

ଜାତୀୟ ମମତା ଉନ୍ନତି−ହେତୁ

ପ୍ରାଟୀନ ଗୌରବ            ଜ୍ଞାନଧର୍ମ ଶିଳ୍ପ

ଫେରାଇ ଉଡ଼ାଅ ବିଜୟକେତୁ ।

 

ସ୍ୱତନ୍ତ୍ର−ସାଧନା            କରି ଉତ୍କଳୀୟେ

ବଙ୍ଗ−ମହାରାଷ୍ଟ୍ର ସଙ୍ଗତେ ଯାଇଁ

ଏକାସନେ ବସି            ସ୍ୱଦେଶ−ଉନ୍ନତି

କରିବେ ଯେସନ କନିଷ୍ଠ ଭାଇ ।

 

ବିଚ୍ଛିନ୍ନ ହୋଇଣ            ଚିରକାଳ ଯେବେ

ରହିବ ଏ ଭାବେ ଉତ୍କଳ ଦେଶ,

ହୀନ, ଅନୁନ୍ନତ,            ପତିତ ରହିବ,

ନ ଘୁଞ୍ଚିବ ତାର ମିଳନ ବେଶ ।

 

 

ଦ୍ୱିତୀୟ ଗୁହାରୀ            ଶୁଣିବାକୁ ଆଜ୍ଞା

ହେଉ ଭୋ ସମ୍ରାଟ ରାଜରାଜେଶ,

ବଙ୍ଗଦେଶ ପରି            ଚିରସ୍ଥାୟୀ ହେଉ

କର−ବନ୍ଦୋବସ୍ତ ଉତ୍କଳ−ଦେଶ ।

 

ନ୍ୟାୟ−ଅବତାର            ବ୍ରିଟିଶ−କେଶରୀ

ବଙ୍ଗ−ଭଗିନୀକୁ ଦେଲେ ଯେ ବର,

ଯେ ଦିବ୍ୟ ଦାନରେ            ବଙ୍ଗବାସିଗଣେ

ଦିନୁଁ ଦିନରେ ହୋନ୍ତି ଉନ୍ନତତର ।

 

ଅଭାଗୀ ଉତ୍କଳ            ଘୋର ଦୀନତାରେ

ସତୃଷ୍ଣ−ନୟନେ ରହିଛି ଚାହିଁ,

କୃପା−କଟାକ୍ଷରେ            ପତିତ ପ୍ରଦେଶେ

ବୋ ଭୂପତି ବାରେ ଚାହିଁବ ନାହିଁ ?

 

ମୋ ବଙ୍ଗ−ଭଗିନୀ            ଉତ୍ତୁଙ୍ଗ ପ୍ରାସାଦେ

ପୁତ୍ର କନ୍ୟା ଘେନି କରଇ ଘର,

ଥିନି ମୁହିଁ କିବା,            ହେଲା ମୋ କି ଦଶା

ଭାଳିଣ କରତି ହୁଏ ଅନ୍ତର !

 

 

ନ୍ୟାୟ ସତ୍ୟଶୀଳ            ଶ୍ୱେତଦ୍ୱୀପବାସୀ

କରିଥିଲେ ଥରେ ଏ ସତ୍ୟପଣ;

“ପାଇଁବେହିଁ ଚିର−            ସ୍ଥାୟୀ ବନ୍ଦୋଦସ୍ତ

ନିଖିଳ−ଉତ୍କଳ−ନିବାସିଗଣ” ।

 

ନିରାଟ ନିର୍ଜନ            ଅନୁବଂର ଶୁଷ୍କ

ପାହାଡ଼ିଆ, ଠେଙ୍ଗା, ଧୋଇଆ, ଜମି

ଚାରିଗୁଣ ହୋଇ−            ଗଲା ବନ୍ଦୋବସ୍ତେ

ଥିଲା ଯାହା ଜମା କିଞ୍ଚିତ କମି ।

 

ଧୋଇଆ ମୂଲକ            ଓଡିଶା ପ୍ରଦେଶେ,

ଧୋଇଯାଏ କ୍ଷେତୁଁ ପାଚିଲା ଧାନ,

କୂଳ ଲଙ୍ଘି ନଦୀ            ଗୃହ ଧନ ଜନ

ଭସାଇଣ କରେ ସିନ୍ଧୁ ପ୍ରୟାଣ ।

 

ଏ ଭଳି ଦେଶରେ            କର ବୃଦ୍ଧି ହେବା

ଆହେ ନ୍ୟାୟ−ରାଜ ନୁହେ ଉଚିତ,

ସହି ନ ପାରିଣ            କର ଗୁରୁଭାର

ସ୍ୱଭୂମି କରଇ ସ୍ୱାମୀ ବିକ୍ରୀତ ।

 

 

ଧୋଇ ସଙ୍ଗେ ପୁଣି            ଅକାଳ ମରୁଡ଼ି

ନାଶେ କୃଷକର ତିଆରି ଧାନ,

କେଉଁ ବର୍ଷ ପୁଣି            ଦାରୁଣ ନିଦାଘେ

ବିଲରେ ଲଙ୍ଗଳ ନ ପାଏ ସ୍ଥାନ ।

 

ସ୍ଥାନେ ସ୍ଥାନେ ହେଉ      ଜଳର ଭଣ୍ଡାର;

ତୃତୀୟ ଗୁହାରୀ ମୋର ରାଜନ,

ସେ ଜଳ−ଭଣ୍ଡାରୁ            ଶୁଷ୍କ କେଦାରକୁ

ହେଉ ନିଦାଘରେ ନୀର−ବଣ୍ଟନ ।

 

ମୋର ବାଡ଼ିପାଶେ            ବରୁଣ−ନିଳୟ

ଅକ୍ଷୟ−ଲବଣ−ନୀର−ନିଦାନ,

ସେ ଜଳ ରାନ୍ଧିଣ            ଲୁଣ ଖାଉଥିଲେ

ତୁଚ୍ଛା−ଭାତେ ମୋର ଦୁଃଖୀ ସନ୍ତାନ ।

 

ମହିମା−ବାରିଧି            ଅତୁଳ−ସମ୍ପଦ

ଅଧିକାରୀ ଆହୋ ବ୍ରିଟିଶ−ରାଜ,

ଲୁଣଗଣ୍ଡାପାଇଁ            କରିଦେଲେ ମନା,

କହିବାକୁ ମତେ ମାଡ଼ୁଛି ଲାଜ ।

 

 

ମୋ ବାଡ଼ିଭିତରେ            ଲୁଣର ଅମଳ,

ଅଲଣା ଖାଆନ୍ତି ଦୁଃଖୀ ଓଡ଼ିଆ,

ଲୁଣଇ ଖାଇଲେ            ପକଡ଼ି ନିଅନ୍ତି

ଖୋଲଟି କହି ତାଙ୍କୁ ନୀଳପରାଡ଼ିଆ ।

 

ଦୁଃଖୀ ରଙ୍କ ଲୋକେ      ଧରିନେବେ ବୋଲି

ଅଛନ୍ତି ଅସଂଖ୍ୟ କରମଚାରୀ,

ଶଅ ଶଅ ଟଙ୍କା            ଦରମା ପାଆନ୍ତି,

ଲୁଣଗଣ୍ଡାପାଇଁ ହୁକୁମ ଜାରି ।

 

ନ୍ୟାୟ ଦୟାଶୀଳ            ବ୍ରିଟିଶକେଶରୀ

ଚତୁର୍ଥ ଗୁହାରୀ ଏହା ମୋହର

ନିମକଟିକସ            କରିଦିଅ ମାଫି,

ରହି ଥାଉ ମହାକୀର୍ତ୍ତି ତୁମ୍ଭର ।

 

ପଙ୍ଗାଲୁଣ ହୁଏ ମୋ      ଘରେ ଅମଳ,

ଗୋଡ଼ାଲୁଣ ହୁଏ ବିକ୍ରୟ ଦାଣ୍ଡେ ।

ଟିକସ ହେବାରୁ            ଦାମୀ ପଙ୍ଗାଲୁଣ,

ଗୋଡ଼ାଲୁଣ ଶୋଷେ ସମ୍ପତ୍ତି ଚାଣ୍ଡେ ।

 

 

ପଞ୍ଚମ ଗୁହାରୀ            ଏ ମୋର ସମ୍ରାଟ

ସ୍ୱଦେଶ ଶାସନେ ଓଡ଼ିଆଗଣ

ବିଦ୍ୟା ବୁଦ୍ଧି ଭଳି            ପାନ୍ତୁ ନ୍ୟାଯ୍ୟ−ଅଂଶ

ରାଜକର୍ମେ ତାଙ୍କୁ କର ଗ୍ରହଣ ।

 

ଶାସନ ବିଭାଗେ            ଶିକ୍ଷା ରେଳ ଡାକ−

ସର୍ବ ଇଲାକାରେ ହୋଇ ନିୟୁକ୍ତ,

ମୁରବୀ ବଳରେ            ବିଦେଶୀୟେ ଆସି

ଓଡ଼ିଆଙ୍କ ଟଙ୍କା ନେଲେ ବହୁତ ।

 

ପାଠ ପଢ଼ି ଘାସ            କାଟନ୍ତି ଓଡ଼ିଆ,

ବିଦେଶୀ ପାଅନ୍ତି ଉଚ୍ଚ−ଚାକିରୀ

ଚାକିରୀ ନ ପାଇ            ନିରନ୍ନ ଓଡ଼ିଆ,

ବାହୁନେ ବିକଳେ ଓଡ଼ିଆ ନାରୀ ।

 

ନୌକରି ନ ପାଇ            ଶିଖି ନ ପାରନ୍ତି,

କାର୍ଯ୍ୟକ୍ଷମ ଜାତି ହୋଇବ କାହିଁ,

ବେକରେ ପଡ଼ିଲେ            ବଜେଇ ଶିଖନ୍ତି,

କୂଳେ ଥାଇଁ କେହି ପହଁରେ ନାହିଁ ।

 

 

ତୁମ୍ଭ ଦେଖାଦେଖି            ଏ ଦେଶୀୟ ନୃପେ

ଗରିବ ଓଡ଼ିଆ ରଇତ−ଟଙ୍କା

ଓଡ଼ିଆ ନ ରଖି,            ବିଦେଶୀୟ ଭାତ୍ୟେ

ଦିଅନ୍ତି ନ କରି କରୁଣା, ଶଙ୍କା ।

 

ନ୍ୟାୟ−ରାଜ ଆହେ            ଭାରତ−ସମ୍ରାଟ

ଦୁର୍ବଳ−ସହାୟ ଇଂରେଜ ଜାତି,

ଉନ୍ନତ−ପ୍ରଦେଶୁଁ            ଆସି ବୈଦେଶିକ

ଛାଣି ନେଉଛନ୍ତି ଦରିଦ୍ର−ଥାତି ।

 

“ଓଡ଼ିଆଙ୍କ ପାଇଁ            ଓଡ଼ିଶା−ପ୍ରଦେଶ” *

ପ୍ରବର୍ତ୍ତିତ ହେଉ ଏ ନ୍ୟାୟନୀତି;

ଗାଇବ ଉତ୍କଳ            ଯାବତ ଚନ୍ଦ୍ରାର୍କ

ବ୍ରିଟିଶ ରାଜାଙ୍କ ନ୍ୟାୟ−କୀରତି ।

 

ଅଛି ମୋ ପ୍ରାଚୀନ            ସାହିତ୍ୟ ଭଣ୍ଡାର

ବିସ୍ମୃତି−ଅନ୍ଧାରେ ବୁଡ଼ିଛି ତାହା,

ପିତୃ ପିତାମହ−            ସଞ୍ଚିତ ରତନ

ଦେଖି ତା ଓଡ଼ିଆ ନ ଦେଖେ ଆହା ।

 

 

ଜାତୀୟ ସାହିତ୍ୟ−            ଉନ୍ନତି ନୋହିଲେ

ଜାତୀୟ ଉନ୍ନତି ନ ହୁଏ କେବେ,

ସାହିତ୍ୟ ଜାତୀୟ−            ଜୀବନ−ଆଦର୍ଶ,

ଉଠିଲେ ସେ ଜାତି ଉଠଇ ତେବେ ।

 

* ‘Assam for the Assamees’ ଏହି ନୀତି ଅବଲମ୍ୱନପୂର୍ବକ ଗୋଟିଏ ସୁଦ୍ଧା କାର୍ଯ୍ୟ ବଙ୍ଗୀୟ ଆବେଦନକାରୀ ବନ୍ଧୁମାନଙ୍କୁ ଦେଇ ନ ଥିଲେ ବୋଲି ଆସାମ ଶାସନକର୍ତ୍ତା ମହାମନା କଟନ୍ ସାହେବ ସ୍ୱୀୟ ବିଦାୟ ବକ୍ତୃତାରେ କହିଥିଲେ ଅଥଚ ବଙ୍ଗବାସିଗଣ ତାହାଙ୍କୁ ଦେବତୁଲ୍ୟ ଭକ୍ତି କରନ୍ତି ।

 

ଜଗତର ଇତି−            ହାସେ ଦେଖାଯାଏ,

ରାଜା ସାହିତ୍ୟର ପ୍ରତିପୋଷକ,

ଥିଲେ ଅଗଷ୍ଟସ୍‌            ବିକ୍ରମ−ଆଦିତ୍ୟ

ଏଲିଜାବେଥ୍ ତା ପୃଷ୍ଠପୋଷକ,

 

ପ୍ରାଚୀନ ଉତ୍କଳ−            ସାହିତ୍ୟ ଉଦ୍ଧାର

ପାଇଁ କର ନୃପ, ଉତ୍ସାହ ଦାନ;

ରାଜକରୁଁ କିଛି ଅଂଶ            ଦେଲେ ହେବ

ବର୍ଦ୍ଧିତ ଦେଶୀୟ ସାହିତ୍ୟମାନ ।

 

 

ବଙ୍ଗ ପ୍ରଦେଶକୁ            ରାଜ ସରକାର

ଉତ୍ସାହ ଦେଲାରୁ ବଙ୍ଗଳାଭାଷା,

ସାହିତ୍ୟବିଭବେ−            ସମୃଦ୍ଧିଶାଳିନୀ

ଶ୍ରେଷ୍ଠ ସ୍ଥାନେ ଆଜି ବଳାଏ ଆଶା ।

 

ଆଜି ମଧ୍ୟ ବଙ୍ଗେ            ରାଜସରକାରୁଁ

ଲେଖକ କବିଏ ପାଆନ୍ତି ବୃତ୍ତି,

ଚନ୍ଦ୍ର ଶେଖରଙ୍କୁ            ବନ୍ଦ୍ୟପଦ ଦେଇ

ଲଭିଲ ନୃପେଶ କିପାଁ ନିବୃତ୍ତି !

 

ଚିତାସମ ଉପ−            ବାସ ଋଣ ଚିନ୍ତା

ସାମନ୍ତଙ୍କୁ ପ୍ରତିନିୟତ ଦହେ,

ସ୍ୱଦେଶୀୟ ଦାନ            ସଙ୍ଗେ ରାଜକୀୟ

ଦାନ କିଛି ମିଶୁ ଦୀନମିତ୍ର ହେ ।

 

ବଙ୍ଗ କବିପରି            ‘ସିଦ୍ଧାନ୍ତ ଦର୍ପଣ’

ଲେଖକ ପାଆନ୍ତୁ ରାଜାନୁଗ୍ରହ,

ଉତ୍କଳସାହିତ୍ୟ            ଦରିଦ୍ର ସେବକେ

ହେ ବ୍ରିଟିଶରାଜ ହୁଅ ସହାୟ ।

 

 

ପ୍ରାଚୀନ ଉତ୍କଳ−            ସାହିତ୍ୟର ଏକ

ଇତିହାସ ହେଉ ଲେଖା ଉତ୍କଳେ,

ଉତ୍କଳ ଭାଷାର            ହେବ ସମୁତ୍‌ଥାନ

ଜାଗିବେ ଭାରତୀ ନବୀନ ବଳେ ।

 

ତୁମ୍ଭ ଦେଖାଦେଖି            ଏ ଦେଶୀୟ ଧନୀ

ଦେଶୀୟ ସାହିତ୍ୟେ ବଳାଇ ମନ,

ରାଜା ମହାରାଜା−            ପଦଲାଭ ଆଶେ

କରିବେ ତୁମ୍ଭଙ୍କୁ ଅନୁକରଣ ।

 

ତାଙ୍କୁ ଅହଙ୍କାର−            ପରିତୃପ୍ତି ଛଳେ

ହୋଇବ ଉତ୍କଳସାହିତ୍ୟୋନ୍ନତି,

କ୍ଷୁଦ୍ର କାର୍ଯ୍ୟ ସୂତ୍ରେ            ମହତ ବ୍ୟାପାର

ସାଧନ କରନ୍ତି ଜଗତପତି ।

 

ମୋ ଷଷ୍ଠ ଗୁହାରୀ            ଏହା ଶ୍ରୀଛାମୁରେ

ହେଉ କୃଷିବ୍ୟାଙ୍କ” ବୋଲୁଁ ଉତ୍କଳ,

ଏହି ସମୟରେ             ହେଲା କୋଳାହଳ,

ରାଜସଭା ହେଲା ଟଳମଟଳ ।

 

 

ଗର୍ଜିଲେ ସମସ୍ତେ            “ଏ ବଡ଼ ଅନ୍ୟାୟ,

ଜଣେ କିମ୍ପା ନେବ ଏତେ ସମୟ,

ନିଠେଇ ନିଠେଇ            ଲୁଣ ତେଲ କଥା

ମାଇପିଟା କହେ ନ କରି ଭୟ ।

 

ଦଣ୍ଡି ମଥାମଣି            ଚଉକୀ ନ ଇଣ

ପିନ୍ଧି ଖଣ୍ଡେ ଲୁଗା ମାଣିଆବନ୍ଧି,

ବ୍ରିଟିଶ ସମ୍ରାଟ            ମହା ଦରବାରେ

ଏତେବେଳଯାଏ କରିବ ବନ୍ଦି” ।

 

କହିଲେ ଏକାଳେ            ରାଜକୀୟ ମନ୍ତ୍ରୀ

ସମୟ ହୋଇଛି ଯାଅ ଉତ୍କଳ,

ଏକା ନୁହ ତୁମ୍ଭେ            କରିବେ ଗୁହାରୀ

ସାମ୍ରାଜ୍ୟର ଯେତେ ପ୍ରଜା ସକଳ ।

 

କହିଲେ କାମିନୀ,            “ଯାଉଛି ହେ ବାବୁ,

ନ କର ଦୁଃଖୀକୁ ଥଟ୍ଟା ନକଲ,

ଏଥି ପାଇଁ ଡରେ            ଆସୁ ନ ଥିଲି ମୁଁ,

ଆସି ହେଲି ଏଥି କି କଲବଲ !

 

 

ରାଣୀ ମହାରାଣୀ            ଡରେ ଥରହର,

ଆଉ କିଛି ମୁହିଁ କହିବି ନାହିଁ,

ଚୁପୁଡ଼ିଲେ ଅତି            ଲେମ୍ୱୁ ହୁଏ ପିତା,

ଅସନ୍ତୁଷ୍ଟ ହେବେ ବ୍ରିଟିଶସାଇଁ ।

 

ବାଲେଶ୍ୱର ରାଧା      ନାଥ ଲାଇବ୍ରେରୀ

ସ୍ଥାପୟିତା ରାୟ ଶଶିଭୂଷଣ,

ଦଶ ଟଙ୍କା ମୋତେ            ଦେଇ ବାଟଖର୍ଚ୍ଚ

ଏତେ ଦୂର ଦେଶେ କଲେ ପ୍ରେରଣ ।

 

ଯାଉଛି ପଳାଇ            ରହିବି ଲୁଚିଣ

ନୀରବେ କରିବି ଲୋତକପାତ,

ଶୁଣିଲେ ଶୁଣିବେ            ଗୁହାରୀ ସମ୍ରାଟ

ନୋହିଲେ ଭରସା ଜଗତତାତ ।

 

ଚିରକାଳ ମୁହିଁ            ଅଟେ ରାଜଭକ୍ତ

ରାଜ−ଅନୁଗ୍ରହ ମୋହର ବଳ,

ଶୁଣିଲେ ଶୁଣନ୍ତୁ ନ            ଶୁଣିଲେ ନାହିଁ

ମୋର ଏ ଗୁହାରୀ, ଥାନ୍ତୁ କୁଶଳ ।

 

 

ନୃପ ନରରୂପି            ମହତୀ ଦେବତା,

ସ୍ମୃତିକାର ମନ ଅଛନ୍ତି ଭାଷି,

ତେଣୁ ଦୁଃଖ ସୁଖେ            ରାଜ−ଅନୁରକ୍ତ

ଚିର ରାଜଭକ୍ତ ଭାରତବାସୀ ।

 

ମୁଁ ପୁଣି ଉତ୍କଳ            ଯାତନା−ଜଞ୍ଜାଳେ

କେତେ ହୋଇଥିଲି ଦୁଃଖେ ପୀଡ଼ିତ,

ଇଂରାଜ−ରାଜତ୍ୱେ            ପୂର୍ବ ଅତ୍ୟାଚାର

କୁସଂସ୍କାର ହୋଇଅଛି ଦୂରିତ ।

 

ତେଣୁ ମୁହିଁ ଦୁଃଖ            ସୁଖେ ରାଜଭକ୍ତ

ଇଂରାଜ ମଙ୍ଗଳେ ମୋର ମଙ୍ଗଳ,

ଜୟ ମହାରାଜ            ଜୟ ଭୋ ସମ୍ରାଟ”

କହିଣ ମେଲାଣି ନେଲେ ଉତ୍କଳ ।

 

ସ୍ୱପ୍ନ ସିନା ସଦା            ଦରିଦ୍ର ସହାୟ

ଚଢ଼ିଲେ ଉତ୍କଳ କଳ୍ପନା ରଥେ;

ମହାସିନ୍ଧୁ ଡେଇଁ            ପଶିଲେ ନବରେ

କେତେ ଦେଶ ଟପି ଆକାଶପଥେ ।

 

 

ଏମନ୍ତ ସମୟେ            ଭାଙ୍ଗିଗଲା ନିଦ୍ରା

ପ୍ରବୁଦ୍ଧ ସମ୍ରାଟ ଉଦ୍‌ବିଗ୍ନମନ

ସ୍ରାମାଜ୍ୟ କାର୍ଯ୍ୟରେ            ନିବେଶିଲେ ଚିତ୍ତ

ପାସୋରିଲେ ପରା ନିଶି−ସ୍ୱପନ ।

 

ଜନ୍ମଭୂମି

ଦ୍ୱିତୀୟ ଭାଗ

“Land of my sires ! what mortal hand

Can e’er untie the filial band,

That knits me to thy rugged strand !

Still as I view each well−know scence,

Think what is now, and what hath been,

Seems as, to me, of all bereft

Sole friends thy woods and streams were left,

And thus I love them better still,

Even in extremity of ill.”

-Sir W. scott.

 

ଉତ୍ସର୍ଗ

ସ୍ୱଦେଶ−ପ୍ରେମିକ, ଉତ୍କଳର ବିବିଧ ହିତାନୁଷ୍ଠାତା, ଚିର−ଜୀବନ ସ୍ୱଦେଶ ସେବାରେ ନିଯୁକ୍ତ, ଉତ୍କଳ−ସମ୍ମିଳନୀ ସଭାର ପ୍ରତିଷ୍ଠାତା ଓ ପ୍ରଧାନ ଅବଲମ୍ୱନ, ମାନ୍ୟବର ଶ୍ରୀଯୁକ୍ତ ମଧୁସୂଧନ ଦାସ, ସି. ଆଇ. ଇ. ମହୋଦୟଙ୍କ ଗୌରବାନ୍ୱିତ ନାମରେ ଲେଖକପ୍ରତି ତାଙ୍କର ଅଯାଟିତ ସ୍ନେହନିମିତ୍ତ ଯତକିଞ୍ଚିତ କୃତଜ୍ଞତାର ନିଦର୍ଶନସ୍ୱରୂପ ଏହି “ଜନ୍ମଭୂମି” ପୁସ୍ତିକା ଉତ୍ସୃଷ୍ଟ ହେଲା ।

 

ଭୂମିକା

ଉତ୍କଳର ବର୍ତ୍ତମାନ ଅବସ୍ଥାରେ ଆଧୁନିକ ସାହିତ୍ୟ ପୁସ୍ତକପ୍ରତି ପାଠକସାଧାରଣର ବିଶେଷ ଆଦର ଅନୁଭବ ନ କରି ଲେଖକ ତାଙ୍କ ଅପ୍ରକାଶିତ ପୁସ୍ତକ−ପ୍ରକାଶରୁ ବିରତ ହୋଇଥିଲେ । ମାତ୍ର କେତେକ ପୁସ୍ତକ ବିଜ୍ଞାପିତ ହୋଇ ଅପ୍ରକାଶିତ ଓ କେତେକ ପ୍ରକାଶିତ ପୁସ୍ତକ ବହୁ ବର୍ଷରେ ନିଃଷେଷ ହୋଇଥିବାରୁ ଇତିମଧ୍ୟରେ କେହି କେହି ପ୍ରକୃତ ସାହିତ୍ୟୋତ୍ସାହୀ ବ୍ୟକ୍ତି ଆକ୍ଷେପ ପ୍ରକାଶପୂର୍ବକ ପତ୍ର ଲେଖିଅଛନ୍ତି । କିନ୍ତୁ ବର୍ତ୍ତମାନ ଅବସ୍ଥାରେ ପୁସ୍ତକ ପ୍ରକାଶ କରିବା ଲେଖକଙ୍କ ପକ୍ଷରେ ଅବସ୍ଥାତିରିକ୍ତ ଅର୍ଥବ୍ୟୟ ମାତ୍ର । ଅନେକଙ୍କର ନୀତି ଏହି ଯେ କବିତା କେତେଗୁଡ଼ିଏ ମଧୁର ବାକ୍ୟମାତ୍ର, ସୁତରାଂ ମଧୁର ବାକ୍ୟଦ୍ୱାରା ଲେଖକଙ୍କୁ ଆପ୍ୟାୟିତ କଲେ ଯଥେଷ୍ଟ ପ୍ରତିଦାନ ହେଲେ । “କବିତା ରଚନାରେ ସମୟର ଅପଚୟ ହୁଏ ଏବଂ ଛପାଇବାଦ୍ୱାରା ନିକଟ ଆର୍ଥିକ କ୍ଷତି ହୁଏ”, କାରଣ ପୁସ୍ତକ ବିକ୍ରୟରେ ପ୍ରକାଶବ୍ୟୟ ପରିପୂରିତ ହେବାର ଆଶା ସୁଦୂରପରାହତ । ଆଶାକରୁଁ ଏହା ବିବେଚନା କରି ସହୃଦୟ ପତ୍ରଲେଖକମାନେ ସନ୍ତୁଷ୍ଟ ହେବେ । ଯାହାହେଉ ବର୍ତ୍ତମାନ ବିଜ୍ଞାପିତ ଦ୍ୱିତୀୟ ଭାଗ ‘ଜନ୍ମଭୂମି’ ପ୍ରକାଶିତ ହେଲା ।

 

ଏଥିରେ ସନ୍ନିବିଷ୍ଟ ୨୩ ଗୋଟି ପଦ୍ୟ ମଧ୍ୟରୁ ପ୍ରାୟ ସବୁଗୁଡ଼ିକ ଗଞ୍ଜାମ ଜାତୀୟ ସମିତି, ଉତ୍କଳସାହିତ୍ୟ ସମାଜ, ଉତ୍କଳସମ୍ମିଳନୀ ସଭା, କଟକ ସାରସ୍ୱତ ସମିତି, ଗଞ୍ଜା ଛାତ୍ର ,ସମିତି, ସାମନ୍ତରାପୁର ଛାତ୍ର ସମିତି ପ୍ରଭୃତିଙ୍କ ଅନୁରୋଧରେ ଉତ୍କଳର ନାନା ଶୁଭାନୁଷ୍ଠାନ ଉପଲକ୍ଷ୍ୟରେ ରଚିତ ହୋଇ ଏକାଧିକ ଥର ବ୍ୟବହୃତ ଏବଂ ସ୍ୱତତ୍ରଭାବରେ ଉତ୍କଳସାହିତ୍ୟ ଓ ମୁକୁର ପ୍ରଭୃତି ସାମୟିକ ପତ୍ରିକାଦିରେ ପ୍ରକାଶିତ ହୋଇଥିଲା । ସମ୍ପ୍ରତି ଏକ ପ୍ରକାର ଭାବୋ−ଦ୍ଦୀପକ ଉକ୍ତ ବିକ୍ଷିପ୍ତ ପଦ୍ୟ ଓ ସଙ୍ଗୀତଗୁଡ଼ିକ ଏକତ୍ର ସମାବେଶପୂର୍ବକ ପୁସ୍ତକାକାରରେ ପ୍ରକାଶ କରି ସ୍ୱଦେଶବାସୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କଲୁଁ । ଆଶାକରୁଁ ସେମାନେ ପୁସ୍ତକର ବିଷୟ ଓ ମର୍ଯ୍ୟାଦାର ଅନୁରୂପ ଆଦର ପ୍ରଦର୍ଶନ କରି ଲେଖକଙ୍କୁ ଉତ୍ସାହିତ କରିବେ ଏବଂ ନିଜ ନିଜର ଉପକ୍ଷୁକ୍ତ ସାହିତ୍ୟସେବାର ସାର୍ଥକତା ସମ୍ପାଦନ କରିବେ ।

 

୨୭ । ୧୨ । ୧୯୦୮

ଶ୍ରୀ ବ୍ରଜସୁନ୍ଦର ଦାସ

 

ଉତ୍କଳ ପ୍ରଭାତ

ଉଠ ଗୋ ଦୁଃଖିନୀ            ଉତ୍କଳ ଜନନି !

ପାହିଛି ବିଷାଦ ଯାମିନୀ ତବ,

ଉଠି ଦେଖ ନଭେ            ନବ ଦିନମଣି

ଶୁଣ ସୁପ୍ରଭାତେ ବିହଙ୍ଗରବ ।

 

ନବୀନ ଚେତନେ            ନବୀନ ଉଦ୍ୟମେ

ଜାଗି ଉଠିଛନ୍ତି ଜଗତଜନ,

କିପାଇଁ କହ ଗୋ            ପ୍ରିୟ ମାତୃଭୂମି

ଅଛୁ ଅଦସାଦ−ନିଦ୍ରା ମଗନ ?

 

ଜାଗିଛି ଯୁରୋପ            ଜାଗିଛି ମାର୍କିନ

ଉଡ଼ାଇ ଉନ୍ନତି−ବିଜୟ ଧ୍ୱଜା,

ଆଦି−ମଧ୍ୟ−ଯୁଗ−            ଅଜ୍ଞାନ−ଆଳସ୍ୟ

ତେଜି କରିଛନ୍ତି ସଭ୍ୟତା ସଜ୍ଜା ।

 

ଜାଗିଛି ଜାପାନ            ଏହି ନିକଟରେ

କରିଣ ସାହସେ କର ମର୍ଦ୍ଦନ,

ଆଦର ମମ୍ମାନେ            ପାଇଅଛି ସର୍ବ

ସଭ୍ୟଜାତ ସହ ସମ−ଆସନ ।

 

ଅବସାଦ ତେଜି            ଅଳପ ଅଳପ

ଜାଗୁଛନ୍ତି ନିଜେ ପ୍ରିୟ ଭାରତ,

ବଙ୍ଗ ମହାରାଷ୍ଟ୍ର            ଦ୍ରାବିଡ଼ ପଞ୍ଜାବ

ନବଜ୍ଞାନ−ଭାନୁ−କର ପ୍ରାପତ ।

 

କିପାଁ ତେବେ ପ୍ରିୟ            ଉତ୍କଳ ଜନନି

ଅବସାଦ−ନିଦ୍ରା ନ ଭାଙ୍ଗେ ତବ,

ଫୁଟିଛି ପବିତ୍ର            ଧର୍ମ−ସୁକୁସୁମ

ଶୁଭୁଅଛି ପୁଣ୍ୟ ପ୍ରଭାତ−ସ୍ତବ ।

 

ବିଜ୍ଞାନ ଭାସ୍କର−            ସମୁଜ୍ଜ୍ୱଳ କରେ

ଧରା ମୁଖ ଛବି ଦିଶେ ଉଜ୍ଜ୍ୱଳ

ବିଜୟୀ ହୁଅନ୍ତି            ସେହିମାନେ ଯେହୁ

ଜୀବନ−ସଂଗ୍ରାମେ ଖଟାନ୍ତି ବଳ ।

 

କର୍ମ ଅସି କରେ            ଧରି ହୁଙ୍କାରିଣ

ଉନ୍ନତି ପଥରେ ଯାଆନ୍ତି ଜନେ,

ଦିବସେ ସୁଷୁପ୍ତା ବୋଲି            କେତେ ଲୋକ

ହସନ୍ତି ଚାହିଁଣ ତୋହ ଆନନେ ।

 

ଉନ୍ନତ ସବଳ            କର୍ମଷ୍ଠ ଜଗତେ

ଏ ଭାରତ ସର୍ବଂ ପୃଷ୍ଠେ ପତିତ,

ତୁ ପୁଣି ଅଧମ            ଦେଶରେ ଅଧମ

ତେଣୁ ସବୁଠାରେ ତୁହି ଲାଞ୍ଚିତ ।

 

ତଥାପି ନୈରାଶ୍ୟ−            କଥା ନ କହିବି,

ଚିର ଅବସନ୍ନ ସୁପ୍ତ ସ୍ୱଦେଶ,

କାହା ଚିରଦିନ ନ            ଯାଏ ସମାନ,

ହେବ ଦିନେ ତବ ଦୀନତା ଶେଷ ।

 

ଲାଗିଅଛି ଦୁଃଖ            ସୁଖର ସଂସାରେ

ଚକ୍ରନେମି କ୍ରମେ ପରିବର୍ତ୍ତନ,

ତୋପରି ବସୁଧା            ସକଳ ଦେଶର

ହୋଇଯାଇଅଛି ପତନୋତ୍‌ଥାନ ।

 

କର୍ମହିଁ ଜୀବନ            କର୍ମହିଁ ଉଦ୍ଦେଶ୍ୟ

ଜଡ଼ତା ଜୀବନ୍ତ ମରଣ ସିନା,

ଦୁର୍ଲ୍ଲବ ମାନବ            ଜନମ ବିଅର୍ଥ

ଜୀବନ−କର୍ତ୍ତବ୍ୟ ସାଧନ ବିନା ।

 

 

ଉଠି ପ୍ରିୟଭ୍ରାତା            ଉଠ ଗୋ ଭଗିନି,

ମାତୃଭୂମି ଦୁଃଖ ଦୀନତା ନାଶ,

ବିନୀତ ଚିତ୍ତରେ            ତବ ପୂତ ପଦେ

ନିବେଦଇ କବି ପ୍ରାଣ−ଉଚ୍ଚ୍ୱାସ ।

 

ଶୁଭଯୋଗ

ଫୁଟିଛି ଉତ୍କଳ            ନିରାଟ−ଉଷରେ

ନବପ୍ରାଣ−ପାରିଜାତ−ପ୍ରସୂନ,

ଶୁଭୁଛି ଉତ୍କଳ−            ଦାରୁଣ ଶ୍ମଶାନେ

ମଙ୍ଗଳ−ବାଜଣା ଶୁଣ ହେ ଶୁଣ ।

ପାହିଛି ସୁଦୀର୍ଘ            ବିଷାଦ ଯାମିନୀ

ଉଇଁଛିରେ ଆଜି ସୌଭାଗ୍ୟ ରବି,

ଯାଇଛି ପ୍ରାଚୀନ            ନିବିଡ଼ ଅନ୍ଧାର

ଦେଖ ଜନନୀଙ୍କ ବିମଳ ଛବି ।

ପୂର୍ବ ଅତ୍ୟାଚାର            ପାଷାଣର ଭାର,

ହୋଇଛି ତା ବକ୍ଷୁଁ ଅପସାରିତ,

ଜାତୀୟ ଜୀବନ            ଉଠିଛି ଅଙ୍କୁରି,

ଶୁଭୁଅଛି ଦୂରୁଁ ଆଶା ସଙ୍ଗୀତ ।

ଶତ ଶତ ବର୍ଷ            ମୋହ ନିଦ୍ରା ଅନ୍ତେ

ଉଠି ବସିଛନ୍ତି ଦୁଃଖିନୀ ମାତା,

ଅବହେଳା ତେଜି            ମାତାମୁଖ ହେଜି

ଭ୍ରାତାହସ୍ତ ଆଜି ଧରେ ରେ ଭ୍ରାତା ।

 

ଚଉଦିଗେ ଜାଗେ            ନବୀନ ଜୀବନ

ଚଉଦିଗେ ଶୁଭେ ଆଶାର ବାଣୀ,

ଅବସାଦ ନିଦ୍ରା            ଯାଇଅଛି ଭାଙ୍ଗି

ପଡ଼ିଅଛି ମନେ ପୂର୍ବ କାହାଣୀ ।

 

କି ଥିଲା ! କି ହେଲା !            କି ହେବ ! ବୋଲିଣ,

ଶୁଭୁଅଛି ଏକ ଅସ୍ପଷ୍ଟ ସ୍ୱନ,

ଘୋର ଘନ ଘୋଷେ            ଜାତୀୟ ଗଗନେ

କମ୍ପାଇ ଧରା ସେ ଉଠୁ ବହନ ।

 

ହୋଇଅଛି ନେତ୍ରେ            ନେତ୍ର ଭେଟାଭେଟି,

ଚାରିଚକ୍ଷୁ ପ୍ରାନ୍ତେ ପୀରତି ମେଳ,

ବରକଣ୍ଠେ କନ୍ୟା            ବରଣମାଳିକା

ଲମ୍ୱାଇବ, ଖରେ ଆସୁଛି ବେଳ ।

 

ଏହା କି ସ୍ୱପନ,            କବି−କଳପନା,

ସତ୍ୟ କି ଏଥିରେ କିଛିହିଁ ନାହିଁ ?

କେମନ୍ତେ ମୁଁ ଏଥେଁ            କରିବି ସଂଶୟ,

ଏତେ ବିଳାପ କି ଛଳନା ଭାଇ ?

 

କ୍ରନ୍ଦନେ ନିଶ୍ଚୟ            ହେବ ନାହିଁ କିଛି,

କେତେ କ୍ରନ୍ଦନ ମୁଁ କରଇଁ ନିତି,

ଏକା ପ୍ରୀତି−ବାଳା            ନୁହେ ଫଳବତୀ,

ବର୍ଷ ପରେ ବର୍ଷ ଯାଏ ରେ ବିତି ।

 

କବି−କଳପନା            କର୍ମେ ପରିଣୀତା

କରି ପାର କିଏ ଜାତୀୟ ବୀର,

ଆସ ସୁପୁରୁଷ !            ପଶ କର୍ମାଙ୍ଗନେ,

ମରି ଅମରତା ଲଭ ମହୀର ।

 

ଏ ନବୀନ ଯୁଗେ            ଏହି ଶୁଭ ଯୋଗେ

ସ୍ୱାର୍ଥତ୍ୟାଗ ସଙ୍ଗେ ସ୍ୱଦେଶପ୍ରୀତି

ଶୁଭ ବିବାହରେ            କର ସମ୍ମିଳନ,

ଗାଉ କବି ତବ ଗୌରବ−ଗୀତି ।

 

ଭାରତୀ-ଉଦ୍ଦୋଧନ

(ରାମକେରୀ-ରାଗିଣୀ)

ନିମଗ୍ନ ଅଛଇ ଉତ୍କଳ ଅବସାଦ−ନିଦ୍ରାରେ,

କିଏ ସେ ତେ ନାମ ରାଇଣ ଆସି ଡାକଇ ଦ୍ୱାରେ !

ସୁଧାଜିଣା ବୀଣା ବାଜଇ ଶୁଭେ ମଧୁ ଗାୟନ,

ସେ ଗୀତ ଶ୍ରବଣେ ସ୍ମରଣ ହୁଏ ଗତ ଜୀବନ ।

ଶୁଭଅଛି ଦୂରୁଁ ଅତୀତ−ଉଦ୍ଦୋଧନ ସଙ୍ଗୀତ,

ଶ୍ରବଣେ ବିଷାଦ−ମିଶ୍ରିତ ସୁଖେ ବିକ୍ଷୁବ୍‌ଧ ଚିତ୍ତ ।

 

“ଯଯାତିକେଶରୀ ଲଲାଟ−ଇନ୍ଦୁ ଏକାମ୍ରବନ

ଅପୂର୍ବ ସୁନ୍ଦର ମନ୍ଦିର କଲେ ପରା ସ୍ଥାପିନ;

ମର୍କତକେଶରୀ ପାଷାଣ ବନ୍ଧ ବାନ୍ଧ କଟକେ

ଗୌରବ−କେତନ ଉଡ଼ାଇ ଗଲେ କାଳକାଳକେ,

ନୀଳାଦ୍ରି କନ୍ଦରେ କୋଣାର୍କେ କୀର୍ତ୍ତି−କେତୁ ଉଡ଼ାଇ

ଅନଙ୍ଗ ନୃସିଂହ ମନ୍ଦିର ଦେଇଥିଲେ ତୋଳାଇ,

ଶୂରବୀରପଣେ ଏହାର ସୁତେ କଲେ ଉନ୍ନତି,

କେମନ୍ତେ ହରାଇ ବସିଲା ଏ ସେ ପୂର୍ବ ସମ୍ପତ୍ତି ।

 

 

ଉତ୍କଳ କୋଳେ ତ ଜନମି କବି ଉପେନ୍ଦ୍ରଭଞ୍ଜ

ଅରପି ଥିଲେ ତା ଚରଣେ ତୋରା କବିତା କୁଞ୍ଜ,

ଦୀନକୃଷ୍ଣ ଅଭିମନ୍ୟୁ ତ ବଢ଼ି ଏହାର କୋଳେ,

ଗାଇଥିଲେ ସୁଧା−ସଙ୍ଗୀତ ପ୍ରେମ ଭକତି ଭୋଳେ,

ଶୁଦ୍ରଭକ୍ତି ଗୀତେ କଲେକ ସାରାଦେଶ ଉନ୍ନତ ।

 

କେମନ୍ତେ ହା ବିଧି ଉଭେଇ ଗଲା ଗୌରବରବି,

କେମନ୍ତେ ବିଷାଦମଳିନ ଦିଶେ ଉତ୍କଳ ଛବି ।

ଆଜି ସେହି ଦେଶ ବିଶାଳ ନଦୀ ଗିରି କାନନ,

ଘୋର−ଅବଦାନ−ଜଡ଼ିତ କିପାଁ ଓଡ଼ିଆ−ମନ ।

 

ଏହା ସଙ୍ଗେ ପୁଣି ଶୁଭଇ ଗୀତ ଅମୃତଜିଣା

ନବ−ଆଶା−ସୁଧା−ମଧୁର−ମନ−ପରାଣ−କିଣା

“ପାହିଛି ବିଷାଦ ରଜନୀ ଉଠ ଉଠ ଉତ୍କଳ

ହୃଦୟେ ଧରିଣ ନବୀନ ଆଶା ନବୀନ ବଳ ।

 

ପାଶ୍ଚାତ୍ୟ ବିଜ୍ଞାନ−ଅମୃତ ପିଇ କୋଟି ନନ୍ଦନ

ତୋ ଦଶା ଫେଡ଼ିବେ ଏଣିକି ଲଭି ନବ ଜବନ ।”

କି ଥିଲା କି ହେଲା କି ହେବ ବୋଲି ଶୁଭୁଛି ବାଣୀ

ସ୍ୱପନ କି ଅବା ସତ୍ୟ ଏ ନ ପାରଇ ସେ ଜାଣି ।

 

ସତେ କି ଉତ୍କଳ ନନ୍ଦନେ ଲଭି ନବ ଜୀବନ

ଜାତୀୟ ଗୌରବେ ଲଭିବେ ଧରା ଅଭିନନ୍ଦନ ?

ପାହିଛି କି ଦୁଃଖ ଯାମିନୀ ଭାଙ୍ଗିଅଛି କି ଧ୍ୱାନ୍ତି,

ପରାଚୀ ଦିଗନ୍ତେ ଉଇଁଛି କିରେ ଛାୟାର କାନ୍ତ !

 

ଆଶା ମାୟାବିନୀ କି ଅବା ଇନ୍ଦ୍ରଜାଲ ବିସ୍ତାରି

ଦେଖାଉଛି ମାୟାକାନନ ଆହା କି ମନୋହାରୀ ।

ନିମଗ୍ନ ଥିଲା ଏ ଉତ୍କଳ ଅବସାଦ ନିଦ୍ରାରେ,

କିଏ ସେ ତା ନାମ ରାଇଣ ଆସି ଡାକିଲା ଦ୍ୱାରେ ।

 

ଜାଣିଛି ଜାଣିଛି ଭାରତ ଏହା ତୋହରି ସ୍ୱନ,

ତୁହି ତ ମା’’ ବାନ୍ଧି ରଖିଛୁ କୋଟି−ଓଡ଼ିଆ−ମନ ।

ଭାଷା ବିନା ଦୀନ ଦେଶର କିବା ଅଛି ନିଜର ?

ଟାଣେ ଏକ ପାଶେ ଆନକୁ ମାତଃ ! ମାୟା ତାହର ।

 

ବୀଣାପାଣି କର କରୁଣା ମେଣ୍ଟ ଉତ୍କଳ−ତୃଷା,

ପିନ୍ଧାଇ ଦିଅ ମା’ ତା ଭାଲେ ତବ ଗୌରବ ଭୂଷା ।

ମୃତ୍ୟୁଜିଣା ବୀଣା ବଜାଅ ବାଣୀ ! ଉତ୍କଳେ ଥରେ,

ସେ ସ୍ୱନ ଶ୍ରବଣେ ଏ ସୁପ୍ତ ଦେଶ ଉଠୁ ମା’’ ଖରେ ।

 

ଉତ୍କଳ ମଙ୍ଗଳଗୀତ

(ରାଗରସକୁଳା)

ଆଜି ଶୁଭଦିନେ ଏ ଶୁଭସ୍ଥାନେ

କେତେ ଶୁଭସ୍ମୃତି ଜାଗ୍ରତ ପ୍ରାଣେ,

ଶତ ଶତ ଯୁଗ କବିସମାଜ

ଶୁଭ ମେଳେ ବିଜେ ଏସ୍ଥଳେ ଆଜି,

ଶୁଭେ କି ସୁଧା ସଙ୍ଗୀତ,

ବର୍ତ୍ତମାନ ସଙ୍ଗେ ମିଳାଇ ଦିଏ ଯା

ଭବିଷ୍ୟ ଦୂର ଅତୀତ !

 

ପ୍ରାଚୀନ ଉତ୍କଳ ପୁଣ୍ୟର ଧାମ

କୋଟି ସ୍ମୃତିପୂର୍ଣ୍ଣ ଯାହାର ନାମ,

ପୁରାଣ ପବିତ୍ର କୀରତିମୟ

ଜ୍ଞାନ−କର୍ମ−ପ୍ରେମ−ଯୋଗ−ଆଳୟ,

ନିଜେ ଲୀଳାମୟ ହରି

ଧର୍ମସମସ୍ୱୟ ପୂତ ପୀଠରୂପେ

ବାଛିନେଲେ କୃପାକରି ।

 

 

ବୁଦ୍ଧଶିଷ୍ୟ ଏଥି ପ୍ରଚାରି ‘କର୍ମ

ପ୍ରାଧାନ୍ୟ’ ‘ଅହିଁସା ପରମ ଧର୍ମ’

‘ବାସନା ବିନାଶ ନିର୍ବାଣ ହେତୁ’

ଉଡ଼ାଇଲେ ସାମ୍ୟ ଗୌରବ କେତୁ

ଖଣ୍ଡଗିରି ଜୌଗଡ଼ରେ

ଶ୍ରୀକ୍ଷେତ୍ରେ ଅଦ୍ୟାପି ବୌଦ୍ଧଧର୍ମ ଜୟ

ବିରାଜେ ଉଜ୍ଜ୍ୱଳାକ୍ଷରେ ।

 

ପୁଣ୍ୟଭୂମି ଜାଣି ଜ୍ଞାନୀ ଶଙ୍କର

ନାନକ କବିର ଭକତବର

ନାନାଯୁଗେ ନାନା ସାଧୁ ସନ୍ନ୍ୟସୀ

ପୂତ କଲେ ପୁଣ୍ୟ ଉତ୍କଳେ ଆସି

ପ୍ରେମ ବୀର ଶ୍ରୀ ଚୈତନ୍ୟ

ଗୋତ୍ର ସୁମରିଣ ଅନ୍ତିମ ଜୀବନ

ଯାପି ହେଲେ ଏଥି ଧନ୍ୟ ।

 

ଶୁଦ୍ରମୁନି ଜ୍ଞାନୀ ଶାରଳା କବି

ଉତ୍କଳ ସାହିତ୍ୟେ ତରୁଣ ରବି,

ବିଷ୍ଣୁ “ପଞ୍ଚସଖା” ପୁରାଣକାର

କଠୋର ସାଧନେ ସିଦ୍ଧି−ଯାହାର,

ଜଗନ୍ନାଥ ବଳରାମ

ଆଦି ଯେତେ ସାଧୁ ଗାଇଲେ ପୁରାଣ

କେ ଗଣିବ ତାଙ୍କ ନାମ ।

 

ବାଣୀବର−ପୁତ୍ର, ଉପେନ୍ଦ୍ର କବି,

ସାହିତ୍ୟ−ଗଗନେ ପ୍ରଦୀପ୍ତ ରବି,

ଦୀନକୃଷ୍ଣ, ଅଭିମନ୍ୟୁ ସାମନ୍ତ,

କବିସୂର୍ଯ୍ୟ ବିଶି ସଂଖ୍ୟା ଅନନ୍ତ,

ବାଣୀ−ବନରେ ବିହାର

କରି ମାତୃ−କଣ୍ଠେ ଲମ୍ୱାଇଣ ଗଲେ

କବିତା−କୁସୁମହାର ।

 

ଯଯାତି ଲଲାଟ−ଇନ୍ଦୁ ମର୍କତ

ଅନଙ୍ଗ ନୃସିଂହ ଥିଲେ ଭକତ,

ପ୍ରତାପ, କପିଳ, ପୁରୁଷୋତ୍ତମ

ଶୂର ବୀରପଣେ ସେ ନିରୂପମ,

ସେତୁବନ୍ଧ ରାମେଶ୍ୱର

କାଞ୍ଚୀକାବେରୀରେ ଉଡ଼ିଥିଲା ଦର୍ପେ

ବିଜୟ−ବାନା ଯାଙ୍କର ।

 

 

ବିରୋଜାପୀଠରେ କମ୍ୱୁ−କଟକେ,

ଏକାର୍ମ୍ର କାନନେ ପୁଣ୍ୟ କୋଣାର୍କେ,

ଶଙ୍ଖ ଚକ୍ରଆଦି ଚାରି କ୍ଷେତ୍ରରେ

ଉତ୍ତୁଙ୍ଗ ମନ୍ଦିର ବିରାଜ କରେ,

ଅତୁଳ ସେ ଶିଳ୍ପକଳା !

କହ କହ କାଳ ଉତ୍କଳ−ସୌଭାଗ୍ୟ

କେଉଁ ଆଡ଼େ ଆହା ଗଲା !

 

କିପାଁ ଏ ଉତ୍କଳ କି ପାପ ଫଳେ,

ପଡ଼ିଗଲା ଅବନତି−କବଳେ

ବିଚ୍ଛିନ୍ନ ବିଭିନ୍ନ ଉତ୍କଳ ଦେଶ,

ଦରିଦ୍ର ଲାଞ୍ଛିତ ମଳିନବେଶ,

କାନ୍ଦେ ହୋଇ ଅତି ଦୀନ

ଫେରିବ କି ତାର ସେ ପୂର୍ବ ଗୌରବ

ହେବ କି ପୁଣି ସୁଦିନ ?

 

ନାହିଁ ତାର କିଛି ସେ ଅକିଞ୍ଚନ,

ଆଳସ୍ୟ ଅଜ୍ଞାନେ କ୍ଷୀଣ ଜୀବନ,

ବଜା ମା’’ ଭାରତ ! ତୋ ବୀଣା ଥରେ,

ନବ ପ୍ରାଣ ଲଭି ଉଠୁ ସେ ଖରେ,

ଅତୀତ−ଗୌରବ−ବାଣୀ

ଶୁଣା ଶୁଣା ବାଣି ! ନବ ଆଶା ପ୍ରାଣେ

ଢାଳି ମାତଃ ବୀଣାପାଣି ।

 

ମୃତ୍ୟୁସଞ୍ଜୀବନୀ ତୋ ବିଦ୍ୟାବଳେ,

ବାଞ୍ଚାଅ ଭାରତି ! ମୃତ ଉତ୍କଳେ,

ଜାତି ସଂଗଠନ−ସୁମନ୍ତ୍ର ପଢ଼ି,

ଅବିଦ୍ୟା ଆଳସ୍ୟ ଦିଅ ମା’ ତଡ଼ି,

ଉଠୁ ଏ ପ୍ରାଚୀନ ଦେଶ

ଉନ୍ନତ ସମାଜେ ପାଉ ଉଚ୍ଚ ସ୍ଥାନ

ଧରିଣ ନବୀନ ବେଶ ।

 

Unknown

ସଙ୍ଗୀତ

(ରାଗ-ଆଶାବରୀ)

ଉଠ ଜନନି ଗୋ ପାହିଲା କାଳଯାମିନୀ,

ଆଶା−ଚକ୍ରବାଳେ            ଭାଗ୍ୟଭାନୁ ଛବି

ନବପ୍ରାଣ−ପ୍ରଦାୟିନୀ । ଘୋଷା ।

ନିଖିଳ ଭୁବନେ            ମା’ ତୋର ସମାନେ

କିଏ ଅଛି ଅଭାଗିନୀ,

କେଉଁ ଆଡ଼େ ଗଲା            ତୋର ସେ ସୁଦିନ

ହେଲୁ ମା’ ଚିରଦୁଃଖିନୀ ।

ଗଙ୍ଗା−ଗୋଦାବରୀ−            ନୀରଧି−ନର୍ମଦା

ମଧ୍ୟେ ହୋଇ ବିରାଜିତ

ଋଷି ଭକ୍ତ ଜ୍ଞାନୀ            କବି ବୀର ସୁତ

କଲୁ କୋଳେ ସୁପାଳିତ ।

କେଉଁ ବିଧି ବଶେ,            କି ଗୃଢ଼ ଉଦ୍ଦେଶେ

ଭାଗ୍ୟରବି ଅସ୍ତିମିତ,

ବିଷମ ବିପଦେ            ପଡ଼ିଲୁ ଜନ୍ମଦେ

ବିତିଲା ଦୀର୍ଘ ଅତୀତ ।

 

ଅଛି ସେହି ଦେଶ            ସେହି ଗିରି ନଦୀ

ସେ ସୌଭାଗ୍ୟ ଗଲା କାହିଁ,

ଘୋର−ଅବସାଦ−            ଜଡ଼ିମା−ଜଡ଼ିତ

ଉତ୍କଳ−ଚିତ୍ତ କିପାଇଁ ?

 

ସୁର୍ଦୀର୍ଘ−ବିଷାଦ−            ନିଶି−ପାହାନ୍ତାରେ

ଶୁଣି ମାତଃ ଶୁଣ ଦୂରେ,

‘ଉଠ ଗୋ ଉତ୍କଳ !’      ‘ଉଠ ଗୋ ଉତ୍କଳ ! ’

ଡାକେ କେ ଧୀରେ ମଧୁରେ ।

 

ତୋର ସଖୀମାନେ            ଉନ୍ନତି−ସୋପାନେ

କରିଛନ୍ତି ଆରୋହଣ,

ଥିବୁ କେତେ ଦିନ            ଆଳସ୍ୟ ଅଜ୍ଞାନ

ମୋହନିଦ୍ରା ନିମଗନ !

 

ଏ ଯୁଗ ନବୀନ            ନବ ନିମନ୍ତ୍ରଣ

ଆଣିଛି ମା’ ତୋହ ପାଇଁ,

ଜଗତ−ଆହ୍ୱାନ            କରିଣ ଶ୍ରବଣ

ନିଦ୍ରାଳସ ରହି ନାହିଁ ।

 

ପାହି ଯାଉ ଦୀର୍ଘ            ବିଷାଦ−ଯାମିନୀ

ଉଇଁ ଆସୁ ଭାଗ୍ୟ−ରବି,

ଘୁଞ୍ଚି ଯାଉ ଘୋର            ନିବିଡ଼ ଅନ୍ଧାର

ଦିଶୁ ଉଷା−ନବ−ଛବି ।

 

ଶତ−ଶତ−ବର୍ଷ            ଅବସାଦ ଅନ୍ତେ

ଉଠ ଗୋ ଉତ୍କଳ−ମାତା !

ଅବହୋଳା ତେଜି            ମାତା ମୁଖ ହେଜି

ଭ୍ରାତା ହସ୍ତ ଧରୁ ଭ୍ରାତା ।

 

ଚଉଦିଗେ ଜାଗୁ            ନବୀନ ଜୀବନ

ଚଉଦିଗେ ଆଶା−ବାଣୀ,

ଅବସାଦ−ନିଦ୍ରା            ଦିଅ ଭାଙ୍ଗି ବିଭୂ !

ଶୁଣାଅ ପୂର୍ବ କାହାଣୀ ।

 

ଧର୍ମ କର୍ମ ଜ୍ଞାନେ            ଉନ୍ନତି−ସୋପାନେ

କରିଣ ଅଧିରୋହଣ,

ସୁସଭ୍ୟ ସମାଜେ            ଉତ୍କଳ−ସନ୍ତାନେ

ପାଆନ୍ତୁ ଉଚ୍ଚ−ଆସନ ।

 

ଉତ୍କଳ ଜନନୀ ଆହ୍ୱାନ

(ରାଗଆଡ଼ା ଠେକା)

ଡାକନ୍ତି ଉତ୍କଳ ମାତା କୋଟି ସନ୍ତାନେ ତାଙ୍କର,

କେ ରହି ପାରିବ ଦୃରେ ଶୁଣି ଡାକ ମାତାଙ୍କର,

କହନ୍ତି ଡାକିଣ ମାତା “ମୋର ପ୍ରାଣ−ସୁତସୁତା ।

କିପାଁ ହେଲେ ଅରକ୍ଷିତ ତେଜି ନିଜ ପ୍ରିୟ ଘର ।

ନଦୀ ହ୍ରଦ ଗିରି ବନ ମୋ ତନୁରେ ସୁଶୋଭନ,

ନିରନ୍ତର ନୀରନିଧି ପଖଳନ୍ତି ମୋ ପୟର ।

 

କେତେ କର୍ମ−ଧର୍ମ−ବୀର ଜନମିଲେ ମୋ କୋଳର,

ନ ଥିଲି ମୁଁ କାଙ୍ଗାଳୁଣୀ, ଅଛି ଗୌରବ ପୂର୍ବର ।

ବୌଦ୍ଧ ଶୈବ ବଇଷ୍ଣବ ଦେଲେ ମୋତେ ନବ ନବ

ଯୁଗଧର୍ମ, ଦେଖ ଚିହ୍ନ ମନ୍ଦିର ଗିରି କନ୍ଦର ।

 

ଭଞ୍ଜଆଦି କବିଗଣ ଭ୍ରମି ଭାରତୀ−ଭୁବନ

କବିତା କମଳ−ମାଳା ଲମ୍ୱାଇଲେ ମୋ କଣ୍ଠର ।

ନାହିଁ ମୋର ସେ ସୁଦିନ ଏବେ ମୁଁ ଯେ ଦୀନହୀନ,

ଅକିଞ୍ଚନ ବୋଲି ମୋତେ ହେଳଇ ସାରାସଂସାର ।

 

ସୁମରି ପୂର୍ବ ସୁଦିନ କାନ୍ଦେ ମୁହିଁ ନିଶିଦିନ,

ଥାଉଁ କୋଟିସୁତ ଏହି ଦୁଃଖ କି ନ ଯିବ ମୋର ?

ମିଳିଲେ ସକଳ ଭାଇ ମୋ ଦୁଃଖ ରହିବ ନାହିଁ,

ଭୁଲିଣ ସକଳ ଭେଦ ପୋଛ ମା’ ନୟନ ନୀର ।”

 

ଉତ୍କଳ ବନ୍ଦନା

(ଲକ୍ଷ୍ନୌଠୁଂରି)

ଜୟ ମା’ ଉତ୍କଳ ପୁରାଣ ପବିତ୍ର,

ଜୟ ମା’ ଉତ୍କଳ ସୁନ୍ଦର ବିଚିତ୍ର,

ଗଙ୍ଗା ଗୋଦାବରୀ ମହେନ୍ଦ୍ର−ନୀରଧି

ଚୌଦିଗେ କୀର୍ତ୍ତି ତୋ ଘୋଷେ ନିରବଧି,

କଳନାଦିନୀ ତୋ ଶତ ସ୍ରୋତସ୍ୱତୀ,

ପଦ ଧୌତ କରେ ତୋ ନୀଳାମ୍ୱୁପତି,

ଶତ ଗିରିବନ ତୋ ତନୁରେ ରାଜେ,

କୋଟି ତୀର୍ଥକ୍ଷେତ୍ରେ ଉରସେ ବିରାଜେ,

ଜୟ ମା’’ ଉତ୍କଳ କବିବୀର−ମାତା,

କୋଟି ଶିଳ୍ପିମାତା ଅବନୀ ବିଖ୍ୟାତା,

ଜୟ ମା’’ ଉତ୍କଳ ପୁରାଣ ପବିତ୍ର,

ଜୟ ମା’’ ଜୟ ମା’ ସୁନ୍ଦର ବିଚିତ୍ର ।

 

ଜୟ ମା’’ ଜୟ ମା’’ ଉତ୍କଲ ଜନନୀ,

ପ୍ରାଚୀନ ଗୌରବ ବିଭବଶାଳିନୀ,

ଭୀମାକାନ୍ତ ଦୃଶ୍ୟେ ରୁଦ୍ର ସୁହାସିନୀ,

ପୂର୍ବେ ଭାଗ୍ୟବତୀ ଆଜି ହା ଦୁଃଖିନୀ ।

ଅନ୍ନ−ନୀର−ଦାତ୍ରୀଶୁଭ−ପ୍ରଦାୟିନୀ,

ସର୍ବ ସୁଖ−ଦାତ୍ରୀ ପୁଣ୍ୟ ବିଧାୟିନୀ,

ଯଶକୀର୍ତ୍ତିବତୀ କୋଟି ପୁତ୍ର−ମାତା,

ପତିତା ଲାଞ୍ଛିତା ଚରଣେ ଦଳିତା,

ପାହି ଯାଉ ଗୋ ମା’ ଚିର ଦୁଃଖନିଶା,

ଅବସାଦେ ଆଉ ରହ ନା ବିବଶା ।

ଜୟ ମା’ ଜୟ ମା’ ଉତ୍କଳ ଜନନୀ,

ଉଠୁ କୋଟି କଣ୍ଠୁ ଜୟ ଗୀତ ଧ୍ୱନି,

 

ପୁରୀ ବାଲେଶ୍ୱର କଟକ ଗଞ୍ଜାମ,

କାନ୍ଥି ସମ୍ୱଲପୁର ଗାଉ ମା’ ତୋ ନାମ,

ସର୍ବ ଝାଡ଼ଖଣ୍ଡ ଗଡ଼ଜାତ ଦରୀ,

ପ୍ରତିଧ୍ୱନି କରୁ ନାମ ମା’ ତୋହରି,

କପିଳାସ ମାଲ୍ୟଗିରି ମେଘାସନ

ଗନ୍ଧମାର୍ଦ୍ଦନରୁ ଉଠୁ ଏ ଗାୟନ,

ଶୋଲେରୀ ଭାଲେରୀ କରୁ ନିନାଦିତ,

ଏହି ଗୀତ ହେଉ ଆକାଶେ ଉତ୍‌ଥିତ

ଧୌଳି ଜୌଗଡ଼ରେ ଖଣ୍ଡଗିରି ଶିରେ

ସାରଙ୍ଗଗଡ଼ରେ ଉଦୟଗିରିରେ

ସପ୍ତକ୍ରୋଶୀ ଗଣ୍ଡେ, ପ୍ରଧାନ ପାଟରେ,

ଉଠୁ ଏହି ଗୀତ ଗମ୍ଭୀରସ୍ୱରରେ ।

 

ମାତୃଭୂମି

ଜନନୀଙ୍କ ଜନନୀ ଗୋ ଜନ୍ମଭୂମି ମମ ।

ତୋ ମୋ ମେଳା ଗୂଢ଼, ଗୂଢ଼ତର, ଗୂଢ଼ତମ ।

କେତେ ପୁରୁଷରୁ ପାଳୁଆଛ ହେ ସ୍ୱଦେଶ,

ପିତୃ ପିତାମହଗଣେ ନାହିଁ ତାର ଶେଷ ।

ତବ ରକ୍ତ ମାଂସେ ପୁଷ୍ଟ ମମ ଅପଘନ,

ତୁମ୍ଭରି ଶକତି ଅନୁପ୍ରାଣିତ ଜୀବନ ।

ଜନମି ତୋ ଅଙ୍କେ ମାତଃ ଖାଇ ତୋର ଅନ୍ନ,

ଲୋଟି ତୋ ଧୂଳିରେ ମାଗୋ ହେଲା ମୋ ବର୍ଦ୍ଧନ ।

ଜନମି ପାଳିତ ହେଲି ମାତଃ ଅଙ୍କେ ତବ,

ଆଶ୍ରିବ ଚରମେ କୋଳ ମୋର ମୃତ ଶବ ।

ବଢ଼ାଇ ତୁମ୍ଭରି କୋଳେ ସୁନ୍ଦରୀ ତରୁଣୀ,

ଯୌବନର ସଖୀ କରି କରାଇଛ ଋଣୀ ।

ଧୂଳିଘର କରି ଯେବେ ଖେଳୁଥିଲୁଁ ଦାଣ୍ଡେ,

ଜାଣିଥିଲ ପିଲାଖେଳ ଭାଙ୍ଗିଯିବ ଚାଣ୍ଡେ ।

ପ୍ରିୟତର ଧୂଳିଘର ପାଇଁ ଦୟାବତୀ,

ପାଳୁଥିଲ କେଉଁ କୋଣେ ବାଳା କଳାବତୀ ।

ମିଳି ଏବେ ଯୁଗ୍ମେ ଯୁଗ୍ମେ ଖେଳୁଁ ପ୍ରେମ ଭୋଳେ,

ଖାଇ ତବ ଅନ୍ନ ନାଚି କୁଦି ତବ କୋଳେ ।

ଜାଣିଅଛି ନ ରହିବ ଚିର ଏହି ଖେଳା,

ଭବିଷ୍ୟ ଖେଳାଳୀ ସର୍ଜୁଅଛି ବୁଝି ବେଳା ।

ସୁତ ହିତ ପାଇଁ ଦରଦେଶୀ ନାରୀନର,

ପୋଷ୍ୟ ପୁତ୍ର କନ୍ୟା କରି ରଖ ନିଜ ଘର ।

ମାତଃ ଏତେ କରୁଅଛ ଆମ୍ଭ ହିତ ପାଇଁ,

ତୁମ୍ଭ ଲାଗି ପ୍ରାଣ ଦେଇ ନପାରୁଁ କିମ୍ପାଇଁ ?

ଏକ କୋଳେ ବଢ଼ି ଖେଳି ବୁଲି କାହିଁପାଇଁ,

ନ ହୁଅନ୍ତି ପ୍ରେମ−ସୂତ୍ରେ ବନ୍ଧା ଭାଇଭାଇ ?

ଏକ ଭ୍ରାତୃ ବନ୍ଧନରେ ବଦ୍ଧ ଭ୍ରାତାଗଣ,

ନ କରନ୍ତି କିପାଁ ମାତୃ ଗୌରବ ବର୍ଦ୍ଧନ ?

ଏକ କୋଳେ ଜନ୍ମି ଏକ ଘରେ ଅନ୍ନ ଖାଇ,

ଏକ ଭାଷା କହି ଭିନ୍ନ ଭିନ୍ନ ଭାଇ ଭାଇ !

ମାତୃଭୂମି ତେଜି ଯେଉଁ ଗର୍ବିତ ଯୁବକ,

ହୁଏ ବିଦେଶୀୟଙ୍କର ଭକତି ସେବକ;

ସେହି ମାତୃପିତୃଦ୍ରୋହୀ ଆତ୍ମଦ୍ରୋହୀ ଜନ,

ନୋହିବ କେବେହେଁ କାହା ସମ୍ମାନ ଭାଜନ ।

 

ସ୍ୱାର୍ଥ, ଅହଙ୍କାର, ବୃଥା ଲଜ୍ଜା, ଅଭିମାନେ,

ମାତୃଦ୍ରୋହୀ ହୋଇ ଯାଇ ପାରନ୍ତି ଯେମାନେ,

ସୁଧୀଜନେ ଜାଣନ୍ତି ସେ ପଶୁର ସ୍ୱଧର୍ମ

ସ୍ୱାର୍ଥପାଇଁ କରିବ ସେ ସର୍ବ ହୀନ କର୍ମ ।

 

ମାତା ଯେବେ କୁମରକୁ ଆଦରେ ବଢ଼ାଇ

ଖୁଦ କୁଣ୍ଡା ଦେଇ ତାକୁ ଯତନେ ପଢ଼ାଇ

ଭବିଷ୍ୟତ ଭରସାରେ ବାନ୍ଧେ ଆଣ୍ଟ ମନେ,

ପୁତ୍ରଟେକ ଗାଇ ବୁଲେ ପଡ଼ିଶା ଭବନେ ।

 

ସେ କୁମର ବଢ଼ି ଯେବେ ଅର୍ଜିଜ୍ଞାନ ଧନେ

ବୁଲି ପ୍ରତିବାସୀ ଧନିପୁତ୍ରଙ୍କ ଗହଣେ

ଦୁଃଖିନୀ ଜନନୀ କି ସେ ଆଉ ନ ପଚାରେ

ସେ କୁପୁତ୍ତ୍ରେ କି କହନ୍ତି ସମସ୍ତେ ସଂସାରେ ?

 

ସେହିପରି ସ୍ୱଦେଶୀୟ ଶିକ୍ଷିତ ଯୁବକ

ବିଦେଶୀୟମାନଙ୍କର ସ୍ତାବକ ସେବକ

ହୋଇ ଯେବେ ‘ଓଡ଼ିଆ’ ଏ ନାମେ ସମ୍ୱୋଧିତ

ହେବାକୁ ହୁଅନ୍ତି ଜନସମାଜେ ଲଜ୍ଜିତ,

ଓଡ଼ିଆ ଭାଷାକୁ କରି ହେୟ ପଦାଘାତ

ବିଦେଶୀୟ ଭାଷାକୁ ସେ କରି ପ୍ରଣିପାତ,

ସେପରି ଉତ୍କଳ ସୁତେ ସୁସଭ୍ୟ ବ୍ରହ୍ମାଣ୍ଡ

କହନ୍ତି ‘ଏ କାପୁରୁଷ ଅକାଳକୁଷ୍ମାଣ୍ଡ’ ।

ସମସ୍ତେ ସ୍ୱଦେଶ ଉକ୍ତ ଏହି ଜଗତରେ

କିପାଇଁ ବିଦେଶ ଭକ୍ତ ଉତ୍କଳୀୟ ନରେ !

 

ତୁଙ୍ଗଗିରି ଘନବନ ଦୀର୍ଘନଦୀରାଜି

ଚାରୁହ୍ରଦେ ଅଛୁ ଦେଶ ! ଅପଘନ ସାଜି,

ଭୀମକାନ୍ତ ବେଶେ ବସୁ ହେ ରୁଦ୍ରସୁନ୍ଦର !

ନୀରନ୍ତର ନୀରନିଧି ଧୁଅନ୍ତି ପୟର ।

 

କୋଟି କୋଟି ବୌଦ୍ଧ ଶିବ ବିଷ୍ଣୁ ତୀର୍ଥରାଜି

ପୂରୁବ ଗୌରବ ତୋର ପ୍ରଚାରନ୍ତି ଆଜି,

କେତେ କର୍ମ ଧର୍ମ ବୀର ଜନମିଲେ କୋଳେ,

କେତେ କବି ଗାଇଗଲେ କାବ୍ୟାବଳୀ ଭୋଳେ ।

 

ନିଖିଳ ଭାରତେ ଶ୍ରେଷ୍ଠ ଠାବ ତୁ ଉତ୍କଳ

ଅଟୁ ପୁଣ୍ୟ ଜ୍ଞାନ−ଭକ୍ତି ସମନ୍ୱୟ ସ୍ଥଳ

ସମଗ୍ର ଭାରତେ କରି ଭାତୃତ୍ୱେ ବନ୍ଧନ

ଶ୍ରୀକ୍ଷେତ୍ରେ କରୁ ମା’ ସାମ୍ୟଧର୍ମ ସଂରକ୍ଷଣ ।

 

 

ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ,

ଅରକ୍ଷିତ ଦାସ , ବିରସିଂହ, ଯଶୋବନ୍ତ,

ତୋହରି କୋଳେ ମା’ ଜନ୍ମି ଘୁମି ଗ୍ରାମେ ଗ୍ରାମେ

ପ୍ରଚାରି ପବିତ୍ର କଲେ ପୁଣ୍ୟ ହରି ନାମେ ।

 

ଦେଖାଉ ବିଚିତ୍ର ଦୃଶ୍ୟ ତୁହି ମା’ ଉତ୍କଳ ।

ବୌଦ୍ଧ ଜୈନ ଶୈବ ବଇଷ୍ଣବ ଏ ସକଳ

ମହା ସମନ୍ୱୟ ଧର୍ମେ ହସ୍ତ ଧରାଧରି

ହୋଇଣ କ୍ରୀଡ଼ନ୍ତି ମାତଃ ବକ୍ଷରେ ତୋହରି ।

 

ବୌଦ୍ଧ ଧର୍ମ ଭାରତରୁ ଚିର ନିର୍ବାସିତ

ତୋ ଉଦାର ଗର୍ଭେ ମାତଃ ରହିଲା ସଞ୍ଚିତ ।

ତୋହ କୋଳେ ଜନ୍ମିଥିଲେ କେତେ ଶିଳ୍ପୀ ବୀର

କୀର୍ତ୍ତି ଯାର ଆଜି ମଧ୍ୟ ଖ୍ୟାତ ପୃଥିବୀର ।

 

ଥିଲା ଦିନ ଯେବେ ତୁହି ଉତ୍କଳେ ଭାରତେ

ଲିଭିଥିଲା ସ୍ଥାନ ଶ୍ରେଷ୍ଠ ଜାତିଙ୍କ ସଙ୍ଗତେ ।

ବଉଦ୍ଧ କେଶରୀ ଗଙ୍ଗ ବଂଶୀୟେ ଶାସନ

କରି କଲେ କେତେ ପୁଣ୍ୟ କୀରତି ସ୍ଥାପନ ।

 

 

ଶିଳାବନ୍ଧ ମହାନଦୀ କାଠଯୋଡ଼ି ତୀରେ

ବାନ୍ଧି ଉଡ଼ାଇଲେ କୀର୍ତ୍ତିକେତୁ କର୍ମବୀରେ ।

ଏକ୍ରାମ୍ରେ ଶ୍ରୀକ୍ଷେତ୍ରେ ଯାଜପୁରେ କୋଣାର୍କରେ

ଶଙ୍ଖ ଚକ୍ର ଗଦା ପଦ୍ମ ଚାରିକ୍ଷେତ୍ର ବରେ ।

 

ସ୍ଥାପିଣ ତୋ ସୁତେ କୀର୍ତ୍ତିସ୍ତମ୍ଭ ସଂସ୍ଥାପନ

କରି ଉଡ଼ାଇଲେ ଶିଳ୍ପକଳାର କେତନ ।

ଉତ୍ତାଳ ସାଗରେ ହେଲେ କରି ଜଳଯାତ୍ରା

ବାହିଣ ବୋଇତ ବାଲି ବୋର୍ଣ୍ଣିଓ ସୁମାତ୍ରା

 

ତୋହରି ବଣିକବର୍ଗ ବାରିଧି ବକ୍ଷରେ

ବାଣିଜ୍ୟ କଲେ ମା’ ଯାଇ ଦ୍ୱୀପ ଦ୍ୱୀପାନ୍ତରେ

ଜୟଲବ୍‌ଧା କାଞ୍ଚି ରାଜଜେମା ପଦ୍ନାବତୀ,

ଥିଲେ ବୀର୍ଯ୍ୟ ପୁରସ୍କାରରୂପା ରୂପବତୀ

ସମୁଦ୍ର ପୁଳିନୁ ଛାଡ଼ି ପୋତି ଓଡ଼ିଆଏ

ଯାଇଥିଲେ ଜଳଯାନେ ତାମ୍ରଲିପ୍ତି ଯାଏ ।

 

ଦକ୍ଷିଣେ କର୍ଣ୍ଣାଟ ସେତୁବନ୍ଧ ରାମେଶ୍ୱର

ଉତ୍ତରେ ମଗଧ ଗୌଡ଼ଦେଶ ଅଧିକାର

କରିଥିଲେ ଜନ୍ମଭୂମି ବୀରସୁତଗଣ,

ଘୋର ଯୁଦ୍ଧେ ପରାଜିଲେ ଅସଂଖ୍ୟ ଯବନ ।

 

ଶତ ଶତ ବର୍ଷ ବିତିଗଲା ଶତ୍ରୁଥାଟ

ଭାଙ୍ଗି ନ ପାରିଲେ ଓଡ଼୍ର କୃପାଣ କପାଟ

ତୋହରି କୋଳରେ ଜନ୍ମି ଭଞ୍ଜ ବୀରବରେ

ଭଣିଗଲେ କେତେ କାବ୍ୟ ଅମର ଅକ୍ଷରେ ।

 

କବିସୂର୍ଯ୍ୟ ବିଶ୍ୱମ୍ଭର କବି ଅଭିମନ୍ୟୁ

କବିତା କୁସୁମ ତୋଳି ଭାରତୀ−କାନନୁ,

ଭକ୍ତକବି ଜଗନ୍ନାଥ ଗାଇ ହରିନାମ

ଗଙ୍ଗା ଗୋଦାବରୀଯାଏ କଲେ ଦିବ୍ୟଧାମ ।

 

ଶ୍ରୀ ସାରଳାଦାସ କୃଷ୍ଣସିଂହ ବଳରାମ

ଗାଇଲେ ଅର୍ଜ୍ଜୁନ ସୀତା ରାମ ନାମ ।

କେତେ କବି ଗୁନ୍ଥି ଆହା କାବ୍ୟ−ପୁଷ୍ପହାର

ଭକ୍ତିଭରେ ଲମ୍ୱାଇଲେ ମା’ ତୋର ଗଳାର ।

 

ଯା ଚରଣ ଚୁମ୍ୱିୟାଏ ଅସୀମ ସାଗର

କଳତାନେ ଶତନଦୀ ବହେ ଯା ବକ୍ଷର,

ଲତା ଦୋଳାସନେ ବସି ବନ ଦେବୀଗଣ

ଗିରିବନେ ଗାଆନ୍ତି ଯା ବିଜୟ ଗାୟନ,

 

ଶତବୀର ଶିଳ୍ପୀ କବି ଭକ୍ତ ଯେଉଁ ଦେଶେ,

ଜାତହୋଇ କ୍ରୀଡ଼ି ଚାଲିଗଲେ ଦିବ୍ୟବେଶେ ।

କୋଣାର୍କ ଏକାମ୍ର ନୀଳାଚଳର ମନ୍ଦିର

କାଠଯୋଡ଼ି ବନ୍ଧ ଜଳ କାଞ୍ଚୀ ତ୍ରିବେଣୀର

 

କରିଥିଲେ ଦାକ୍ଷିଣାତ୍ୟ ଆର୍ଯ୍ୟାବର୍ତ୍ତ ଦେଶେ

ଜୈତ୍ରଯାତ୍ରା ଯେ ଉତ୍କଳ−ସୁତ ବୀରବେଶେ

ସେହି ଆମ୍ଭ ଜନ୍ମଭୂମି ତେବେ କିପାଁ ଭାଇ

ଓଡ଼ିଆ, ଏ ନାମେ ଲଜ୍ଜାନତ ହେଇଥାଇଁ ?

 

ଉତ୍‌ଥାନ ପତତ ସଦା ଲାଗିଛି ଜଗତେ,

ସୁଖଦୁଃଖ ଲାଳାଭୂମି ସଂସାର ସତତେ ।

ନିଜର ଗୌରବେ ମାତୃ ଗୌରବ ବଢ଼ାଇ

ପ୍ରୀତିସୂତ୍ରେ ବଦ୍ଧ ହୁଅ ହେ ଭଉଣୀ ଭାଇ ।

 

ପୌରବ ଗୌରବ କୁରୁ ପାଣ୍ଡବ ଗହଣେ

ତୁଚ୍ଛ କରି ସର୍ବ−ଆଗେ ଭୀମ ଅପମାନେ

ମହାବୀର କର୍ଣ୍ଣ ଯେହ୍ନେ ରାଜନ୍ୟମଣ୍ଡଳେ

ପ୍ରଣିପାତ କଲେ ସୂତ ପିତା ପଦତଳେ,

 

 

ସେହିପରି ଦୀନ ଉତ୍କଳର କୋଟିସୁତେ ।

ବିଶାଳ ଜଗତ ଦାଣ୍ଡେ ନିର୍ବିକାର ଚିତ୍ତେ

ସୁଖ ଦୁଃଖେ ଗଉରବେ ଲାଞ୍ଛନା ସମୟେ

‘ଓଡ଼ିଆ’ ଏ ନାମ ଶିରେ ଘେନ ହେ ନିର୍ଭୟେ ।

 

ସେ ନାମକୁ ମହୀୟାନ କରିବା ସକଳେ

ଜ୍ଞାନ ଭକ୍ତି ଧର୍ମ ଅର୍ଜି ନିଜ ବୁଦ୍ଧିବଳେ ।

ଆସିବ ଏମନ୍ତ କାଳ ଏ ମହୀମଣ୍ଡଳ

ମଧ୍ୟେ ସମ୍ମାନିତ ହେବ ଦରିଦ୍ର ଉତ୍କଳ ।

 

କର୍ଣ୍ଣ ଯେହ୍ନେ ହୋଇଥିଲେ ଅଙ୍ଗମହୀପତି

ସେହିପରି ଉଠିବ ଏ ଉତ୍କଳ ତଡ଼ତି ।

ଇଂଲଣ୍ଡ କି ଥିଲା ଚିରଦିନ ସମୁନ୍ନତ

ନ ଥିଲା କି ସେହି ଦେଶେ ଦୀନତା ବହୁତ ?

 

କିନ୍ତୁ ଶ୍ୱେତଦ୍ୱୀପବାସୀ ମନୁଷ୍ୟତା ଫଳେ

ଜଗତେ ସୁସୂଜ୍ୟ ଆଜି ଜ୍ଞାନ ବୀର୍ଯ୍ୟ ବଳେ ।

କରିଛି ମାନବ ଯାହା କରିବ ମାନବ,

ଏ ଜଗତେ କିଛିମାତ୍ର ନୁହେଁ ଅସମ୍ଭବ ।

 

 

ଥିଲା ଏହି ଉତ୍କଳର ଗୌରବ ସୁଦିନ,

ଦିନାକେତେ ହେଲା ଏହି ଦେଶ ହେଲା ଦୀନ ।

ମା’ ଜନନୀ ଜନ୍ମଭୂମି । ଦୀନ ହୀନ ବେଶେ

ହେଲେ ହେଁ ଲାଞ୍ଛିତ ତୁ ଲୋ ଏହି ଧରାଦେଶେ ।

 

କିପାଁ ସୁତ ନେତ୍ରେ ତବ ମୋହିନୀ ପ୍ରତିମା

ବୋଲି ଦେଉଅଛି ମାତଃ ତ୍ରିଦିବ ମହିମା ?

କେହି ତ ନମାନେ ତବ ଗୌରବ ସମ୍ମାନ

ଶୁଣି ତବ ଜୟ ଥୋକେ କରନ୍ତି ଲାଞ୍ଛନ

 

ନଶୁଣିଲେ ନାହିଁ କେହି ନ କରିବି ଭୟ,

ଆମରଣ ଗାଇବି ଗୋ ଜନନି ତୋ ଜୟ ।

ଏ କ୍ଷିଣ କଣ୍ଠର ଧ୍ୱନି ନ ଶୁବିଲା ନାହିଁ,

ଜନ୍ମିବେ ତୋ କୋଳେ ମୋର ଯୋଗ୍ୟତର ଭାଇ ।

 

ଏ ଗୀତର ପ୍ରତିଧ୍ୱନି ଘୋର ଘନ ଘୋଷ

ଶୁଣି ସ୍ୱର୍ଗେ ବୃନ୍ଦାରକେ ଲଭିବେ ସନ୍ତୋଷ ।

କାଳ ନିରବଧି ସୃଷ୍ଟି ବିପୁଳ ଅଶେଷ,

ଅବଶ୍ୟ ଉଠିବୁ ଦିନେ ଦେ ଦୀନ ସ୍ୱଦେଶ ।

 

ନିବେଦନ

ହେ ପ୍ରିୟ ଉତ୍କଳବାସି !            ଉଠ ନିଦ୍ରାତେଜି

ଅନ୍ୟାୟ ସ୍ୱଦେଶେ,

ଦେଖ ଦେଖ ମାତୃଭୂମି            ପୋଛନ୍ତି ଲୋତକ

କି ବିଷାଦ−ବେଶେ ?

କେତେ କାଳ ଭ୍ରାତୃବର୍ଗ            ରହିବା ଉଦାସ

କ୍ଷୁଦ୍ର ସ୍ୱାର୍ଥ ଲୋଟି,

ଚିରଦିନ ମାତୃଭୂମି            ରହିଥିବ ଦୀନ

ଥାଉଁ ସୁତ କୋଟି ?

ଅର୍ଥ କି ଜୀବନେ ସାର      ଯିବ କି ତା ସଙ୍ଗେ

ପରିଣାମ ବେଳେ,

ଅସାର ଅର୍ଥର ଲୋଭେ      ସ୍ୱଦେଶ−ଦୁର୍ଦ୍ଦଶା

ନ ଦେଖୁଛି ହେଳେ !

ଦୁର୍ଲ୍ଲଭ ମାନବ ଜନ୍ମ            ପାଇ ସ୍ୱଦେଶିଏ

ଭ୍ରାନ୍ତ ବିଶ୍ୱାସରେ

ପୂଜନ୍ତି ଉଦ୍ଭିଦେ ଜଡ଼େ      ପଶୁ ପକ୍ଷୀ ପ୍ରେତେ

ଭଣ୍ଡ ନାରୀ ନରେ

ସହସ୍ର ବିଧବା ବାଳା      ବିକଳ ବିଳାପ

ଶୁଣ ଶୁଣ ଭାଇ,

ଜୀବନ କି ସ୍ୱାର୍ଥଭୋଗ ?      ଅନ୍ୟ କର୍ତ୍ତବ୍ୟ କି

ମାନବର ନାହିଁ ?

 

ମନୁଷ୍ୟତା−ବିବର୍ଜିତ            ହୋଇ କାଳବଳେ

ଆତ୍ମ ସ୍ୱାଧୀନତା

ନିଜ ଶକ୍ତି ଗଉରବ            ପାସୋରି ଅଛନ୍ତି

ସ୍ୱଦେଶ ଜନତା ।

 

ଅନ୍ତରସ୍ଥ ବ୍ରହ୍ମଶକ୍ତି            ନିଷ୍କର୍ମ ନିସ୍ତେଜ

କୁସଂସ୍କାର ଭାରେ,

ମହା ଶକ୍ତିମାନ ବହ୍ନି            ଭସ୍ମ ସମାହିତ

ହୁଏ ଯେ ପ୍ରକାରେ ।

 

ସର୍ବ ସୃଷ୍ଟି ମଧ୍ୟେ ଏକା      ମାନବ ପ୍ରଧାନ,

ମନ ମାନବର

ନିଖିଳ ଅବନୀ ପୂଜ୍ୟ      ଯେଣୁ ସେ ମନରେ

ପ୍ରକାଶ ଈଶ୍ୱର ।

 

 

ଉଦ୍ଭିଦେ ମାନବେ            ଜଡ଼େ ବିରାଜିତ ବ୍ରହ୍ନ

ଏହା ସତ୍ୟମାନେ

କୋଟିଗୁଣ ଶ୍ରେଷ୍ଠରୂପେ      ନାହାନ୍ତି କି ବ୍ରହ୍ନ

ତବ ନିଜ ପ୍ରାଣେ ।

 

ଆତ୍ମା ସମ୍ମାନକୁ ତେଜି      କିପାଇଁ ମନୁଜ

ମସ୍ତକ ଆନତ

ତ୍ରିଭୁବନେ ସମସ୍ତଙ୍କ            କରି ପାଦ ପୂଜା

ଶଙ୍କିତ ସତତ ।

 

ଅମୃତର ପୁତ୍ର ନର            ବିସୋରିଣ ତତ୍ତ୍ୱ

ନୀରତା ହୀନତା

ବକ୍ଷ ପତାଇଣ ନେଇ      ନିରାଶ ନିର୍ବୀର୍ଯ୍ୟ

ସ୍ୱଦେଶ ଜନତା !

 

ଉଠାଅ ମସ୍ତକ, ଯାହା      କରିଛି ମାନବ

କରିବ ମାନବ,

ଅପଭୟ ତେଜ, ଉଡ଼ୁ      ନ୍ୟାୟ ସତ୍ୟ ଧ୍ୱଜା,

ଚଳୁ ଧର୍ମନାବ ।

 

 

ଆତ୍ମ ଅଧିକାର ଆତ୍ମ      ସ୍ୱତ୍ତ୍ୱ କର ଦାବୀ

ମାନବ ମାନବୀ,

ଅନ୍ୟେ ଦାସ ଦାସୀ କରି      ନିଜେ ହେଲେ ଦାସ

କହେ ସତ୍ୟ କବି ।

ହୋଇଣ ଉଦାର ଆନ      ଅଧିକାର ମୂଲ୍ୟ

ବୁଝି ପ୍ରାପ୍ୟ ଦିଅ,

ନ ଦେଲେ ନ ମିଳେ, ଜାଣି      ପର ପ୍ରାପ୍ୟ ଦେଇ

ନିଜ ପ୍ରାପ୍ୟ ନିଅ ।

ସରଳ ନିର୍ଭୀକ ପ୍ରାଣେ      ଜନ୍ମଭୂମି ଦଶା

ଫେଡ଼ ନାରୀନର ।

ଚଳିଯିବ କାଳ, ଦେଶେ      ରହିବ ସୁନାମ

ସୁକୀର୍ତ୍ତ ତୁମ୍ଭର ।

ସଂସାର ସୈକତ ଭୂମେ      ଭବାବ୍‌ଧି ତିତୀର୍ଷୁ

ଭଗ୍ନପୋତ ଭାଇ

ଅନୁସରି ପଦାଙ୍କକୁ            ଜୀବନ ଜଳଧି

ଜଳୁଁ ହେବ ନାହି ।

ମୃତ୍ୟ−ତଳ୍ପେ କୃତକୃତ୍ୟ      ଜୀବନକୁ ସ୍ମରି

ସାନ୍ତ୍ୱନା ପାଇବ,

ଭବିଷ୍ୟତ ଜୀବନରେ      ଉନ୍ନତ ଲୋକରେ

ସ୍ୱସ୍ଥାନ ଲଭିବ ।

ମାତୃଭୂମି ସେବାକର      ଦେଇ ଯେଝା ଶକ୍ତି,

ଜ୍ଞାନୀ ଦେଉ ଜ୍ଞାନ,

 

ବଳ ଦେଉ ବଳବାନ      ପୁଣ୍ୟ ପୁଣ୍ୟବାନ,

ବଡ଼ କିବା ସାନ,

ଧନୀ ଧନ, ମାନୀ ମାନ      ମାତୃପୂଜା ପାଇଁ,

କାବ୍ୟ ଦେଉ କବି,

ବାକ୍ୟ ଦେଉ ବାଗ୍ମୀ            ଓଲଟି ଯିବ ଅଳ୍ପ ଦିନେ

ଜନ୍ମଭୂମି−ଛବି ।

 

ଉତ୍କଳ ଦଶା

ଦେଖୁ ଶୁଭ ନବଯୁଗେ ବ୍ରିଟିଶସୁରାଷ୍ଟ୍ରେ

ପଞ୍ଜାବ ଦ୍ରାବିଡ଼ ଆନ୍ଧ୍ର ବଙ୍ଗ ମହାରାଷ୍ଟ୍ରେ

ନବୀନ ଚେତନା ଲଭି ନବକର୍ମେ ବ୍ରତୀ

ଉତ୍ସାହେ ମାତିଣ ସର୍ବେ କରନ୍ତି ଉନ୍ନତି,

କେବଳ ଉତ୍କଳ ଦୂରେଅତିଦୂରେ ପଡ଼ି

ଦାରିଦ୍ର୍ୟ−ଅଜ୍ଞାନ−ଅବସାଦେ ଅଛି ଜଡ଼ି,

କୋଟି ସୁତେ ଥାଇଁ ଆଜି ଉତ୍କଳ ପତିତ,

ଭାଇ ଭାଇ ଭିନ୍ନ ହୋଇ ଲାଞ୍ଛିତ ଦଳିତ ।

 

ଶିଳ୍ପ ବ୍ୟବସାୟ ଜ୍ଞାନ ଧର୍ମେ ସର୍ବେ ବଳୀ,

ହୀନ ହୋଇ ପଡ଼ିଛନ୍ତି କେବଳ ଉତ୍କଳୀ;

ଶ୍ରେଷ୍ଠ ଜ୍ଞାନୀ କବି ଶିଳ୍ପୀ ଥିଲେ ତ ଏଥିର

ପ୍ରମାଣ ପ୍ରାଚୀନ ସେତୁ, ସାହିତ୍ୟ, ମନ୍ଦିର,

ଥିଲା ଦିନ ଯେବେ ଏହି ଉତ୍କଳ ଭାରତେ

ଲିଭଥିଲା ସ୍ଥାନ ଶ୍ରେଷ୍ଠ ଜାତିଙ୍କ ସଙ୍ଗତେ;

ପୁଣି କି ଫେରିବ ନାହିଁ ଗୌରବ ସମ୍ମାନ,

ଉନ୍ନତ ସମାଜେ ଏହା ନ ପାଇବ ସ୍ଥାନ ?

 

ଇଷ୍ଟଦେବୀ-ଆବାହନ

(ରାଗ-ଚୋଖି)

ଜୟ ଇଷ୍ଟଦେବୀ, ଜୟ            ବନ୍ଦୁଁ ଶ୍ରୀଚରଣ ଦ୍ୱୟ

ଆସ ଆସ ମାଗୋ ଆଜି ଦୀନ ଭବନେ,

ତୋ ଭକ୍ତ ସନ୍ତାନଗଣ      ନିବେଦି ଭକ୍ତି ଚନ୍ଦନ

ପୂଜିବେ ଏ ଶୁଭଦିନେ ତୋ ଶ୍ରୀଚରଣେ,

କଲ୍ୟାଣ କର ମା’ ଅଭୟା

ଆସି ପୁଣି ସମ୍ୱତ୍ସରେ କରିଣ ଦୟା ।

 

ଘନକାଳ ଅବସାନ            ଦାଉ ଦାଉ ଦିଗମାନ

ଛାୟାପଥେ ସୁଶୋଭନ ନୀଳ ଗଗନ,

ଶାରଦ−ଆକାଶେ ଜହ୍ନ      ଦେଖିଣ ସିନ୍ଧୁ ଉଚ୍ଛନ୍ନ

ଉଚ୍ଛ୍ୱସିତ ଊର୍ମ୍ମିଛଳେ ବନ୍ଦେ ଚରଣ,

ଆସ ମା’ ବୈକୁଣ୍ଠୁଁ ଓହ୍ଲାଇ

ସିନ୍ଧୁ−ଊର୍ମି−ସୋପାନରେ ପଦ ପକାଇ ।

 

ମହୀ ଶିଶିରମଣ୍ଡନା            ଉଷା ବିଶଦବସନା

ନୀଳନଭେ ଉଭା ଧନୀ ପବିତ୍ର ମନ,

ବିବିଧ ପୁଷ୍ପ ସଜାଡ଼ି            ସାଜିଛି ଚିତ୍ର ଚାଙ୍ଗୁଡ଼ି

ଶ୍ୱେତକାଶ ଚାମରେ ସେ କରେ ବ୍ୟଜନ,

ବଜାନ୍ତି ବାଜଣା ବିହଙ୍ଗେ

ଆସ ମାତଃ କ୍ରିଦିବରୁ ଓହ୍ଲାଇ ରଙ୍ଗେ ।

 

ଥିଲା ଶୁଭଦିନ ଯେବେ            ଏହି ଉତ୍କଳରୁ ତେବେ

ଯାଇଥିଲେ ଦିଗବିଜୟେ କ୍ଷତ୍ରୀୟ ବୀରେ,

ସେତୁବନ୍ଧୁ ରାମେଶ୍ୱରେ      କାଞ୍ଚୀ ଗଉଡ଼ ଦେଶରେ

ଉଡ଼ାଇଲେ ଜୟବାନା ନୀରଧିନୀରେ

ବିଜୟ ଲକ୍ଷ୍ମୀ ! ତୋ ବଳରେ

ସୁମାତ୍ରା ବୋର୍ଣ୍ଣିଓ ବାଲି ଯବଦ୍ୱୀପରେ ।

 

 

 

ଥିଲା ଦେବି, ଶୁଭକାଳେ            କାହିଁ ଲୁଚିଲା ତା ଢାଳେ

ଧନଧାନ୍ୟେ ପୂର୍ଣ୍ଣ ଥିଲା ଏହି ଉତ୍କଳ,

ଏହି ଉତ୍କଳୀୟମାନେ      ଉକ୍ତ କବି ବୀରପଣେ

କୀର୍ତ୍ତିବାନା ଉଡ଼ାଇଲେ ମହୀମଣ୍ଡଳ,

କାହିଁ ଗଲା ମାତଃ ସେ ଦିନ,

ଏବେ ଉତ୍କଳର ଦଳା କି ଦୀନହୀନ ।

 

ଥିଲା ଶୁଭଦିନ ଯେବେ            ତବ ପୂଜା ପାଇଁ ତେବେ

କରୁଥିଲୁଁ ଆୟୋଜନ ଯୋଗ୍ୟ ବିଧାନେ,

ପଡ଼ିଛି ଏବେ ଦୁର୍ଦ୍ଦିନ      ଧନ ବିଦ୍ୟା ବୁଦ୍ଧି ହୀନ

ଉତ୍କଳ ବିହ୍ୱଳ ଘୋର ମୋହ−ସ୍ୱପନେ,

ନବଭାନୁକରେ ଜନନି !

ଉଦ୍ଭାସିତ ହେଉ ପୁଣି ଜନ୍ମ−ଅବନୀ ।

 

 

 

 

ଆସୁଥିଲ ମାତଃ ସୁଖେ            ଆସ ଏବେ ପୁତ୍ର ଦୁଃଖେ

ଦୁଃଖବେଳେ ଲୋଡ଼ା ସିନା ବନ୍ଧୁ ସଙ୍ଖୁଳା,

ଦୁଃଖ ସୁଖେ ମା’ ଜନନି      ତୁମ୍ଭେ ବିପଦାତାରିଣୀ

ଚାରିଯୁଗେ ଖ୍ୟାତା ମାତଃ ମହାମଙ୍ଗଳା,

ଆସିଣ ବିରାଜ ଜନନି,

ତବ ଆବିର୍ଭାବେ ହେଉ ସୁସ୍ଥ ଧରଣୀ ।

 

ଧନ୍ୟ ହେଉ ପଦ ସେବି            ଆସ ଆସ ଇଷ୍ଟଦେବି,

ଲକ୍ଷ୍ମୀରୂପେ ଧନଧାନ୍ୟେ ଏ ଦେଶ ଭର,

ସରସ୍ୱତୀ ରୂପେ ଜ୍ଞାନ      ବିଦ୍ୟା ବୁଦ୍ଧି କର ଦାନ,

ଶକ୍ତିରୂପେ ବାହୁବଳ ବିଧାନ କର,

ଜନ୍ମଭୂମି ରୂପେ ଅଭୟେ,

ପବିତ୍ର ଶ୍ରୀପଦ ତବ ସେବୁଁ ନିର୍ଭୟେ ।

 

 

 

 

 

ଜୟ ଜନ୍ମଦେ ଅନ୍ନଦେ            ଜୟ ସୁଖଦେ ଜ୍ଞାନଦେ

ଜୟ ଜୟ ଶାନ୍ତି ମୁକ୍ତି ଶୁଭ ଦାୟିନି,

ଚିର ନୁହେ ଏ ଜୀବନ      ସ୍ଥିର ନୁହେ ଧନ ଜନ

ରହୁ ମନେ ଏ କଥା ମା’ ପାପନାଶିନି,

ପବିତ୍ର ହେଉ ମା’ ଜୀବନ,

ପ୍ରାଣାନ୍ତେ ପାଉ ମା’ ଯେହ୍ନେ ତୋ ଶ୍ରୀଚରଣ ।

 

ଉତ୍କଳ କବିକୁଳ ଗୁରୁ ଉପେନ୍ଦ୍ରଭଞ୍ଜ

ସୁପଣ୍ଡିତ ହେ ଉପେନ୍ଦ୍ର ଭଞ୍ଜ ବୀରବର !

କବିକୁଳପତି ତୁମ୍ଭେ ଅଟ ଉତ୍କଳର ।

ରାଜସିଂହାସନ ସୁଖ ତେଜି ମହାମନା ।

କଲ କେତେ କେତେ କାବ୍ୟ ସଙ୍ଗୀତ ରଚନା ।

ତୁମ୍ଭ ଘେନି ମାତୃଭାଷା ସାହିତ୍ୟ−ଶାଳିନୀ

ତୁମ୍ଭ ଯୋଗୁଁ ମାତୃଭାଷା ଆଜି ହେ ମାନିନୀ ।

ଯୁଦ୍ରରାଜ୍ୟ ସୁଖ ତେଜି ପଣ୍ଡିତ ମହାନ

ଉତ୍କଳ−ଭାଷାକୁ ଦେଇଗଲ ଜୀବନଦାନ ।

ହୋଇଥାନ୍ତା ସିନା କ୍ଷୁଦ୍ର−ଖଣ୍ଡ ନନେଶ୍ୱର

ସମଗ୍ର ଉତ୍କଳେ ଆଜି ରାଜତ୍ୱ ତୁମ୍ଭର ।

ଗଞ୍ଜାମ ସମ୍ୱଲପୁର ଓଡ଼ିଶା ଦେଶର

ପ୍ରତି ଗୃହେ ପାଉଅଛି ପୂଜା କବିବର ।

ଅଗୁରୁର ଧୂପ ସମ ନିଜର ଦହନେ

ସୌରଭେ କରିଛ ଆମୋଦିତ ଧରାଜନେ ।

ତୁମ୍ଭବିନା ହରାଇଣ ଜାତୀୟ−ସାହିତ୍ୟ

ଉତ୍କଳ−ସନ୍ତାନେ ହୋଇ ଥାଆନ୍ତେ ପତିତ ।

 

ତୁମ୍ଭ ରକ୍ତ−ସିକ୍ତ−ଭୂମି−ଉପ୍ତ−ତରୁ−ଫଳ

ଖାଇଣ ଜୀବନ ଦାନ ପାଇଛି ଉତ୍କଳ ।

ମହାଜନ ରକ୍ତପାତ ନୁହଇ ନିଷ୍ଫଳ

ତୁମ୍ଭ କାବ୍ୟରାଜ୍ୟ ନିଶ୍ଚେ ଫଳିବ ସୁଫଳ ।

 

ଉତ୍କଳ−ସାହିତ୍ୟ−ତରୁ ଅନୁଦିନ ବଢ଼ି

ଉତ୍କଳର ଦୀନ ଦଶା ଦେବ ନିଶ୍ଚେ ତଡ଼ି ।

ଦ୍ୱାପଞ୍ଚାଶ କାବ୍ୟ କବି କରିଛ ରଚନ

କବିତ୍ୱ ପାଣ୍ଡିତ୍ୟ ମଣି−କାଞ୍ଚନ ମିଳନ ।

 

ଗଙ୍ଗା ଗୋଦାବରୀ−ସିନ୍ଧୁ−ରେବା ବନ୍ଦ୍ୟ କବି

ଉତ୍କଳ ସାହିତ୍ୟାକାଶେ ଚିର ଦୀପ୍ତ ରବି ।

ଭାରତି−ନିକୁଞ୍ଜ ସୁତରୁଣ ପିକବର

ସାହିତ୍ୟ−କାସାରେ ଫିଲ୍ଲ ସୁରଭି ପୁଷ୍କର ।

 

ଦେଖ ଦେଖ ଦିବୁଁ ମାତୃଭୂମି−ପ୍ରିୟକବି

ଉତ୍କଳ−ଜନନୀ ଜୀନ ହୀନ ମୁଖ ଛବି ।

ଜନ୍ମି ଯହିଁ ଦେଲ ଭାଷା ନିମନ୍ତେ ଜୀବିତ

ଉତ୍କଳରୁ ହୋଇଅଛି ତାହା ବିତାଡ଼ିତ ।

 

ଶ୍ରୀଧରସ୍ୱାମୀ

 

ଶ୍ରୀଧର ଜନମି ଥିଲେ ଏ ଦୀନ ଉତ୍କଳ

କହିବୁ ମା’ ଜନନୀ ଗୋ କି ସାହସ ବଳେ ?

ମହାନ ପଣ୍ଡିତ ସେ ଯେ ଜ୍ଞାନୀ ଭାଷ୍ୟକାର

ଥିଲେ ଏଥି ତାରା ମଧ୍ୟେ ଚନ୍ଦ୍ରମା ପ୍ରକାର ।

କାହିଁଛନ୍ତି ତାଙ୍କ ବଂଶ ଶକ୍ତି ତାଙ୍କର କାହିଁ

ତାଙ୍କ ବଂଶଧରଠାରେ ତାଙ୍କ ରକ୍ତ ନାହିଁ ?

 

ତଖାପି ନ ଥିଲୁ ମା’ ଉତ୍କଳ ! ଚିରଦିନ

ଆଜିପରି ମୂକ ସୁପ୍ତ ଖର୍ବ ଦୀନ ହୀନ ।

ତୋରି କୋଳେ ବଢ଼ିଥିଲେ କେତେ ଶିଳ୍ପୀ ବୀରେ

କୀର୍ତ୍ତି ଯାଙ୍କ ଆଜି ମଧ୍ୟ ଖ୍ୟାତ ପୃଥିବୀରେ?

 

କୋଣାର୍କଏକ୍ରାମ−ନୀଳାଚଳର ମନ୍ଦିର

କାଠଯୋଡ଼ି ବନ୍ଧ, ଜୟ କାଞ୍ଚି ଦେଶାଦିର ।

ଓଡ଼ିଆ ତ କରିଥିଲେ ? ତେବେ କିପାଁ ମାତା

ଶ୍ରୀଧର ପାରନ୍ତି ନୋହି ଓଡ଼ିଆଙ୍କ ଭ୍ରାତା ?

 

‘ସିଦ୍ଧାନ୍ତଦର୍ପଣ’ ପ୍ରଣେତା ମହାମହୋପାଧ୍ୟାୟ ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ

‘ସିଦ୍ଧାନ୍ତଦର୍ପଣ’ ପ୍ରଣେତା

ମହାମହୋପାଧ୍ୟାୟ

ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ

 

ହେ ଚନ୍ଦ୍ରଶେଖର ନବ ଉତ୍କଳ−ମଣ୍ଡନ

ନବଯୁଗେ ଜ୍ଞାନବୀର କୁଳସୁନନ୍ଦନ,

ଶ୍ମଶାନ−ତୁଳସୀ ଦେବ ତୁମ୍ଭେ ଏ ଉତ୍କଳେ

ତୁମ୍ଭ ଘେନି ଏ ଉତ୍କଳ ଖ୍ୟାତ ଭୂମଣ୍ଡଳେ,

ସ୍ୱାର୍ଥ ଧୂଳି−ବିଲଣ୍ଠିତ ଯେ ଦେଶନିବାସୀ,

ସେହି ଦେଶେ ଜନ୍ମି ଜ୍ଞାନ−ଅମ୍ୱରବିଳାସୀ,

ଜ୍ୟୋତିଷ୍କ−ଜଗତ ସଙ୍ଗେ କରିଣ ସମ୍ଭାଷ,

ସିଦ୍ଧାନ୍ତ−ଦର୍ପଣ ତତ୍ତ୍ୱ କଲ ହେ ପ୍ରକାଶ

ସାଧୁ ସାଧୁ ! ସୁପଣ୍ଡିତ ଦେବ−ଅବତାର

ମହା ଦୈନ୍ୟେ ମହା ସତ୍ୟ କରିଛ ପ୍ରଚାର,

ସଭ୍ୟଦେଶେ କରିଥିଲେ ଜନମ−ଗ୍ରହଣ,

ସୁଯୋଗେ ଥାଆନ୍ତି କରି କେତେ ଉଦ୍ଭାବନ,

ଦୁର୍ଦ୍ଦୈରେ ପଡ଼ିଣ ଘୋର ଅରଣ୍ୟେ ଉଷର,

ପ୍ରତିଭା−ହୀରକ−ପ୍ରଭା ମଳିନ ତୁମ୍ଭର ।

 

ତଥାପି ଗହନ ବନେ ଯଥା ବିକଶିତ

ସୁରଭି ପ୍ରସୂନ କରେ ଦିଗ ଆମୋଦିତ,

ପଙ୍କଜ ମୃଣାଳେ ଯେହ୍ନେ ପ୍ରଫୁଲ୍ଲ ପୁଷ୍କର

ଶୈବାଳ ସଙ୍ଗତେ ସୁଦ୍ଧା ଦିଶଇ ସୁନ୍ଦର,

ସେହିସରି ଜ୍ୟୋତି ତବ ପ୍ରତିଭାର

ଉଦ୍ଭାସିତ କରି ଅଛି ଜ୍ୟୋତିଷ୍କ−ସଂସାର ।

ଦେବଦୂତ ସମ ଆଶା ଘେନି ହେ ସାମନ୍ତ !

ଅବସନ୍ନ ଉତ୍କଳକୁ ଦେଲ ଏ ଉଦନ୍ତ,

ନବ ବୈଜ୍ଞାନିକ−ଉଦ୍ଭାବନ−ନବଜ୍ଞାନ

ମଧ୍ୟେ ଉତ୍କଳର ମଧ୍ୟ ଅଛି କିଛି ସ୍ଥାନ,

ନୈରାଶ୍ୟରେ ଆନ ଜାତି ପଦସେବା କରି

ମହୀରୁ ଓଡ଼ିଆ−ଜାତି ଯିବ ନାହିଁ ମରି,

ଧନ୍ୟ ସୁପଣ୍ଡିତ ଦୁଃଖ ରୋଗେ ରହି ମ୍ଳାନ

ସ୍ୱଦେଶକୁ ଦେଲ କିଣି ସଭ୍ୟ ଲୋକେ ସ୍ଥାନ ।

 

Unknown

ସ୍ୱର୍ଗୀୟ କବିବର ରାୟ ରାଧାନାଥ ରାୟବାହାଦୂର

(ରାଗ-ଚୋଖି)

 

ସତେ କି ହେ କବିବର            ମଧୁ ମୂରତି ତୁମ୍ଭର

ଚିରି କାଳକୁ ଲୁଚିଲା ଧରଣୀ ତଳୁଁ ।

ସେ ସୌମ୍ୟ ସୁନ୍ଦରାନନ      ଦେଖିବ ନାହିଁ ନୟନ

ଆଉ ଏ ଜୀବନେ ଆହା ଅଭାଗ୍ୟ ବଳୁଁ ।

ତବ ଶୋକେ ବିଶ୍ୱ ଉତ୍କଳ

ହୃଦୟବିଦାରୀ ଦୁଃଖେ ଘୋର ବିକଳ ।

 

ପଣ୍ଡିତ ସୁଜନ ଧୀର                  ଜ୍ଞାନୀ କବି କର୍ମବୀର

ବିନୟୀ ମଧୁରଭାଷୀ ସରଳମନା,

ବୈରାଗ୍ୟର ପ୍ରଚାରକ      ସାହିତ୍ୟର ସଂସ୍କାରକ,

ଚିରସଖୀ ଥିଲେ ତବ ଦେବୀକଳ୍ପନା,

ବୀଣାପାଣି ବରସନ୍ତାନ !

ବଢ଼ାଇଲ ତୁମ୍ଭେ ଉତ୍କଳର ସମ୍ମାନ ।

 

ଆର୍ଯ୍ୟ ତପୋଧନ ସମ            ଧରି ଅଟଳ ସଂଯମ

ପବିତ୍ର ସାହିତ୍ୟ ବ୍ରତ କଲ ପାଳନ,

ମାଦକ ଉନ୍ନାଦେ ଯେହ୍ନେ ହୁଏ ନର ତୁମ୍ଭେ ତେହ୍ନେ

ସାହିତ୍ୟେ ଆସକ୍ତ ଥିଲ ସାରା ଜୀବନ,

ଏକତାନ ମନେ ହେ ଜ୍ଞାନି ।

କବିତାକୁ ପ୍ରିୟପଣେ ଥିଲ ତ ମାନି ।

 

ଏଡ଼େ ଜ୍ଞାନୀ ସୁପଣ୍ଡିତ ହେଲେହେଁ ଥିଲ ବିନୀତ

ଅହଙ୍କାର ଦର୍ପ ଗର୍ବ ନ ଥିଲ ଜାଣି,

ସରଳ ଶିଶୁ ସମାନ            ଗୁଣଗ୍ରାହୀ ଗୁଣବାନ

ଚିରକାଳ ଶାନ୍ତିପ୍ରିୟ ଥିଲ ହେ ଜ୍ଞାନି !

ମଧୁର ରଚିତ୍ର ପ୍ରଭାବେ

ଆସିଛି ଯେ ବାରେ ମଜ୍ଜିଅଛି ସେ ଭାବେ ।

 

 

ଜ୍ଞାନୀ ମୂର୍ଖ ଧନୀ ଦୀନ      ମାନୀ ଅବା ମାନହୀନ

ସର୍ବ ଜନପ୍ରିୟ ଥିଲ ହେ ସୁଧୀବର,

ହେ ଅଦମ୍ୟ ଜ୍ଞାନବୀର      ଥିଲ ଉଦାସୀନ ଚିର,

ନୀରବରେ ପର ଦୁଃଖେ ଥିଲ କାତର,

ଦେବଦୁର୍ଲ୍ଲଭ ସେ ସ୍ୱଭାବ

ବିସ୍ତାରୁ ଉତ୍କଳ କ୍ଷୀଣ ପ୍ରାଣେ ପ୍ରଭାବ ।

ଉତ୍କଳର ଧୂଳିରେଣୁ       ମଣୁଥିଲ ରତ୍ନ−ରେଣୁ

ତବ ନେତ୍ରେ ପୁତ୍ର କ୍ଷୁଦ୍ର ତୃଣ ଉତ୍ପଳ,

ହ୍ରଦନଦୀ ଗିରିବନ            ନିକୁଞ୍ଜ ମନ୍ଦିରଗଣ

ହରାଇ ପ୍ରଣୟୀ ହେଉଛନ୍ତି ବିକଳ,

“ସାରସ୍ୱତ ଧାନେ ୟା ବିନା

ଆଜହୁଁ ଉତ୍କଳ−ଦୀପ ନିଭିଲା ସିନା ।”

ବସନ୍ତ−ପୂର୍ଣ୍ଣିମା ନିଶି ଖେଳେ ଜ୍ୟୋତ୍ସା ଦିଶି ଦିଶି,

ହସେ ଦିଗବାଳା ଶୁଭ୍ର କୌମୁଦୀ ସ୍ନେହେ,

ଶର ଭକ୍ତ ସୌନ୍ଦର୍ଯ୍ୟର      ପ୍ରିୟତମ କବିବର

ଏମନ୍ତ ସମୟେ ଗଲ ତ୍ରିଦିବ ଗେହେ,

ବିମଳ ପ୍ରଭାତ ସମୟ

ହୋଇଗଲା ସ୍ୱର୍ଣ୍ଣତନୁ ବିଭୂତିମୟ ।

ଭାସ୍ମସାର ହେଲା ଶବସେ ସୁନ୍ଦର ତତ୍ନ ତବ,

ଚିନ୍ମୟ ଶରୀରେ ଯାଇଅଛି ତ୍ରଦିବେ,

ତବ ପ୍ରିୟ “ଗ୍ରନ୍ଥାବଳୀ”      ଉତ୍କଳବାସିମଣ୍ଡଳି

ଯାବତ ଚନ୍ଦ୍ରାର୍କ ନିଶ୍ଚେ ସଞ୍ଚି ରଖିବେ

ଦେଇ ଉକ୍ତ ପୁଷ୍ପ ଚନ୍ଦନ

ତବ ଉଦ୍ଦେଶ୍ୟରେ କରି ଅର୍ଘ୍ୟ ଅର୍ପଣ ।

ଶୂନ୍ୟକରି ଯେଉଁ ସ୍ଥାନ କଲ ହେ ମହାପ୍ରସ୍ଥାନ

ରହିଲା ଅପୂର୍ଣ୍ଣ ସିନା ସେ ସିଂହାସନ,

ସେହି ଅଗାଧ ପାଣ୍ଡିତ୍ୟ      ସେହି ଅତୁଳ କବିତ୍ୱ

ହରାଇଲେ ଆଜିଠାରୁ ଉତ୍କଳ ଜନ,

କେବେ ତବ ମହା ଆଦର୍ଶ

ଉତ୍କଳ ପ୍ରାଣକୁ କବି କରିବ ସ୍ପର୍ଶ ?

 

ଭକ୍ତ କବି ରାୟବାହାଦୂର ଶ୍ରୀଯୁକ୍ତ ମଧୁସୂଧନ ରାଓଙ୍କ ପ୍ରତି

ଭକ୍ତ କବି ରାୟବାହାଦୂର

ଶ୍ରୀଯୁକ୍ତ ମଧୁସୂଧନ ରାଓଙ୍କ ପ୍ରତି

 

“ଉତ୍କଳର ଋଷି”            ଶ୍ରୀ ମଧୂସୂଧନ

ପର−ଉପକାରୀ ସାଧୁଚରିତ୍ର,

ଭଲେ ଭଣିଅଛି            ଛାନ୍ଦ ସୁଲଳିତ

ତବଗ୍ରନ୍ଥରାଜି ପୂତ ବିଚିତ୍ର ।

 

କବା ଛାନ୍ଦମାଳା କି            ସଙ୍ଗୀତମାଳା

ବସନ୍ତଗାଥା ବା କୁସୁମାଞ୍ଜଳି

କି ଉତ୍କଳଗାଥା କି            ପ୍ରବନ୍ଧମାଳା

ମଧୁର ଗମ୍ଭୀର ବଚନାବଳି ।

 

ସୁଦେଶ୍ୟ ପୁଣ୍ୟ            ରମ୍ୟ ଗ୍ରାମ୍ୟ ଛବି

ଶିଶୁ କଣ୍ଠେ “ଛାନ୍ଦ ମାଳା”ର ଗୀତ

ଆହା କି ସୁନ୍ଦର            ଆହେ ଭକ୍ତ କବି!

ରହିବ ଉତ୍କଳେ ଚିର ଜୀବତ ।

 

ଜ୍ଞାନ କର୍ମେ ପ୍ରେମେ      ଶ୍ରୀ ମଧୂସୂଧନ

“ଉତ୍କଳ−ଆଦର୍ଶ” ଘୋଷଇ ଦେଶ,

ସୁକଠୋର ନ୍ୟାୟ            ମଧୁର ଦୟାର

କେମନ୍ତ ସୁନ୍ଦର ସୁସମାବେଶ ।

 

ବିନୀତ ଗମ୍ଭୀର            ପ୍ରଶାନ୍ତ ପ୍ରଫୁଲ୍ଲ

ଦାତା ସୁଜାଗ୍ରତ ଦ୍ୱିତୀୟାଶ୍ରମୀ,

ପବିତ୍ର ଜୀବନେ            ବ୍ରହ୍ମପଦେ ଭକ୍ତି

ନିରତେ ରଖିଛ ଆହେ ସଂଯମି ।

 

କବି ଶ୍ରୀଯୁକ୍ତ ଫକୀରମୋହନ ସେନାପତିଙ୍କର ପ୍ରତି

କବି ଶ୍ରୀଯୁକ୍ତ ଫକୀରମୋହନ

ସେନାପତିଙ୍କର ପ୍ରତି

“ଉତ୍କଳ ବ୍ୟାସ” କବି ଫକୀରମୋହନ ।

ତୁମ୍ଭ ସୁକବିତାଚୟ ସୁନ୍ଦର ମୋହନ ।

ପ୍ରସାଦ−ମାଧୁର୍ଯ୍ୟ ଗୁଣେ ସରଳ ତରଳ,

କରୁଣ−ପ୍ରଶାନ୍ତ−ହାସ୍ୟ−ରସେ ଢଳ ଢଳ ।

ସ୍ୱଭାବୋକ୍ତ−ଅଳଙ୍କାରେ ସଦା ସୁମଣ୍ଡିତ,

ମାତୃଭାଷା−ମାତୃଭୂମି−ପ୍ରେମେ ପବିତ୍ରିତ ।

ବେଦ−ମହାକାବ୍ୟ−ଗୀତ−ପୂରାଣ−ପ୍ରକାଶି

ଆପ୍ୟାୟିତ କରିଅଛ ସ୍ୱଦେଶନିବାସୀ ।

ବିବିଧଘଟନାପୂର୍ଣ୍ଣ ସୁଦୀର୍ଘଜୀବନେ

ସଞ୍ଚିତ ଅମୂଳ୍ୟ ଅଭିଜ୍ଞତା ସଂଯୋଜନେ

ଲେଖିଛ ଯେ ଉପନ୍ୟାସ ଖାଣ୍ଟି ଓଡ଼ିଆରେ

ରହିବ ସେ ଚିରଦିନ ଉତ୍କଳ−ସଂସାରେ ।

ସ୍ୱଦେଶ ପ୍ରେମିକ ଏକପତ୍ନୀ ବ୍ରତେ ବ୍ରତୀ

ମାତୃଭୂମି−ପ୍ରିୟକବି ! ଘେନ ମୋ ପ୍ରଣତି ।

 

ଉତ୍କଳହିତୈଷୀ ମାନ୍ୟବର ଶ୍ରୀଯୁକ୍ତ ମଧୁସୂଦନ ଦାସ ସି. ଆି.ଇ.ଙ୍କର ପ୍ରତି

ଉତ୍କଳହିତୈଷୀ ମାନ୍ୟବର

ଶ୍ରୀଯୁକ୍ତ ମଧୁସୂଦନ ଦାସ

ସି. ଆି.ଇ.ଙ୍କର ପ୍ରତି

ଦୁଃଖିନି ଓଡ଼ିଶା−ସୁଯୋଗ୍ୟ ସୁତ ମଧୁସୁଧନ !

ଦେଖ ତୁମ୍ଭ ଲାଗି ପ୍ରଫୁଲ୍ଲ ଜନ୍ମଭୂମି−ବଦନ ।

ମାତୃଭୂମି କୁଳପାବନ ସୁସନ୍ତାନ ରତନ,

କୋଟି ସୁତ ଏଡ଼ି ଚାହାନ୍ତି ମାତା ତୁମ୍ଭ ବଦନ ।

ନିଭକ ଚତୁର ପଣ୍ଡିତ ବକ୍ତା ଉଦ୍ୟମୀ ଦାତା

ବିପନ୍ନ−ଦରିଦ୍ର−ସହାୟ ଜନଶୁଭାନୁଷ୍ଠାତା ।

 

ତୁମ ପରି ପୁତ୍ର ପାଇଣ ଜନ୍ମଭୂମି ଜନନୀ

ପୁତ୍ରବତୀ ବୋଲି ମଣଇ ଆପଣାକୁ ସେ ଧନୀ ।

ଜନ୍ମଭୂମି−ଦୁଃଖ ଜଣାଉଅଛ ବ୍ରିଟେନ ପାଶେ,

ଶିଳ୍ପ ବ୍ୟବସାୟେ ଲାଗିଛ ଦେଶ−ଉତଥାନ−ଆଶେ ।

 

ଆହେ କର୍ମବୀର ସ୍ୱଦେଶ ପାଇଁ କରିଛି ଯାହା,

ଅଳପ ହେଲେହେଁ ଏ ଦେଶ ପକ୍ଷେ ଦୁର୍ଲ୍ଲଭ ତାହା ।

ସର୍ବ ଓଡ଼ିଆଙ୍କ ମିଳନେ ଜାତି−ଉନ୍ନତି ପାଇଁ

ଜାତୀୟ ସମିତି କଲ ହେ ଜ୍ୟେଷ୍ଠ ସୁବିଜ୍ଞ ଭାଇ !

 

ପଡ଼ିଛି ଦୁଃଖିନୀ ଓଡ଼ିଶା ଚିର ବିଷାଦ−ପଙ୍କେ,

ଚଉଦିଗେ କେବେ ଚାହିଁବ ଉଠି ବସି ନିଃସଙ୍କେ ?

ଘୋର ଅମାନିଶା−ଅନ୍ଧାର−ମଗ୍ନ ଉତ୍କଳ ଦେଶ

ହସିବ କି ନବ ପ୍ରଭାତେ ପିନ୍ଧି ବିମଳ ବେଶ ?

 

ଯେତେକାଳ ଥିବ ଓଡ଼ିଆ ଜାତି; ଇତିହାସରେ

ଥିବ ତୁମ୍ଭ ନାମ ଅଙ୍କିତ ହେମମୟ ଅକ୍ଷରେ ।

ଚାଲି ଯିବେ ସର୍ବେ ରହିବେ ନାହିଁ କେହି ମହୀରେ

ଯଶୋଦେହେ ବଞ୍ଚି ରହିବେ ମାତ୍ର ନିଃସ୍ୱାର୍ଥ ବୀରେ ।

 

ବକ୍ତା ଶ୍ରୀଯୁକ୍ତ ବିଶ୍ୱନାଥ କର

 

“ବିବିଧ ପ୍ରବନ୍ଧ”ସାର ସନ୍ଦର୍ଭ ରଚକ,

“ଉତ୍କଳ ସାହିତ୍ୟ” ପ୍ରତିଷ୍ଠାତା ସମ୍ପାଦକ,

ସତକାବ୍ୟ ଗୁଣଗ୍ରାହକ ଶଙ୍କାହୀନଚିତ୍ତ

ଅପ୍ରିୟ ସତ୍ୟକଥନେ ସଦା ଅକୁଣ୍ଠିତ,

ସରଳନିର୍ଭାକ ପ୍ରାଣ ସତ୍ୟରାଜ୍ୟବାସୀ,

ମିଷ୍ଟଭାଷୀ ସଦାଳାପି ସଂସ୍କାରପ୍ରୟାସୀ;

 

ତେଜସ୍ୱା ସୁବକ୍ତାପଣେ ବିଖ୍ୟାତ ଦେଶରେ

ମହାନନ୍ଦେ ଯା ବକ୍ତୃତା ଶୁଣୁଥନ୍ତି ନରେ

ବ୍ରହ୍ନପଦେ ସଦା ଯାର ଅଚଳା ଭକତି

ପର ଉପକାର ସଦା ଥାଏ ଯାର ମତି ।

 

ପ୍ରତିବାସୀ, ବାଲ୍ୟଗୁରୁ, ସଖା ଯୌବନର !

ଭକ୍ତି, କୃତଜ୍ଞତା ମୋର ଅର୍ପିଲି ଶ୍ରୀକର ।

କାହିଁ ଗଲା ସେ ମଧୁର ସ୍ନେହ ଅତୀତର,

କିଛିନୁହେ ଚିର ଭବେ ସମସ୍ତ ନଶ୍ୱର ।

 

କନିକାଧୀଶ୍ୱର ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ଭଞ୍ଜଙ୍କ ଭାରତ−ପ୍ରତ୍ୟାଗମନ ଉପଲକ୍ଷରେ ରଚିତ

କନିକାଧୀଶ୍ୱର

ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ଭଞ୍ଜଙ୍କ

ଭାରତ−ପ୍ରତ୍ୟାଗମନ ଉପଲକ୍ଷରେ ରଚିତ

 

ଉତ୍କଳ−ଜନନୀ ଆଜି ଆହ୍ଲାଦେ

ଉକ୍ତି−ଅଶ୍ରୁ ବର୍ଜି ଶ୍ରୀହରି−ପାଦେ,

ବିସୋରିଣ ଘୋର ଦାରିଦ୍ର୍ୟ ଦୁଃଖେ

ବାହୁ ପ୍ରସାରିଣ ଗଦ୍‌ଗଦ ସୁଖେ,

ଦିଅନ୍ତି ସ୍ନେହାଲିଙ୍ଗନେ

ମହାସିନ୍ଧୁପାରୁଁ            ଶୁଭେ ପ୍ରତ୍ୟାଗତ

ତ ହାର ପ୍ରିୟ ନନ୍ଦନେ ।

 

ଦେବବାଳା ଗାଇ ସ୍ୱାଗତ ଗାନ,

ସଜାଡ଼ି ନୈବେଦ୍ୟ ଚାଙ୍ଗଡ଼ାମାନ,

ବନ୍ଦାପନା−ଥଳୀ ଶ୍ରୀକରେ ଧରି,

ପୁଷ୍ପବୃଷ୍ଟି କରି ମସ୍ତକୋପରି,

କରନ୍ତି ପ୍ରେମେ ଆରତି

ଶ୍ରୀ ରାଜା−ରାଜେନ୍ଦ୍ର            ନାରାୟଣ ଭଞ୍ଜେ

କନିକାସୁନ୍ଦରୀ ପତି ।

 

କହନ୍ତି ଉତ୍କଳ ଶୁଣ ନନ୍ଦନ,

ଶୁଭେ ବିଦେଶରୁ ପ୍ରତ୍ୟାଗମନ

ପୁଣ୍ୟ ଧର୍ମବଳେ କଲୁ ଭୋ ସୁତ !

ଦେଖି ଆସିଲ ସେ ରାଜ୍ୟ ଅଦ୍ଭୁତ,

ମହା କର୍ମ−ଯଜ୍ଞ ସ୍ଥଳ

ଜ୍ଞାନ−ବିଭାବସି            ଯହିଁ ପ୍ରତିଭାତି

ଝଲସାଏ ଭୂମଣ୍ଡଳ ।

 

କେତେ କର୍ମବୀର ଶୂରପ୍ରବର

ବାଗ୍ମୀ କବି ଋଷି ଜ୍ଞାନୀ ଅମର

ଜନମି ଯେ ମହା ଦେଶ−ଅଙ୍କରେ

ଦେବତ୍ୱ ସ୍ଥାପିଲେ ଏ ଭୂବନରେ,

ତ୍ରିଦିବ−ଦେବତାଗଣ

ବିଜ୍ଞାନ−ଗୁମାନେ            ଅଦ୍ଭୁତ ବିଧାନେ

କଲେ ପରିଚରପଣ ।

 

ପ୍ରାଚ୍ୟ−ପ୍ରତିଚ୍ୟର ଶୁଭ−ସଙ୍ଗମେ

ଜ୍ଞାନଭକ୍ତି ସହ ଭେଟାଅ କର୍ମେ,

ଅଧ୍ୟାତ୍ମା−ଉନ୍ନତି ବିଷୟ କର୍ମ

ମାତ୍ତିକ ସହିତେ ରାଜସ ଧର୍ମ

କରି ମହା ସମନ୍ୱୟ

କ୍ଷୁଦ୍ରସ୍ୱାର୍ଥ ଭେଦ            ଘୁଞ୍ଚାଅ ବିକ୍ରମେ

ଦେଉ ଭବେ ଧର୍ମ ଜୟ ।

 

କ୍ଷୁଦ୍ର ଜାତି−ବର୍ଣ୍ଣ ରୀତି−ବିଭେଦ

ମାନବେ ମାନବେ ଅସାର−ଭେଦ

ହୋଇଯାଉ ଦୂର ସଂଶୟ ଭୟ;

ମହୋଦାର ମନୁଷ୍ୟତାର ଜୟ

ହେଉ ଏ ମାନବାବାସେ,

ସାମ୍ୟ−ମୈତ୍ରୀ−ସ୍ୱାଧୀନତା−ଧ୍ୱଜା−ଉଡ଼ୁ

ଶାଶ୍ୱତ ବ୍ରହ୍ନାଣ୍ଡାକାଶେ ।

 

ପ୍ରବଳ ପ୍ରତାପ ଭାରତ ସମ୍ରାଟ ସପ୍ତମ ଏଡ଼୍ଉଆଡ଼୍‌ଙ୍କ ଅଭିଷେକ−ଗୀତ

ପ୍ରବଳ ପ୍ରତାପ ଭାରତ ସମ୍ରାଟ ସପ୍ତମ

ଏଡ଼୍ଉଆଡ଼୍‌ଙ୍କ ଅଭିଷେକ−ଗୀତ

(ରାଗ ଧନୀ)

 

ଜୟ ଇଂଲଣ୍ଡେଶ            ଭାରତସମ୍ରାଟ,

ଅର୍ଦ୍ଧଧରା−ଅଧିପତି ।

ଶୁଭ ଅଭିଷେକ            ଉଦ୍ଦେଶ୍ୟରେ ତବ

ଆନନ୍ଦ ହୁଅଇ ଅତ,

ନବ ଇନ୍ଦ୍ରପ୍ରସ୍ଥରେ

ଭାରତର ଦିଗଦିଗନ୍ତରେ ।

 

ଭିକାଚୋରିଆ ସତୀ            ମାତା ଦୟାବତୀ

ଥିଲେ ଭାରତର ମିତ୍ର,

ଶ୍ରୀଛାମୁ ଭ୍ରମିଣ            ଭାରତ−ଭୂମିରେ

କରିଛ ଅନୁଗୃହୀ

ଭାରତୀୟ ରାଜନେ

କଲ ସମ୍ମାନିତ ନିମନ୍ତ୍ରଣେ ।

 

ପ୍ରାଚୀନ ସଭ୍ୟତା            ଗୌରବ−ମଣ୍ଡିତ

ପୁରାତନ ଏ ଭାରତ,

ବିଧାତା ଆଦେଶେ            ମଙ୍ଗଳ ଉଦ୍ଦେଶେ

ଆଜିତବ କରଗତ,

ନବ ସଭ୍ୟ ବିଧାନେ

ଆରେହେ ସେ ଉନ୍ନତି−ସୋପାନେ ।

 

ନବ−ଜ୍ଞାନ−ନବ            ବିଜ୍ଞାନ−କୌଶଳ

ନବୀନ ସ୍ୱଦେଶ−ହିତ

ନବୀନ ସଭ୍ୟତା−            ଆଲୋକେ ପ୍ରାଚୀନ

ଭୂଭାରତ ଉଦ୍ଭାସିତ,

ସର୍ବ ଭାରତ ସୁତ

ଭୁଲି ଭେଦ, ଭ୍ରାତୃ−ଭାବେ ଯୁତ ।

 

ପ୍ରସିଦ୍ଧ ପବିତ୍ର            ଏ ଉତ୍କଳ−ଭୂମି

ପଡ଼ିଥିଲା ଦୁଃଖ−ପଙ୍କେ,

ଶାନ୍ତି କୋହିନୁର ଭୋ            ଇଂକେଜ ରାଜ

ଦେଇଅଛି ଆସି ରଙ୍କେ,

ବିଶ୍ୱ ଭାରତ ସହ

ଗାଏ ଏ ଉତ୍କଳ ତୁମ୍ଭ ଜୟ ।

 

ଦୁଃଖୀ ଉତ୍କଳର            ବିବିଧ ଅଭାବ

ନ କହିବି କିଛି ଆଜ,

ବିଚ୍ଛିନ୍ନ ଓଡ଼ିଆ            ଭାଷୀ ଦେଶ ଖଣ୍ଡେ

କର ଯୁକ୍ତ ମହାରାଜ

ଭାଇ ଭାଇ ମିଳନ

କରୁ ଦ୍ୱିଗୁଣ ଜୟ ଗାୟନ ।

 

ଜନ୍ମଭୂମି

ତୃତୀୟ ଭାଗ

 

ପରଲୋକଗତ ମଧୁସୁଦନ

 

କାହିଁ ଗଲ ଆହେ ଶ୍ରୀ ମଧୁସୂଦନ

ତେଜି କର୍ମମୟ ଧରଣୀ

ତୁମ୍ଭ ବିଚ୍ଛେଦରେ ବିଷାଦ କାତରେ

କାନ୍ଦନ୍ତି ଉତ୍କଳ ଜନନୀ,

କାଳରେ ! କି ଦାରୁଣ ତୋ’ ଏ ବିଧି

କହ କହ କାଳ ଲୁଚାଇଲୁ କାହିଁ

ଅମୂଲ୍ୟ ସଂପଦ ସେ ନିଧି ?

 

ଉତ୍କଳ ଗଗନୁଁ ଖସି ପଡ଼ିଲା ରେ

ଉଜ୍ଜ୍ୱଳ ଜ୍ୟୋତିଷ୍କ ସୁନ୍ଦର

ଉତ୍କଳ ଗଳାରୁ ରତନ ମାଳାରୁ

ହଜିଲ୍ଲା ମାଣିକ୍ୟ ମଧୁର,

ଆହାରେ ! ଉତ୍କଳ–ନନ୍ଦକାନନୁ

ପୂଜା–ପାରିଜାତ ଝଡ଼ିଲା, ନିଭିଲା

ରତ୍ନଦୀପ ବାଣୀ ଭବନ୍ତୁ ।

 

ଉତ୍କଳ–ବାଣୀଙ୍କ ବାଜେଣା ବୀଣାରୁ

ଝଡ଼ିଗଲା ତା’ର ସୁସ୍ୱର

ଭାରତ ମାନସେ ଉତ୍କଳ–ପଦ୍ମିନୀ

ହେଲେ ମଧୁହୀନା ନିକର,

ହେ ମଧୁ ! ମଧୁହୀନ ଏବେ ଜୀବନ

ମଧୁହୀନ ହେଲା କଟକ ନଗର,

ମଧୁହୀନ ବିଶ୍ୱଭୁବନ ।

 

ଜଣକ ବିହୁନେ କେତେ କେତେ ସ୍ଥାନ

ଶୂନ୍ୟ ହୋଇଗଲା ଏ ଦେଶେ,

କେତେକାଳ ଆହା ଶୂନ୍ୟ ଥିବ ତାହା

ପୂର୍ଣ୍ଣ ତା କରିବ କିଏ ସେ ?

ବିଭୁ ହେ ! ବିଚିତ୍ର ତୁମ୍ଭର ବିଧାନ,

ତବ ଶୁଭ ଇଚ୍ଛାବଳେ ଯଥାକାଳେ

ପଠାଇଲ ସ୍ୱର୍ଗୁଁ ଆହ୍ୱାନ ।

 

ଚିର ବ୍ରହ୍ମନିଷ୍ଠ ଏକେଶ୍ୱରବାଦୀ

ନିରାକାର ବ୍ରହ୍ମୋପାସକ,

ବିଜ୍ଞାନ ଉଜ୍ଜ୍ୱଳ ଧର୍ମପ୍ରଚାରକ

ସମାଜର ସୁସଂସ୍କାରକ,

ଋଷି ହେ ! ପୁରାଣ ବ୍ରହ୍ମତତ୍ତ୍ୱଦର୍ଶୀ,

ଉତ୍କଳର ବ୍ରାହ୍ମ ନକ୍ଷତ୍ରମଣ୍ଡଳ

ମଧ୍ୟେ ଶାରଦ ରାକା ଶଶୀ ।

 

ପ୍ରାଚ୍ୟ ଜ୍ଞାନଭକ୍ତି ପ୍ରତୀଚ୍ୟ କର୍ମର

ଶୁଭ ସମାବେଶ ସୁନ୍ଦର,

ସୁକଠୋର ନ୍ୟାୟ, ସୁକୋମଳ ଦୟା

ଶୁଭ ପରିଣୟେ ମଧୁର,

ଉଦାର, ଅସଂକୀର୍ଣ୍ଣ ବିଶ୍ୱଜନୀନ

ନିଖିଳ ମାନବମଣ୍ଡଳୀ ମଧ୍ୟରେ

ଆତ୍ମା–ପର–ଜ୍ଞାନବିହୀନ ।

 

ଭକ୍ତିପ୍ରସ୍ରବଣ ଥିଲା ମହାପ୍ରାଣ

ପବିତ୍ର ବ୍ରହ୍ମ ପୂଜାବେଳେ

ଦର ଦର ଧାରେ ପ୍ରେମାଶ୍ରୁ ପ୍ରବାହ

ବହଇ ଶୁଭ୍ର ଗଣ୍ଡସ୍ଥଳେ;

ଭକ୍ତ ହେ ! ଥିଲ ବ୍ରହ୍ମନିଷ୍ଠ ବୈରାଗୀ,

ନିର୍ଲିପ୍ତ ସଂସାରୀ ଦାତା ମିତାଚାରୀ

ଜନପ୍ରେମୀ ସ୍ୱାର୍ଥ–ତିଆଗୀ ।

 

ପିତୃମାତୃଭକ୍ତ ସଂଯତ ଚରିତ୍ର

ସୋଦର–ସନ୍ତାନବତ୍ସଳ,

ବନ୍ଧୁଜନ ପ୍ରିୟ ପରଉପକାରୀ

ସ୍ୱଦେଶପ୍ରେମିକ ସରଳ;

ଗୁଣୀ ହେ ! ଦାନ କରୁଥିଲ ଗୋପନେ

କାହା ପ୍ରାଣେ କେବେ ନ ଦେଇଣ ବ୍ୟଥା

ତୋଷୁଥିଲ ମଧୁ ବଚନେ ।

 

ଆଦର୍ଶ ଶିକ୍ଷକ ତେଜସ୍ୱୀ ନିର୍ଭୀକ

ସ୍ନେହଶୀଳ କୃପା କରୁଣ,

ବଜ୍ର–ଦୃଢ଼–ହୃଦ କୁସୁମ କୋମଳ

ଭୀମକାନ୍ତ ମଧୁ ମିଳନ;

ଜ୍ଞାନି ହେ ! ଗଭୀର ପାଣ୍ଡିତ୍ୟ ଆଧାର,

ସାହିତ୍ୟ, ଗଣିତ, ଭାଷା ଧର୍ମତତ୍ତ୍ୱ

ଆଦି କେତେ ଜ୍ଞାନଭଣ୍ଡାର ।

 

୧୦

ଜ୍ଞାନ, ବୁଦ୍ଧି ବଳେ କ୍ରମଶଃ ଉତ୍କଳେ

ଶିକ୍ଷା ଶୀର୍ଷ ସ୍ଥାନ ମଣ୍ଡିଲ,

ଜ୍ଞାନାର୍ଜନ ତୃଷ୍ଣା, ସ୍ୱତର୍ତ୍ତବ୍ୟନିଷ୍ଠା

ଆଦର୍ଶ ଦେଖାଇ ଚଳିଲ;

କର୍ମୀ ହେ ! କରୁଣା କୋମଳ ବେଭାରେ

ଜ୍ଞାନଚର୍ଚ୍ଚା ସ୍ରୋତ କଲ ପ୍ରବାହିତ

ନିଖିଳ ଉତ୍କଳ ସଂସାରେ ।

 

୧୧

ବୀଣାପାଣୀ ବରପୁତ୍ର ଭକ୍ତକବି

ପବିତ୍ର ଗମ୍ଭୀର ରଚନା,

ଉତ୍କଳୀୟ ଛାନ୍ଦେ ପ୍ରବନ୍ଧ ସଙ୍ଗୀତେ

କଲା ନବଯୁଗ ସୂଚନା;

କବି ହେ ! ତପସ୍ୱିନୀ ସମ କଳ୍ପନା

ସରଜି ପବିତ୍ର ସଂଯତ ସାହିତ୍ୟ

କଲ ବାଣୀ ଅର୍ଘ୍ୟ ରଚନା ।

 

୧୨

ଉତ୍କଳର ଗ୍ରାମେ ଗ୍ରାମେ ତବ ନାମ

ଘୋଷିତ ହୁଅଇ ହେ କବି,

ପ୍ରତି ବିଦ୍ୟାଳୟେ, କୋମଳ ହୃଦୟେ

ବିମ୍ବିତ ତବ ଜ୍ଞାନ–ରବି;

ଗୁରୁ ହେ ! ସାହିତ୍ୟକ୍ଷେତ୍ରେ ମହାରଥୀ,

ତବ ସମ ସୁତ ଅଙ୍କେ ଧରି ସିନା

ମାତୃଭୂମି ଯେ ସୁତବତୀ ।

 

୧୩

ରାଧାନାଥ ସଙ୍ଗେ ହେ ମଧୁସୂଦନ,

ଚିରସଖ୍ୟ, ଚିରମିଳନନ,

ଯୌବନେ, ବାର୍ଦ୍ଧକ୍ୟେ, ଗୃହେ, କର୍ମକ୍ଷେତ୍ରେ

ଯେସନ ନରନାରାୟଣ;

ପ୍ରାଣାନ୍ତେ, ଏକତ୍ର ବେନିଙ୍କ ସମାଧି

ବେନିଏ ଏକତ୍ର ଲଭିଲ ବିରାମ

ଏକତ୍ର କର୍ମଯୋଗ ସାଧି ।

 

୧୪

କେତେ ଥର କେତେ ମୃତ୍ୟୁଶଯ୍ୟା ପାଶେ

କରୁଥିଲ ବିଭୁ ପ୍ରାର୍ଥନା,

ପ୍ରାଣସ୍ପର୍ଶୀ ବାଣୀ ଲଭୁଥିଲେ ଶୁଣି

ମୁମୂର୍ଷୁ ଅଭୟ ସାନ୍ତ୍ୱନା;

ବିଶ୍ୱାସି ! ଅଭୟ ବ୍ରହ୍ମପାଦପଦେ,

ସାରା ଜୀବନରେ ସଂଚିତ ପୁଣ୍ୟରେ

ଆଶ୍ରୟ ଲଭ ଦିବ୍ୟ ସଦ୍ମେ ।

 

୧୫

ଭବ ପରପାରେ ବ୍ରହ୍ମର୍ଷିମଣ୍ଡଳେ

ପାଇ ସ୍ନେହ ପ୍ରେମାଲିଙ୍ଗନ,

ଦିବ୍ୟଧାମେ ଦେବ ସୁର ସଭାମଧ୍ୟେ

ପାଇଅଛ ଦିବ୍ୟ ଆସନ;

ଦେବ ହେ ! ପବିତ୍ର ମଧୁର ଜୀବନ

ନିଖିଳ ଉତ୍କଳେ ମାନବ ମଣ୍ଡଳ

କରୁଁ ସର୍ବେ ଅନୁକରଣ ।

 

୧୬

ସେ ସୁନ୍ଦର ମୂର୍ତ୍ତି, ସେ ସୌମ୍ୟ ବଦନ

ମଧୁର କୋମଳ ବଚନ

ସହାନୁଭୂତିରେ ସଦା ପୂର୍ଣ୍ଣ ପ୍ରାଣ

ନ କରିପାରେ ବିସ୍ମରଣ,

ହ ଦେବ ! ନ ଦେଇ ପାରିବ ବିଦାୟ,

ସମ୍ପଦେ, ବିପଦେ, ସ୍ମରେ ତବ ପାଦେ

ହୁଅ ହେ ମୋ ଚିର ସହାୟ ।

 

୧୭

ହେ ବରେଣ୍ୟ ଦେବ ଶ୍ରୀଚରଣେ ତବ

ହୁଏଁ ମୁଁ ଭୂମିଷ୍ଠ ପ୍ରଣତ,

ଯାବତ ଜୀବନ ଆଦର୍ଶ ସ୍ୱରୂପେ

ବିରାଜ ମୋ’ ପ୍ରାଣେ ସନ୍ତତ;

ହେ ଦେବ ! ଉତ୍କଳର ଇତିହାସରେ

“ଶ୍ରୀ ମଧୁସୁଦନ ଭକ୍ତକବି” ନାମ

ରହିଲା ସୁବର୍ଣ୍ଣ ଅକ୍ଷରେ ।

 

ଋଷି ମଧୁସୂଦନ

(ରାଗ-କଳହଂସକେଦାର)

ନାହାନ୍ତି ଆଉ ପ୍ରାଣେ ମଧୁସୂଦନ

ନ ଦେଖିବ ନେତ୍ର ସେ ଚାରୁ ବଦନ ।

ସୁନ୍ଦର ସହାସ ସେ ରୂପ ମୋହନ

ନ ଦେଖିବ ଆଉ ଏ ଲୋକଲୋଚନ ।

 

ଅଚିନ୍ତା ନିଦ୍ରା ଦେବ ଭଜିଲ କାହିଁ,

ସେ ନିଦ୍ରାରେ କି ସ୍ନେହ ମମତା ନାହିଁ ?

ନାନା ଦୁଃଖେ ଦୁଃଖିନୀ ଉତ୍କଳ–ମାତା

ତା ଦୁଃଖ କିଏ ନେବ ହେ ପୂଜ୍ୟଭ୍ରାତା !

 

କିଏ ଭକ୍ତ ବତ୍ସଳ ଶ୍ରୀପଦେ ଆଉ

ଜଣାଇବ ଉତ୍କଳ ଦୁର୍ଭାଗ୍ୟ ଦାଉ

ଦେଶର ନାନା ପାପତାପ ଦୀନତା,

ଦୁଃଖିତ ହେବ କିଏ କହି ସେ କଥା ?

 

କିଏ ଆଚାର୍ଯ୍ୟ ଆଉ ବ୍ରହ୍ମୋପାସନା,

କରି ଉତ୍କଳେ ଦେବ ଶିକ୍ଷା ସାନ୍ତ୍ୱନା ?

ସେ ଗମ୍ଭୀର ପବିତ୍ର ସୁନ୍ଦର ଲେଖା

ଆଉ କି ଭକ୍ତକବି ନ ଦେବ ଦେଖା ?

 

ଋଷି ସ୍ୱଦେଶଭକ୍ତ କବି ପଣ୍ଡିତ !

ଏ କଥାରେ କି ଆଉ ହେବ ଉଦିତ ?

କର୍ତ୍ତବ୍ୟନିଷ୍ଠା ଚରିତ୍ରର ମହିମା

ସାଧୁଶୀଳତା ଗାଢ଼ ଜ୍ଞାନ ଗରିମା,

ଅମୃତ ପ୍ରିୟବାଣୀ ସହାନୁଭୂତି,

ଅତିଥିସେବା ଶିଷ୍ଟ ବିଚାର ଯୁକ୍ତି ?

 

ଉତ୍କଳ ଭାରତୀଙ୍କ ପ୍ରିୟ ନନ୍ଦନ,

ଉତ୍କଳପ୍ରବନ୍ଧର ସୃଷ୍ଟି କାରଣ,

ବ୍ରହ୍ମ ସଙ୍ଗୀତ ଆଦି ସୁପ୍ରଚାରକ

ଭାଷାତତ୍ତ୍ୱର ଆଦି–ସୁପ୍ରବର୍ତ୍ତକ,

କେଉଁଆଡ଼େ ଗଲ ହେ ପଣ୍ଡିତ କବି

ଦିଶି ଯାଉଛି ତବ ସୁନ୍ଦର ଛବି ।

 

କିଛି ତ ଦୋଷ ଦିଶୁ ନାହିଁ ତୁମ୍ଭର

ଦେବତାରୂପେ ଦିଶ ନେତ୍ରେ ମୋହର ।

ଆଦର୍ଶ ରୂପେ ଆହେ ସାଧୁ ମନୀଷୀ

ମୋ ପ୍ରାଣେ ବିଭାସିତ ଦିବସ ନିଶି

ଜାଗ୍ରତେ ମଧୁ ଦେଖେଁ ମଧୁ ସ୍ୱପନେ,

ପ୍ରଭାବିତ କର ମୋ ସାରା ଜୀବନେ ।

 

ଭକ୍ତ ଜୀବନ ଭକ୍ତ–ଚିନ୍ତା–ବଚନ

ଭକ୍ତ ଲେଖନୀ ଭକ୍ତ ଭଙ୍ଗି ସ୍ୱପନ ।

ବ୍ରହ୍ମୋପାସନା ବେଳେ ନୟନୁଁ ନୀର

ଝରି ସ୍ୱର୍ଗୀୟ ଦୃଶ୍ୟ ସୃକେ ମହୀର ।

 

ସେ ଦିବ୍ୟ ଦୃଶ୍ୟ କିହେ ଚିର ଜୀବନ

ଆଉ ଦେଖିବ ନାହିଁ ମର ନୟନ ?

ସ୍ୱର୍ଗ ବିହଙ୍ଗ ତେଜି ଦେହ–ପିଞ୍ଜର

ତେଜି ମୋହ ବନ୍ଧନ କ୍ଷୁଦ୍ର ଭାବର

ରଚିଛି ନୀଡ଼ ମନ୍ଦାକିନୀର ତଟେ

କେଉଁ ନନ୍ଦନ ବନେ କଳପ ବଟେ ।

 

ଆଉ ତ ନାହିଁ ତାର ଫେରିବା ଆଶା

ସେ ଦେଶୁଁ ଏ ଦେଶକୁ, କିମ୍ପା ଦୁରାଶା !

ସଂସାର ଦୁଃଖ ତାପ ଭୋଗ ଜଞ୍ଜାଳ,

ଆଉ ସେ ପ୍ରାଣେ କରୁ ନାହିଁ କଟାଳ ।

 

 

ମହା ବିକ୍ରମେ ଯୁଝି ଭବ–ସଂଗ୍ରାମେ

ଲଭିଛି ଚିରଶାନ୍ତ ସ୍ୱର୍ଗୀୟଧାମେ ।

ସଂସାର ଖେଳ ସାରି ଶିଶୁ ଅଥୟ

ମାତୃ–ଅଭୟ ଅଙ୍କ ନେଲା ଆଶ୍ରୟ ।

 

ଆଗ ପଛ ହୋଇଣ ସମସ୍ତେ ଯିବା

ସେହି ଅଜ୍ଞାତ ଲୋକେ ସର୍ବେ ମିଳିବା ।

ଯେତେ ଏ ଭବେ ନଦନଦୀ ଅଛନ୍ତି

ସମସ୍ତେ ଶେଷେ ସିନ୍ଧୁ ଗର୍ଭେ ମିଶନ୍ତି ।

 

ସୁରଭି ଫୁଲ ବୃନ୍ତୁଁ ପଡ଼ିଛି ଝଡି,

ଉଜ୍ଜ୍ୱଳ ତାରା ନଭୁଁ ଯାଇଛି ପଡ଼ି ।

ଯାଇଛି ଛିଡ଼ି ମଧୁବୀଣାର ତାର

ଶୁଖି ଯାଇଛି ନଦୀଶଯ୍ୟାରୁ ଧାର ।

 

ଏ ଜଗତେ ନୁହେଁ ତ କିଛି ହଁ ଚିର

ତେବେ ରେ ପ୍ରାଣ କିପାଁ ହେଉ ଅସ୍ଥିର

ଯାଇଛି ଫୁଲ ଅଛି ସୁବାସ ତାର

ଯାଇଛି ତାରା ପ୍ରଭା ଅଛି ତାହାର ।

 

 

ନୀରବ ବୀଣା, ସ୍ୱର ସ୍ମୃତି–ଶ୍ରବଣେ,

ଶୁଖିଛି ଧାରା ବହେ ବିଶ୍ୱ ଜୀବନେ ।

କହନ୍ତି ସାଧୁ ଆତ୍ମା ସ୍ୱରାଗ ପୁରୁଁ,

ପବିତ୍ର ବାଣୀ ପାଣେ ପ୍ରବେଶ ଦୂରୁଁ ।

 

ତରୁ ବଲ୍ଲରୀ ପଶୁ ପକ୍ଷୀ ଜୀଅନ୍ତି,

ସାଧୁ ମରିଣ ମୃତ୍ୟୁଞ୍ଜୟ ହୁଅନ୍ତି ।

ସୁକୃତିମନ୍ତ ସାଧୁ ବଞ୍ଚିବ ଚିର,

ସ୍ଥାପି ଆଦର୍ଶ ମୂର୍ତ୍ତି ପ୍ରାଣ ମନ୍ଦିର ।

 

ଜୀବନେ ନ ଶୁଣିଲ ମୋର ବଚନ,

ବିଫଳ କଲ ମୋର ଯେତେ ଯତନ ।

ଏବେ ଜୀବନେ ପାଳ ମୋ ଉପଦେଶ,

ନ କର ଏ ଜୀବନ ଉଦାସେ ଶେଷ ।

 

ଦୁର୍ଲ୍ଲଭ ଏ ଜୀବନ ପ୍ରଭୁ ପ୍ରସାଦ

ବିଭୁଙ୍କ ଇଚ୍ଛା ଏହି ଜୀବନେ ସାଧ ।

ଦେଖ ଦେଶର କେତେ କେତେ ଦୁର୍ଦ୍ଦଶା

କେତେ ଦୁଃଖେ ଜନମଭୁମି ବିବଶା !

 

 

ସହସ୍ର ମଧ୍ୟ ହରି କଲେ ଆହ୍ୱାନ,

ତାଙ୍କର ଶ୍ରୀଚରଣେ ସମର୍ପ ପ୍ରାଣ ।

ମହାନ ଭବିଷ୍ୟତ ଦେଖ ଅଗ୍ରତେ,

ଜୀବନ ବ୍ୟର୍ଥ କେବେ ନୁହେଁ ଜଗତେ ।

 

ଶୁଣ ଅମୃତପୁତ୍ର ମାନବଗଣ !

ବ୍ରହ୍ମ ହିଁ ମାନବର ଲକ୍ଷ୍ୟ ସାଧନ ।

ଭାରତର ସମ୍ବଳ ସେ ବ୍ରହ୍ମଜ୍ଞାନ,

ଭାରତର କଲ୍ୟାଣ ବ୍ରହ୍ମ ବିଧାନ

 

ଏକ ସେ ବ୍ରହ୍ମ ସର୍ବ ମାନବ ପାତା,

ସକଳ ନରନାରୀ ଭଗିନୀ ଭ୍ରାତା

ଭକ୍ତବତ୍ସଳ ହରି ଶ୍ରୀପଦ ତଳେ

ବସ ଭକତ ସଙ୍ଗେ ମନ ନିର୍ମଳେ ।

 

ସେ ପଦେ ଇହ ପର ପ୍ରଭେଦ ନାହିଁ,

ଚିରଜୀବନ ଲୀଳା ମରଣ କାହିଁ ?

ସ୍ୱର୍ଗ–ସୋପାନ ମୃତ୍ୟୁ ସେ ପଦତଳେ,

ଲୀଳା କରନ୍ତି ହରି ଭକ୍ତମଣ୍ଡଳେ ।

 

 

ସେଠାରେ ମୋତେ ସଦା କର ଦର୍ଶନ,

ବିକଳ ହେଲେ ସେଥି କର ଗମନ ।

ଏହି ଆଦର୍ଶେ କର ସାଧୁ ଜୀବନ,

ଆଦର୍ଶ ରୂପେ ଯାପ ନିଜ ଜୀବନ ।

 

ମୋର ଜୀବନେ ଫଳ ଫଳିବ ଯେବେ,

ଯଥାର୍ଥ ଶ୍ରାଦ୍ଧ ହେବ ମୋହର ତେବେ ।

ହେ ଗୁରୁ ଅପରାଧୀ ମୁଁ ଶ୍ରୀଚରଣେ,

ବିଫଳ କଲି ମୁହିଁ ସ୍ନେହ ଯତନେ ।

 

ମୁଁ ଯେ ଦୁର୍ବଳ ଅବିଶ୍ୱାସୀ ଅଜ୍ଞାନ

ଶ୍ରୀମୁଖେ ସ୍ୱର୍ଗୁଁ ମୋତେ କର କଲ୍ୟାଣ ।

ହେ ଦେବ ! ପ୍ରଭାବିତ କର ଜୀବନେ

ଉଦ୍‌ବୋଧିତ ହୁଏ ମୁଁ ତବ ବଚନେ ।

 

ପ୍ରାର୍ଥନାଶୀଳ ହେଉ ଏ ମୋର ପ୍ରାଣ,

ସ୍ୱାର୍ଥ ଆଶଙ୍କା ଦୂରେ କରୁ ପ୍ରୟାଣ ।

ପ୍ରତି ବଚନ ମୋତେ ଅଭ୍ରାନ୍ତି ବେଦ,

ଯାଇଛ ଚାଲି ବୋଲି ନ ରହୁ ଖେଦ ।

ସ୍ୱାର୍ଥ ମମତା ଖେଦ ତେଜୁ ଏ ଚିତ୍ତ,

ଆତ୍ମ ସଂଯୋଗ ହେଉ ଚିର ସ୍ଥାପିତ ।

 

ସ୍ୱର୍ଗତ ମହାରାଜା ଶ୍ରୀରାମଚନ୍ଦ୍ର

କି ଘୋର ଅଶନ ପାତେ      ରୁଚିର ବସନ୍ତେ

ବିକମ୍ପିତ ଉତ୍କଳ ଭୂବନ,

କି ଘୋର ତମସ୍ରି      ଅକାଳରେ ଗ୍ରାସି

ଆଚ୍ଛାଦିଲା ଉତ୍କଳ–ଗଗନ ।

ଅକାଳେ କିପାଇଁ ଆହା      ଉତ୍କଳ–ଅମ୍ବରୁଁ

ବିଭ୍ରଷ୍ଟ ଏ ସମୁଜ୍ଜ୍ୱଳ ଚନ୍ଦ୍ର,

ଏ କି ନିଦାରୁଣ ବାର୍ତ୍ତା      ନାହାନ୍ତି ଏ ଭବେ

ମହାରାଜ ଭଞ୍ଜ ରାମଚନ୍ଦ୍ର !

ପ୍ରବେଶିଚ୍ଛ ଦିବ୍ୟଲୋକେ      ପୁଣ୍ୟ ମହିମାରେ

ଆରୋହିଣ ହିରଣ୍ମୟ ରଥ,

ଚିର ହସ ହସ ମୁଖେ      ପବିତ୍ର ହୃଦୟେ

ଆଲୋକିଣ ତ୍ରିଦିବର ପଥ ?

ସତେ କି ଶ୍ରୀରାମଚନ୍ଦ୍ର       ତେଜି ଧରାଧାମ

ଯାଇଅଛ ଅଜ୍ଞାତ ବିଦେଶେ

ସେ ତ୍ରିଦିବ ପୁରେ ଦେବ      ତୁଙ୍ଗ ସିଂହାସନେ

ବସିଅଛ ରାଜ ଋଷି ବେଶେ ?

କେମନ୍ତେ ସରଳ ପ୍ରାଣ      ସରସ ହୃଦୟ

ସୁପବିତ୍ର ଆତ୍ମା ନିଷ୍କଳଙ୍କ,

ସୁଧୀର ପ୍ରଶାନ୍ତ ବୀର      ହିଂସା ଦ୍ୱେଷ–ମୁକ୍ତ

କି ସୁନ୍ଦର ବିନୀତ ନିଃଶଙ୍କ !

 

ଥରେ ଯେ ଦେଖିଛି ସେହି      ଚନ୍ଦ୍ରମାବଦନ

ଇନ୍ଦିବର–ନିନ୍ଦୀ ସେ ନୟନ,

ଶୁଣିଛି ଅମୃତବାଣୀ      କଳିଛି ସେ ଜ୍ଞାନ

ପରଶିଛି ଶାନ୍ତ ପୂତ ମନ ।

 

ନ ପାରେ ପାସୋରି ସେହି      ଦିବ୍ୟ ରୂପ ଗୁଣ

କେମନ୍ତେ ହେ ପ୍ରିୟ ପରିଜନ

ତୁମ୍ଭ ବିଚ୍ଛେଦରେ ଦେବ      ଧରିବେ ସେ ଧୌର୍ଯ୍ୟ

କେମନ୍ତେ ସେ ହେବେ ଶାନ୍ତ ମନ ?

 

ବିଜ୍ଞାନ ଦର୍ଶନ–ଜ୍ଞାନ      ସାହିତ୍ୟ ରହସ୍ୟ

ଏକାଧାରେ ଥିଲା ସମାବେଶ,

କ୍ରୂରକାଳ ଅକାଳେ ତା      ହରି ନେଇ ଆହା

ଉତ୍କଳର କଲା ସର୍ବଶେଷ ।

 

 

ପବିତ୍ର–ଚାରିତ୍ର୍ୟ ଗୁଣେ      ବିଶାଳ ଉତ୍କଳେ

ନାହିଁ ନାହିଁ ତବ ପଟାନ୍ତର,

କୁସଂସ୍କାର ମୁକ୍ତ ଧର୍ମ      ବୀର ବିକ୍ରମରେ

ସାଧିଲ ଜୀବନେ ବୀରବର ।

 

ବିନୟ କରୁଣା ଧୈର୍ଯ୍ୟ      ସଂଯମ ଆଦର୍ଶ

ଦେଖାଇଲ ହେ ସୁଧୀ ଅଗ୍ରଣୀ,

ତବ ସମ କୃତୀ ପୁତ୍ର      ଧରି ନିଜ ଅଙ୍କେ

ଧନ୍ୟା ହେଲେ ଉତ୍କଳଜନନୀ ।

 

“ନୃପତି ବିଳାସ ଅର୍ଥେ      ପ୍ରକୃତି ସର୍ବସ୍ୱ

ପ୍ରଜା–ଅର୍ଥ–ନାରୀ–ନୃପପାଇଁ”

ପୁରାତନ ଏ ସଂସ୍କାର      ସମୂଳେ ଉତ୍ପାଟି

ଯାଇଅଛ ଆହେ ନରସାଇଁ ।

 

ରାଜବେଶେ ଯୋଗୀବର      ପବିତ୍ର ଚରିତ୍ର

ଜ୍ଞାନ ଭକ୍ତି କର୍ମ–ସମାବେଶେ,

ମହତ ଉଦାର ଚିତ୍ର      ଆଙ୍କି ଯାଇଅଛ

ନୃପକୁଳେ ଏ ଉତ୍କଳ ଦେଶେ ।

 

 

“ରାଜା ରାଜ୍ୟାଶ୍ରମ ଋଷି”      ଏ ବୁଧ ବଚନ

ପ୍ରମାଣିତ କଲ ସ୍ୱଜୀବନେ,

“ରାମରାଜ୍ୟ” ସୃତି ଦବ      ହେଲା ଉଦ୍‌ବୋଧିତ

ଶାନ୍ତ ସମୁନ୍ନତ ସୁଶାସନେ ।

 

ନୃପ–ଧର୍ମେ ଅପୂର୍ଣ୍ଣତା      ଥିଲା କି ଛାମୁରେ

କିନ୍ତୁ “ମନୁଷ୍ୟତା” ମେଘାସନେ

କାହିଁ ପ୍ରତିଦ୍ୱନ୍ଦୀ ତବ            ଦରିଦ୍ର ଉତ୍କଳେ,

ଭାରତେ ଅଳପ ମଧ୍ୟେ ଜଣେ ।

 

ପଶୁରକ୍ତେ କଳଙ୍କିତ            ଅବନୀର ଅଙ୍କ

ଶୁଣିବନି ପଶୁର ଆରତି,

କମ୍ପିଲା ହେ ମହାରାଜା      ତବ ସିଂହାସନ

ଉଚ୍ଚାରିଲ ଅଭୟ–ଭାରତୀ ।

 

ଧର୍ମନାମେ ପଶୁହତ୍ୟା      କୋମଳ ପରାଣ

ନ ସହିଲା ଆହେ ମହାବାହୁ

ତବ ରାମରାଜ୍ୟ ଦେବ      ପଶୁରକ୍ତ ସ୍ରୋତେ

ସିକ୍ତ କଳଙ୍କିତ ନୁହେଁ ଆଉ ।

 

 

ତୁମ୍ଭରି ଉତ୍ସାହ–“ପ୍ରଭା”      କଲା ବିଭାସିତ

ଭାରତୀଙ୍କ ଦରିଦ୍ର କୁଟୀର,

ସେହି ସମୁଜ୍ଜ୍ୱଳ “ପ୍ରଭା”      କଲା ଉଦ୍ଭାସିତ

“ଚିଲିକାର” ଆଲେଖ୍ୟ ରୁଚିର ।

 

ତୁମ୍ଭରି ଉତ୍ସାହ ମନ୍ତେ      ଅପୂର୍ବ–ଆବେଶେ

“ଋଷିପ୍ରାଣେ ଦେବାବତରଣ”,

ତୁମ୍ଭରି ରାଜସଭାରେ      ଉତ୍କଳ ଭାଷାରେ

ଆଦିପର୍ବ ଭାରତ ଗାୟନ ।

 

କବିଙ୍କ ଭବିଷ୍ୟ ବାଣୀ      ପୂର୍ଣ୍ଣରୂପେ ଦେବ

ସ୍ୱଜୀବନେ ନ କରୁଁ ପାଳନ,

କନ୍ଦାଇ ଉତ୍କଳ ଧରା      ଆହେ ବୀରମଣି

କଲ କେଉଁ ଦେଶକୁ ଗମନ ?

 

ନାନା ଦୁଃଖେ ଦୁଃଖିନୀ ଯେ      ଉତ୍କଳ ଜନନୀ

କେମନ୍ତେ ହେ ତାକୁ କରି ତ୍ୟାଗ,

ଭୁଞ୍ଜିବା ଅଚିନ୍ତା–ନିଦ୍ରା      ଆଶାୟୀ–ଉତ୍କଳ

ଆଶାସ୍ଥଳ ଆହେ ମହାଭାଗ ।

 

 

ସହାସ ବିମଳ ମୁଖ            ଶାଳରୁହ ଦେହ

ହେମଗୌର ସୁନ୍ଦର ମୂରତି,

ଅପାର ଗୁଣ–ଗାରିମା      ଦିବ୍ୟ ଭାବରାଶି

ସ୍ମୃତି ଦିଏ ହୃଦୟ କରତି ।

 

ଫଟନ୍ତି କୁସୁମ ସମ      ପୂର୍ଣ୍ଣ ଯୌବନରେ

ବାହୁଡ଼ିଲ ପ୍ରିୟ ମହାରାଜ,

ତ୍ରିଦିବ ନନ୍ଦନ ଯୋଗ୍ୟ      ପୂଜା ପାରିଜାତ

ଚାଲିଗଲ ସାରି ନିଜ କାର୍ଯ୍ୟ ।

 

ଇଚ୍ଛାହୁଏ ମହାଯତି            ତବ ଯୋଗ୍ୟ ପୀଠ

ଗଢ଼ି ଏକ ତୁଳସୀ ଚତୁରେ,

ଚିରକାଳ ସଞ୍ଚିବଇଁ            ଆରତୀ ମନ୍ଦିରେ

ସ୍ମୃତି ତବ ସାଧୁ ଆଦର୍ଶରେ ।

 

ଯାଅ ଯାଅ ମହାରାଜ      ସେହି ଦିବ୍ୟଲୋକେ

କିଣିଛ ଯା ସୁକୃତିର ବଳେ,

ପବିତ୍ର ମଧୁର ତବ            ସୁନ୍ଦର ଆଦର୍ଶ

ପୂଜା ପାଉ ଦରିଦ୍ର ଉତ୍କଳେ ।

 

 

ଯାଅ ସେହି ପୁଣ୍ୟଲୋକେ      ଯହିଁ ବିରାଜନ୍ତି

ରାଜା ହରିଶ୍ଚନ୍ଦ୍ର, ରାମଚନ୍ଦ୍ର,

ମହୀୟାନ ସୂର୍ଯ୍ୟବଂଶ      ରାଜର୍ଷିମଣ୍ଡଳେ

ଗୁଣାରାମ ଭଞ୍ଜ ରାମଚନ୍ଦ୍ର,

 

ନିଜ ପୂତ ବଂଶ ଭବେ      ସ୍ନେହ ପରବଶ

ନେବେ କରି ପାଣି ପ୍ରସାରଣ

ସେହି ପୁଣ୍ୟଧାମପ୍ରାନ୍ତେ      ଯୋଗ୍ୟ ସିଂହାସନେ

ବସାଇବେ କରି ଆଲିଙ୍ଗନ ।

 

ସ୍ୱର୍ଗତ ଅଭିରାମ ଭଞ୍ଜ

ଆହା କି ଦାରୁଣ ବାର୍ତ୍ତା ଶୁଭିଲାରେ

କଟକରେ ଦିବା ଦୁଇ ପ୍ରହରେ

ଉତ୍କଳ–ଆକାଶୁ ଖସି ପଡ଼ିଲା ରେ

ଉଜ୍ଜ୍ୱଳ ଜ୍ୟୋତିଷ୍କ ଅସମୟରେ !

ପ୍ରାଣ ଅଭିରାମ ଭାଇ ଅଭିରାମ

ଫାଙ୍କି ଦେଇ କେଉଁ ଆଡ଼େ ହେ ଗଲ ?

ଝୁରି ଝୁରି ତବ ଜ୍ଞାନ ଗୁଣଗ୍ରାମ,

ବିକଳେ କାନ୍ଦଇ ଦୀନ ଉତ୍କଳ ।

ସର୍ବଜନପ୍ରିୟ ଥିଲ ଯୋଗ୍ୟ ଭାଇ,

ଉଦାର ବିନୟ ମଧୁରଭାଷୀ,

ତେଣୁ ସିନା କରୁଛନ୍ତି ‘ହାଇ’ ‘ହାଇ’

ତବଲାଗ ସର୍ବ ସ୍ୱଦେଶବାସୀ ।

କଠୋର ସାଧନେ ଜ୍ଞାନ ଉପାଜନେ

ବ୍ରହ୍ମଚର୍ଯ୍ୟାଶ୍ରମ ଯାପିଲ ଭାଇ

ଗୃହସ୍ଥ ଆଶ୍ରମେ ପ୍ରବେଶୁଁ ପ୍ରବେଶୁଁ

କେଉଁଆଡ଼େ ପ୍ରିୟ ଗଲ ପଳାଇ ?

 

ତୁମ୍ଭ ପରିବାର କିବା ନାରଖାର

ସନ୍ତାପେ ମଗନ ବନ୍ଧୁ ସ୍ୱଜନ,

ତୁମ୍ଭ ବିଚ୍ଛେଦରେ ଉତ୍କଳ ସଂସାର

ବିଷାଦ–ସାଗର–ନୀରେ–ମଗନ !

 

ଦେଖ ତ୍ୱଦଗତପ୍ରାଣ ବୃଦ୍ଧପିତା

କି ଦଶା ଲଭନ୍ତି ତବ ବିରହେ,

ବାଳିକା ବନିତା ସତୀ ଯେହ୍ନେ ସୀତା

ତାହା ଦୁଃଖ ପ୍ରାଣ କେମନ୍ତେ ସହେ ?

 

ଗୋଟି ଗୋଟି କରି ନିରିମାଖୀବାଳା

ତିନୋଟି ସନ୍ତାନ ଥିଲା ହରାଇ

କାଟି ପୁଣି ଗଳା ଗଲ ଗଳାମାଲା

ତା’ ପରି ଦୁଃଖିନୀ ସଂସାରେ କାହିଁ ?

 

ଦାରୁଣ ଦୁର୍ଦ୍ଦୈବ ନିର୍ଘାତ ବାରତା

ଶୁଣି ପରନେତ୍ରୁଁ ଲୋତକ ବହେ,

ଦେଖୁନା କି ଭାଇ ପରଲୋକେ ରହି

ସତୀପତ୍ନୀ ତବ କି ଦୁଃଖ ସହେ ?

 

ଶ୍ମଶାନ–ତୁଳସୀ ସମ ଥିଲ ଭାଇ

ମହାନାୟକଙ୍କ ମୁକୁଟମଣି

କି କରିଣ ଗଲ ଦୀନ ଜାତି ପାଇଁ

ଚିର ଲୁପ୍ତ ଯାର ପୂର୍ବକରଣୀ !

 

ଉତ୍କଳ ଜନନୀ ଦୀନାହୀନା ଅତି

ଅଭାଗିନୀ ମାତା ସାରାସଂସାରେ

ତୁମ୍ଭଲାଗି ହୋଇଥାନ୍ତା ଭାଗ୍ୟବତୀ

ତେଣୁ ଦୁଃଖେ କର କପାଳେ ମାରେ ।

 

ଏ ମର୍ତ୍ତ୍ୟମଣ୍ଡଳେ ଜନ୍ମ ଲଭି ଭାଇ

କେତେ କାଳ ଅବା ବଞ୍ଚିବ କିଏ ?

ଭେଟିବା ସକଳେ ବେଳେ ସେହିଠାରେ

ଆଗପଛ ହୋଇ ଯାଇ ସଭିଏଁ ।

 

କିନ୍ତୁ ଭ୍ରାତ ଭବଲୀଳାଖେଳା ତବ

ଅଳପ ଦିବସେ ଯାଆନ୍ତେ ସରି

ଝରି ହେଉଅଛୁ ଗୁଣ ଗଉରବ

ମହାନ ଆନନ ସ୍ମରଣ କରି ।

 

 

ସଂସାର ସଉଦା ଅଳପ ଦିନରେ

ସରିଲେହେଁ ତବ ଏ ଭବହାଟେ

ସୁନ୍ଦର ଆଦର୍ଶ ଦେଶବାସୀ ନରେ

ଦେଖାଇ ଗମିଲ ନିୟତ ବାଟେ ।

 

ଯେଝା ବେଳକାଳେ ଗମନ୍ତି ସକଳେ

ସେ ଦେଶେ ଯେଠାକୁ ଅଛ ହେ ଯାଇ,

ଧନ୍ୟ ତା ଜନମ ଏ ମହୀମଣ୍ଡଳେ

ଯାଇପାରେ ଯେହୁ ସର୍ବେ କନ୍ଦାଇ !

 

ଯାଅ ଯାଅ ବନ୍ଧୁ, ସ୍ୱର୍ଗ ତୋରଣରେ

ପାଛୋଟି ନିଅନ୍ତୁ ଆସି ଅମର

ଭୁଞ୍ଜ, ସୁଖ ସେ ସ୍ୱର୍ଗଲୋକରେ

ଅବା ପୁଣ୍ୟଲୋକେ ପୁଣି ବିହର ।

 

ସ୍ୱର୍ଗତ କବି ଫକୀରମୋହନ

“ଉତ୍କଳର ବ୍ୟାସକବି” ଫକୀରମୋହନ

କରିଛନ୍ତି ତ୍ରିଦିବ ପ୍ରୟାଣ,

“ଆହାରେ ଦଇବ” ବୋଲି ମହାଶୋକାଚ୍ଛନ୍ନ

କାନ୍ଦୁଅଛି ଜନନୀର ପ୍ରାଣ ।

ଉତ୍କଳଜନନୀ ଅଙ୍କୁ ଗୋଟି ଗୋଟି କରି

ଚାଲିଗଲେ ତା କୃତିସନ୍ତାନ,

ଗଲେ ଯେହୁ ଅନ୍ଧାରିଣ ଉତ୍କଳ ଭବନ,

ଚିର ଶୂନ୍ୟ ପଡ଼ିଲା ସେ ସ୍ଥାନ ।

ଅଭାଗିନୀ ଜନନୀର ଅଳପ ତା ପାଣ୍ଠି

ସରିଗଲା ଦେଖୁଁ ଦେଖୁଁ ଆସି,

ରାଧାନାଥ, ମଧୁସୂଦନଙ୍କ ପଛେ ପଛେ

ଶ୍ରୀ ଗୌରୀଶଙ୍କର ସ୍ୱର୍ଗବାସୀ ।

ଏବେ ପୁଣି ଗଲେ ଚାଲି ଫକୀରମୋହନ

କରି ଶୂନ୍ୟାୟିତ ମାତୃପ୍ରାଣ,

ଅଭିଶପ୍ତ ଉତ୍କଳର ଉନ୍ନତିର ଆଶା

ଏହିପରି ହେଲା ଅନ୍ତର୍ଦ୍ଧାନ ।

 

ହେଲେହେଁ ଜନନୀ ବହୁ ଯୋଗ୍ୟସୁତ–ମାତା

ପୁତ୍ରଶୋକ ନ ପାରଇ ସହି

ମା’ ଜନନୀ, ତୋର ଅବା କେତୋଟି ରତନ

ତୋର ଦଶା କହି ନ ସରଇ !

 

ଶୂନ୍ୟ ହେଲା ତୋ କୋଳେ ମା’ ଯେଉଁ ସ୍ଥାନ ଆଜି

କିଏ ତାହା କରିବ ପୂରଣ

ହେ ପ୍ରଭୁ ମଙ୍ଗଳଧାତା ଯୁକ୍ତ ପ୍ରତିନିଧି

କେତେ କାଳେ କରିବ ପ୍ରେରଣ !

 

ଉତ୍କଳ–ସାହିତ୍ୟ–ନଭୁଁ ପ୍ରସନ୍ନ ଚନ୍ଦ୍ରମା

ହୋଇଗଲା କିବା ଅସ୍ତଗତ

ରତ୍ନଦ୍ୱୀପ ନିଭିଲା କି ସାହିତ୍ୟ–ମନ୍ଦିରେ

ହୀନପ୍ରଭ ସାହିତ୍ୟ–ଜଗତ ।

 

ଘୋର ଅମାଧ୍ୱାନ୍ତପୂର୍ଣ୍ଣ ଦୁର୍ଦ୍ଦିନ–ଯାମିନୀ

ଗ୍ରାସିଥିଲା ଉତ୍କଳ–ସଂସାର,

ଉତ୍କଳଭାରତୀ କଣ୍ଠେ ଛୁରିକା ବସାଇ

ଦେଲେ ଯେବେ ଛଳମିତ୍ର ତାର

 

ଭାଷାହୀନ ପରପଦ–ଆଶ୍ରୟ ଭିକ୍ଷାର୍ଥୀ

ହୋଇ ଯାଉଥିଲା ଏ ଉତ୍କଳ,

ମାତୃଭାଷାହୀନ ହୋଇ ହରାଇ ଥାନ୍ତା ସେ

ମନ ଖୋଲି କାନ୍ଦିବାର ବଳ ।

 

ସେ ଘୋର ଦୁର୍ଦ୍ଦିନ ବେଳେ ଉଦ୍ଦାମ ସାହସେ

ଲଜ୍ଜା, ଶଙ୍କା ଫିଙ୍ଗି ମହାମତି

ଯୁଝିଲ ଅସମ ରଣେ, ଲଭିଲ ବିଜୟ,

ଧନ୍ୟ ଧନ୍ୟ ଧନ୍ୟ ସେନାପତି !

 

ଉତ୍କଳ–ଭାଷା–ମନ୍ଦିର କରିଣ ପ୍ରତିଷ୍ଠା

କଲ ଯେଉଁ ଶୁଭ ଶଙ୍ଖଧ୍ୱନି,

ମୃତ୍ୟୁସଞ୍ଜୀବନ ମନ୍ତ୍ର କରି ଉଚ୍ଚାରଣ

ଜଗାଇଲ ଉତ୍କଳ ଅବନୀ ।

 

କାଳେ ସେ ମନ୍ଦିରେ ପୁଣି ପଟ୍ଟପୁରୋହିତ

ରୂପେ ଆହା ପୂଜିଲି ଭାରତୀ

ଦେଲେ କେତେ ଦିବ୍ୟ ବର ଅଚଳା ଭକ୍ତିରେ

ତୁଷ୍ଟା ସେହି ଦେବୀ ସରସ୍ୱତୀ ।

 

 

ରାମାୟଣ ହରିବଂଶ ଶ୍ରୀମହାଭାରତ

ବେଦ, ଗୀତା–ପୁଣ୍ୟମୟ ବାଣୀ

ସରଳ, ସହଜ ପୁଣି ସରସ ଭାଷାରେ

ବ୍ୟାସକବି ଯାଇଛ ବଖାଣି ।

 

ସରଳ ସୁନ୍ଦର ପଦ୍ୟ ପୁଷ୍ପମାଳା ଗୁନ୍ଥି

ଦେଲ ଜନନୀଙ୍କ ଶ୍ରୀଚରଣେ

ପ୍ରାଣପତ୍ନୀ କୃଷ୍ଣକୁମାରୀଙ୍କ ସ୍ମୃତି ଫୁଲେ

‘ଉପହାର’ ରଚିଲ ଯତନେ ।

 

ରାଜପୁତ୍ର ଶାକ୍ୟସିଂହ ଅତୁଲ୍ୟ ବୈରାଗ୍ୟ

‘ଅହିଂସା ପରମଧର୍ମ’ ଶିକ୍ଷା

ଆଚାଣ୍ଡାଳ ବ୍ରାହ୍ମଣଙ୍କ ପ୍ରଚଳିତ ଭାଷେ

ନିଷ୍କାମ କର୍ମର ଦିବ୍ୟ ଦୀକ୍ଷା

 

ଗାଇଲ “ବୌଦ୍ଧାବତାରେ” ହେ ସନ୍ନ୍ୟାସୀ କବି,

ଭାରତର “ଇତିହାସ” କଥା,

“ଉତ୍କଳ ଭ୍ରମଣ”, “ପୂଜାଫୁଲ,” “ଧୂଳି” ସଙ୍ଗେ

“ଅବସରବାସରେ” ସୁଗାଥା ।

 

 

ବିଚିତ୍ର ଘଟଣାପୂର୍ଣ୍ଣ ସୁଦୀର୍ଘ ଜୀବନେ

ଠୁଳ ତବ ଯେତେ ଅଭିଜ୍ଞତା

ଖାଣ୍ଟି ଓଡ଼ିଆରେ କବି ଦେଇଛ ଗଛେଇ

ଅପୂର୍ବ ସେ ଉପନ୍ୟସ କଥା ।

 

“ଛମାଣ ଆଠଗୁଣ୍ଠ”, “ମାମୁଁ”, “ପ୍ରାୟଶ୍ଚିତ”

“ଲଛମା”, “ଗଳ୍ପସ୍ୱଳ୍ପ”, “ସ୍ୱଚରିତ”

ଯାବତଚନ୍ଦ୍ରାର୍କ ତବ ଘୋଷୁଥିବେ କୀର୍ତ୍ତି

ସାଧୁଥିବେ ଜଗତର ହିତ ।

 

ତବ ମାଟିଦେହ ସିନା ମିଶିଛି ମାଟିରେ

ଚିନ୍ମୟ ସେ କୀର୍ତ୍ତିମୟ ପ୍ରାଣ,

ଗୃହେ ଗୃହେ ପ୍ରାଣେ ପ୍ରାଣେ ପାଉଥିବ ପୂଜା

ଦିନୁଁ ଦିନ ହୋଇ ମହୀୟାନ ।

 

ଆସିବ ସେ ଦିନ, ଯେବେ ସେ “ଶାନ୍ତିକାନନ” *

ହେବ ଉତ୍କଳର ତୀର୍ଥଧାମ

ସ୍ୱର୍ଣ୍ଣାକ୍ଷରେ ଲେଖା ହେବ ଜାତି ସିଂହଦ୍ୱାରେ

“ଫକୀରମୋହନ” ଏହି ନାମ ।

 

 

ନିଷ୍କାମ ତପସ୍ୟାମୟ ଜୀବନ–ଆଦର୍ଶ

ଶତ ଶତ ଯୁବକଙ୍କ ପ୍ରାଣେ

ସୃଜିବ ମହତ ପ୍ରାଣ କର୍ମୀ, କବି କାଳେ

ମହାପ୍ରଭୁ–ମଙ୍ଗଳ–ବିଧାନେ ।

 

ସରଳ ମଧୁର ତବ ସୁନ୍ଦର ସ୍ୱଭାବ

ହେ ସୁଜନ ଯେ ଦେଖିଛି ଥରେ,

ଅମାୟିକ ଭାର ତବ ପ୍ରେମପୂର୍ଣ୍ଣ ପ୍ରାଣ

ବିସୋରିବ ନାହିଁ ଜୀବନରେ ।

 

ଦରିଦ୍ରସଙ୍ଖାଳି ଧନ ସଦୟ ହୃଦୟ

ଦାତା ବନ୍ଧୁବତ୍ସଳ, ଉଦ୍ୟମୀ,

ବାର୍ଦ୍ଧକ୍ୟରେ ଯୁବକର ବଳେ ବଳୀୟାନ

କର୍ମବୀର, ବିଶ୍ୱାସୀ, ସଂଯମୀ ।

 

ପ୍ରାଚୀନ ମହତ ଆର୍ଯ୍ୟ ହୃଦୟ ସହିତ

ସମାବେଶ ଉନ୍ନତି–ଆଶ୍ରୟ

ପ୍ରାଚ୍ୟ ପ୍ରତୀଚ୍ୟର ଆହା ଅପୂର୍ବ ସଂଯୋଗ

ସାଧିଲ ଜୀବନେ ମହାଶୟ ।

 

 

ଥିଲ ଏକାଧାରେ କେତେ ସଦ୍‌ଗୁଣ ନିଧାନ

ସ୍ୱଦେଶହତୈଷୀ ମହାପ୍ରାଣ,

ପଢ଼ୁଥିଲେ ଉତ୍କଳର ସାହିତ୍ୟର କଥା

ହରାଉଣ ଥିଲ ବାହ୍ୟଜ୍ଞାନ ।

 

* ଫକୀରମୋହନଙ୍କ ଗୃହ ନିକଟରେ ପ୍ରତିଷ୍ଠିତ ଉପବନ ।

 

ପ୍ରେମପୂର୍ଣ୍ଣ ହୃଦୟରେ ସମଗ୍ର ଜୀବନେ

ଯାପିଅଛ କର୍ମମୟ ପ୍ରାଣ,

ତ୍ରିସନ୍ଧ୍ୟାରେ ପୂତମନେ କରିଅଛ ସାଧୁ

ପରାତ୍ପର ବ୍ରହ୍ମପଦ ଧ୍ୟାନ ।

 

ଆଦର୍ଶ ଜୀବନ ଯାପି ହେ କର୍ମୀପ୍ରବର,

ଯାଇଅଛ ଦିବ୍ୟଧାମେ ଏବେ,

ଥିଲ ରାଧାନାଥ ମଧୁସୂଦନଙ୍କ ସଙ୍ଗେ

ଚିରସଖା ପାଛୋଟି ସେ ନେବେ ।

 

ଉପଇନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ, ରାଧୁ,

ମଧୁସଙ୍ଗେ ଏକାସନେ ବସି

ଉତ୍କଳର ସୁଖେ ସୁଖୀ ହେବ କି ହେ କବି

ତା ଉପରେ ଆଶୀର୍ବାଦ ବର୍ଷି ।

 

ସ୍ୱର୍ଗତ ପଣ୍ଡିତ ମୃତ୍ୟୁଞ୍ଜୟ

ମୃତ୍ୟୁବିଜୟୀ ବୀର ହେ ମୃତ୍ୟୁଞ୍ଜୟ !

ଅପ୍ରତ୍ୟାଶିତଭାବେ ନେଲ ବିଦାୟ ।

ଦୀନ କୁଟୁମ୍ବ ଦୀନ ସାହିତ୍ୟ ସହ

କା ହାତେ ଦେଇଗଲ ହେ ସୁଧି କହ ?

ଦୀନ ଉତ୍କଳଭାଷା ତପସ୍ୟା କରି

ନିଷ୍ଠାପର ସାଧକ ତୁମ୍ଭରି ପରି

ପାଇଣ ଥିଲା କେତେ ବରଷ ପରେ,

ହରାଇଲା ତା ପୁଣି କେତେ ସତ୍ୱରେ ।

ଭାଷା–ବିଜ୍ଞାନ ପ୍ରତ୍ନତତ୍ତ୍ୱ–ଚୟନ

କିଏ କରିବ ଆଉ ବାଣୀଭୂଷଣ ହେ ।

ମଧୁର ହାସ ହସ ହସ ଆନନ,

ସରଳ ସୁମଧୁର ବାଣି–ଭାଷଣ,

ବିଜୁଳୀ ପରି ତ୍ୱରା ବୁଲି ଆସିବା,

ନିଶିଦିବସ ଖଟି କର୍ମ କରିବା,

ଅଦମ୍ୟ ଉତ୍ସାହରେ ସଭା, ସମିତି

କରି କରାଇ ପ୍ରବର୍ତ୍ତାଇବା ରୀତି,

ସାରା ଦିବସ ସାମାଜିକ ସାଧନା,

ସାରା ଯାମିନୀ ବାଣୀ–ସୁଆରାଧନା,

ଦୀନ ପରିବାରର ଉନ୍ନତିକାମ,

ଅର୍ଜିବା ଧନ ଯଶ ସାହିତ୍ୟେ ନାମ,

ସବୁ ବନ୍ଧୁଙ୍କୁ ସଦା ସଙ୍ଖୁଳୁଥିବା,

ସ୍ମିତ ହାସ୍ୟେ ସଭିଙ୍କ ମନ ତୋଷିବା,

ଅଗାଧ ଜ୍ଞାନ ସହ ସରଳ ଛବି,

ଚିରକାଳକୁ ସିନା ଲୁଚିଲା କବି !

ଅଭିଶପ୍ତ ଉତ୍କଳଭାଷା, ନୋହିଲେ

ବଛା ବଛା ସୁକର୍ମୀ ଅକାଳେ ଗଲେ !

ଶ୍ରୀ ରାଧାନାଥ–ମଧୁସୂଦନ କବି

ଫକୀରମୋହନଙ୍କ ବରେଣ୍ୟ ଛବି,

ରାମଚନ୍ଦ୍ର–ସୁଢ଼ଳ–ଶ୍ରୀ ପଦ୍ମନାଭ

ଶ୍ୟାମସୁନ୍ଦର–ଗୋପୀନାଥ–ଅଭାବ,

ପାଶୋର ନ ଯାଉଣୁଁ ହେ ମୃତ୍ୟୁଞ୍ଜୟ !

ଗଙ୍ଗାଧର ସଙ୍ଗତେ ନେଲ ବିଦାୟ !

 

ବିସୋର ନୋହିଲେହେଁ ଅମୂଲ୍ୟ ନିଧି !

ଅଜ୍ଞେୟ ଆଜ୍ଞା ବିଧି–କଠୋର–ବିଧି ।

ଆଗ ପଛ ହୋଇଣ ସର୍ବେ ଚଳିବା,

ଏହା ସୁମରି ନିତ୍ୟ କାର୍ଯ୍ୟ କରିବା ।

 

ସ୍ୱର୍ଗୀୟ ଜ୍ଞାନୀ କବି ସାଧୁ ପ୍ରଭାବ

ପ୍ରାଣେ ପ୍ରାଣେ ଉଠାଅ ନବୀନ ଭାବ ।

ନବ ଉତ୍ସାହେ ଯୁବାଯୁବତୀଗଣ

ଉଠି ଠିଆ ହେଉନ୍ତୁ ଜଣକୁଜଣ ।

 

ଏହା କି ଅସମ୍ଭବକୋଟି ସନ୍ତାନେ

ଉଦ୍ଧାରିବେ ସତେ କି ଜନନୀ–ମାନେ ?

ଯେ ଯାଏ ସେ ଠାବ ତ ନ ପୁରେ ଆଉ,

ଯେ ଯାହା କ୍ଷେତ୍ରେ କର୍ମ କରିଣ ଯାଉ ।

 

ନିଷ୍ଠାରେ କର୍ମ କଲେ ଶ୍ରୀ ଭଗବାନ

ଉଦ୍ଧାରିବେ ନିକର ଉତ୍କଳ–ମାନ ।

ପରଲୋକଗତଙ୍କ ଜୀବନାଦର୍ଶ

ସ୍ୱଦେଶବାସୀ–ପ୍ରାଣ କରିଣ ସ୍ପର୍ଶ

ଅନୁକରଣକାରୀ କଲେ ଆହ୍ୱାନ,

ସଫଳ ହୁଏ ଭବେ ତାହାଙ୍କ ପ୍ରାଣ

ହେ ମୃତ୍ୟୁଞ୍ଜୟଶିଷ୍ୟ ! ହୁଅ ଜାଗ୍ରତ,

 

ଜଣକ ସ୍ଥାନେ ଶତ ହେଉ ପ୍ରାପତ;

ସେହିପରି ନିଷ୍ଠାରେ ଅରଜ ଜ୍ଞାନ,

ସେହିପରି ସାହିତ୍ୟେ ଦିଅ ହେ ଧ୍ୟାନ ।

‘ଜୀବନରୁ ଜୀବନ ହୁଏ ଉତ୍ପନ୍ନ’

ଉତ୍କଳେ ହେବ ନାହିଁ କି ପ୍ରତିପନ୍ନ ?

 

ସ୍ୱର୍ଗତ ନୀଳମଣି ବିଦ୍ୟାରତ୍ନ

ଆହେ ନୀଳମଣି ! ଉତ୍କଳର ମଣି,

ଅକାଳରେ ଗଲ ଏ ଭବ ତେଜି ।

ତୁମ୍ଭ କାର୍ଯ୍ୟ ଭାଳି ତୁମ୍ଭ ଗୁଣ ଗୁଣି

ବ୍ୟାକୁଳ ହେଉଛିଁ ତୁମ୍ଭଙ୍କୁ ହେଜି ।

“ହିତୈଷିଣୀ”, “ପ୍ରଜାବନ୍ଧୁ” ପ୍ରକାଶିଣ

କଲ ଏ ଦରିଦ୍ର–ଉତ୍କଳ ହିତ,

“ଉତ୍କଳ–ମଧୂପ” ପ୍ରକାଶ କରିଣ

କଲ କେତେ କେତେ ଜ୍ଞାନ ସଞ୍ଚିତ ।

ଥିଲ ସ୍ୱଦେଶର ହିତେ ସଦା ରତ,

ସାହିତ୍ୟ ସେବାରେ ତଦ୍‌ଗତମନ,

ଯେତେବେଳେ ଯେଉଁ କାର୍ଯ୍ୟେ ଲାଗୁଥିଲ

ପ୍ରାଣପଣେ କରୁଥିଲ ସାଧନ ।

ତୁମ୍ଭରି ଯତନେ “ପ୍ରଜାବନ୍ଧୁ” ମୁଖେ

“ଉତ୍କଳମିଳନ” ପାଇଁ ଘୋଷଣା,

ପ୍ରଥମ “ଉତ୍କଳସମ୍ମିଳନୀ” ପାଇଁ

ତୁମ୍ଭରି ପ୍ରାଣରୁ ହେଲା ପ୍ରେରଣା ।

 

ଦରିଦ୍ର ଗୃହରେ ଜନ୍ମି ନୀଳମଣି

ଅଳ୍ପ ଶିକ୍ଷା ପାଇ କରିଛ ଯାହା,

ଧନାଢ଼୍ୟ ସନ୍ତାନ ସୁଶକ୍ଷିତ ପକ୍ଷେ

ନୁହଇ କି ସୁଧି ! ଅସାଧ୍ୟ ତାହା !

 

ସଂସାରରେ ନୁହେ ପୂର୍ଣ୍ଣ ସୁଖୀ କେହି,

ଏ ଜଗତେ ନାହିଁ ପୂର୍ଣ୍ଣତା କାହିଁ,

ପ୍ରାଣେ କେଉଁ ସ୍ଥାନେ ଥିଲା ଦୁର୍ବଳତା,

ତାହାପାଇଁ ଆଜି ନିନ୍ଦିବୁଁ ନାହିଁ ।

 

ଯାଅ ଯାଅ ଭାଇ, ସେ ଦେଶେ ଯେ ଦେଶେ

ଅଭାବ ଯାତନା ବାଧଇ ନାହିଁ,

ସ୍ୱକୃତ–ସୁକୃତ–ସୁଫଳ ଭୁଞ୍ଜିଣ

ଥାଅ ବିଭୁପଦପଙ୍କଜ ଧ୍ୟାୟି ।

 

ଯେଉଁ ସ୍ୱଦେଶର ଶୁଭ ମନାସିଣ

ସାରା ଜୀବନଟା କଲ ଯାପନ,

ମଧୁପ ସମାନ ସତ୍‌କର୍ମ−ସଦ୍‌ଗୁଣ

ମଧୁ ସେ ଉତ୍କଳ କରୁ ଗ୍ରହଣ ।

 

“ଇନ୍ଦୁମତୀ” କାବ୍ୟ ପ୍ରଣେତା ମେହେର

ଆହେ ଭ୍ରାତ ! ତୁମ୍ଭଙ୍କୁ ମୁଁ କେବେ ଦେଖିନାହିଁ,

ତବ କଥା ମନେ ମୋର ପଡ଼ଇ କିପାଇଁ ?

ଚିହ୍ନ କି ତ ଚିହ୍ନ ମୋତେ ତୁମ୍ଭେ, ଜାଣେ ନାହିଁ

ତୁମ୍ଭଙ୍କୁ ମଣଇ କିନ୍ତୁ ମୁହିଁ ନିଜ ଭାଇ ।

ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୁରତି,

ଦେଖି କାଳେ ତୁଟିଯିବ ମାୟା ତୁମ୍ଭପ୍ରତି,

ପଢ଼ିଅଛି ‘ଇନ୍ଦୁମତୀ’ କାବ୍ୟ କେତେଥର

ସେହିଠାରେ ପରିଚୟ ତୁମ୍ଭର ମୋହର ।

ଲାବଣ୍ୟ–କାସାର–ହଂସ, ପୁରୁଷ ଅଦ୍ଭୁତ

କାଳିଦାସ ଭାରତୀୟ ବାଣୀ–ବର ସୁତ;

ଯୋଗ୍ୟ ଅନ୍ତେବାସୀ ତୁମ୍ଭେ ଅଟ ତାହାଙ୍କର

ବଲିହାରି, ଗୁରୁପ୍ରତି ସମ୍ଭାର ଅର୍ଘ୍ୟର ।

ପବିତ୍ର ପ୍ରଣୟ ଏ ମୋ ଭାରତୀ–ନନ୍ଦନ

ମହାର୍ଘ ଭାବିଣ ପ୍ରିୟ କର ହେ ଗ୍ରହଣ ।

ସଂସାର ଆବିଳ ସ୍ତୁତି ହାଟେ ଘାଟେ ମିଳେ

ଏ ମୋହର ସ୍ନେହେ ନାହିଁ ସ୍ୱାର୍ଥଭାବ ତିଳେ ।

ଖଣ୍ଡେ କାବ୍ୟ ଲେଖିଦେଇ ରହିଲ ନିଶ୍ଚିନ୍ତ

ଐଶୀଶକ୍ତି ନାଶି କର୍ମେ ହେଲା କି ଉଚିତ ?

ଶୁଣିଅଛି ଦରିଦ୍ରତା କଠୋର ନିର୍ଘାତ

ସହି କଷ୍ଟେ କବି, ତୁମ୍ଭେ କର ଦିନପାତ ।

 

ସୁଦୂରେ ତୁମ୍ଭରି ପରି ମୁହିଁ ଆଉଜଣେ

ଦାରୁଣ ଦୁଃଖ ପ୍ରହାରେ ବଞ୍ଚେ କ୍ଷୁର୍ଣ୍ଣମନେ ।

ଅଛି କବିବାଣୀ, “ଦୁଃଖୀ ପାଇଁ ଦୁଃଖୀଜନ

ଯେଉଁ ସୁଖପାଏ, ନ ପାଏ ତା’ ସୁଖୀଜନ ।”

 

ତେଣୁ ମୋର ତୁମ୍ଭପ୍ରତି ଏ ସହାନୁଭୂତି

ନାଚଇ ମୋ ନେତ୍ରେ “ଇନ୍ଦୁମତୀ”–କବି ମୂର୍ତ୍ତି ।

ଜନ୍ମିଥାନ୍ତ ଯେବେ ସଭ୍ୟ ଉନ୍ନତ ଦେଶରେ

ବାଜୁଥାନ୍ତା ନାମ ତବ ଦିଗଦିଗନ୍ତରେ ।

 

ଆବାଳବୃଦ୍ଧବନିତା ଦୁଃଖୀ ପ୍ରିୟ କବି

ହୃଦ ମଧ୍ୟେ ରଖିଥାନ୍ତେ ତବ ଦୀନ ଛବି ।

ପୂର୍ବ ସୁକୃତ ବିହୀନେ ପଡ଼ି ଏ ଉଷର

ସୁପ୍ରତିଭା ମଣିଆଭା ବିନଷ୍ଟ ତୁମ୍ଭର ।

 

 

କବିତା−ଲତାରେ ଏକମାତ୍ର ଫୁଲଫୁଟି

ଅନାଦରେ ସେ ଲତିକା ଗଲାକି ଉକୁଟି !

ଶୁଣିଅଛି ଅଟ ତୁମ୍ଭେ ସୁଶୀଳ ବିନୀତ

ତେଣୁ ତୁମ୍ଭ ନାମେ ଆଜି ଭଣିଲି ଏ ଗୀତ ।

 

କଠୋର ଶୃଙ୍ଖଳ ଫିଙ୍ଗିଦିଅ ବିଷାଦର

ପଦାଘାତ କର ଅତ୍ୟାଚାରେ ସମାଜର ।

ଦରିଦ୍ରତା ନୁହେ କବି ପ୍ରତିଭା−ନାଶକ

ବିଘ୍ନ ସିନା ଭେଲ ଖାଣ୍ଟି ସୁନା ପରୀକ୍ଷକ ।

 

ପବିତ୍ର ସୁନ୍ଦର କାବ୍ୟ ଲେଖି ପ୍ରିୟ କବି !

ସମୁଜ୍ଜ୍ୱଳ କର ମାତୃଭୂମି ମୁଖଛବି ।

କର୍ମନାଶା−ନୀରେ ହେଉ ଜାତି ବିସର୍ଜନ

ବୈଶ୍ୟଠୁଁ ଶିଖନ୍ତୁ ଆଜି କ୍ଷତ୍ରିୟ ବ୍ରାହ୍ମଣ ।

 

ଭିକ୍ଷୁକ ସଙ୍ଗତେ ନୃପ−ମୁକୁଟ−ମଣ୍ଡିତ

କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ ।

କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ

ଯେତେଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।

ଯେତେ ଛପାଇଲେ ନ ଲୁଚଇ ଅଗ୍ନି, ସତ୍ୟ,

ଲୁଚିଲେ କି ଚମ୍ପୁକବି ବଳଦେବ ରଥ ?

 

କବି ଗଙ୍ଗାଧର

ସ୍ୱର୍ଗୀୟ ରଙ୍ଗଜୀବ ହେ ଗଙ୍ଗାଧର !

ଗଙ୍ଗାର ନୀର ସରି ତୁଳି ତୁମ୍ଭର,

ଯାହା ସେ ପରଶିଲା କଲା ପବିତ୍ର

ବାଣୀମନ୍ଦିରେ ତବ ପର୍ବ ବିଚିତ୍ର

ଗୁନ୍ଥି ନୀରବେ କାବ୍ୟ−କବିତାହାର

ଦେଲ ଜନନୀ କଣ୍ଠେ ଯେ ଉପହାର,

ରହିଲା ତାହା ଏବେ କାଳ କାଳକୁ

ନାହିଁ ଉପମା କାହିଁ ମାଳ ମାଳକୁ ।

ଭାଷା ସୁତ୍ରରେ ଭକ୍ତି ତନ୍ତ୍ରେ ବୟନ

ଖଣ୍ଡକୁ ଖଣ୍ଡ ଶାଟୀ କରି ଚୟନ

ପିନ୍ଧାଇ ଦେଇ ଅଛ ଜନନୀ ଅଙ୍ଗେ

ସୁଷମ ଅଳଙ୍କାର ସାଜି କି ରଙ୍ଗେ ।

କାହିଁ ଉତ୍କଳେ ଆଉ ତା ପଟାନ୍ତର

ତେଣୁ ଜନନୀ ତବ ଶୋକେ କାତିର ।

 

 

ଦୀନ କୁଟୀର କୋଣେ ଜନମ ଲଭି

ସାରା ଉତ୍କଳେ ଖ୍ୟାତି ଲଭିଛି କବି !

କାବ୍ୟ କବିତା ପୁଣି ମହତପଣ

ଉଡାଉଅଛି ଗଉରବ କେତନ

ଚାରିତ୍ର୍ୟ ବଳେ କାଳ−ଅପର−ପାରେ

ପ୍ରସାଦ ଲଭୁଥିବ ଏ ପରକାରେ

ବେନି ଲୋକ ସାଧନୀ ତବ କରଣି

ଲଭୁଛି ଲୋକମୁଖୁଁ ବିଜୟଧ୍ୱନି ।

ଇହଲୋକର ହାହାକାର ଶବଦ

ସଙ୍ଗେ ମିଶଇ ପର−ଦେବାଶୀର୍ବାଦ ।

 

ଘଟଇ ଏହା କେତେ ଜଣଙ୍କ ଭାଗ୍ୟେ ?

ଦୈନ୍ୟ ଦୁର୍ଭାଗ୍ୟ ପରିଣତ ସୌଭାଗ୍ୟେ ।

ଫେର ବୈକୁଣ୍ଠେ ଫେର ହେ କବିବର !

ଆଶୀର୍ବାଦ ଘେନିଣ ଜନନୀଙ୍କର ।

 

 

 

 

 

“ତପସ୍ୱିନୀ” ଆଙ୍କିଲ ତପସ୍ୱୀ ସମ

ରଘୁ−ବଧୁଙ୍କ ଦେଖି ଦଶା ନିର୍ମମ

ଦେଖି ତପୋବନର ପ୍ରଣୟ ଛବି

‘ପ୍ରଣୟ−ଅଙ୍କୁର’କୁ ରୋପିଲ କବି !

ପାଣ୍ଡବ ପାଟରାଣୀ ଦୌପଦୀ ଯୋଷା

ବିରାଟ ଘରେ ତାର ଦେଖି ଦୁର୍ଦ୍ଦଶା

କାନ୍ଦିଲା ତବ ସାଧୁ ପ୍ରାଣ ବିକଳେ

“କୀଚକବଧ” ଭାଷା ଲତାରେ ଫଳେ ।

 

କବିହୃଦୟ−ବଧୂ କରି ଦର୍ଶନ

“କବିତା−କଲ୍ଲୋଳ”ର ହେଲା ସ୍ଫୁରଣ,

“ଇନ୍ଦୁମତୀ” ପ୍ରଣୟ ବିରହ ବାଣୀ

କବିତା କକ୍ଷେ କବି ଆଣିଲ ଟାଣି ।

ଉତ୍କଳଲକ୍ଷ୍ମୀଙ୍କର ସୁହାସ ଛବି

ମୋହିଲା ଦେଶଭକ୍ତି ବିଜ୍ଞାନୀ କବି

“ମହିମା” ବିଶ୍ୱେ ଦେଖି ସୁପ୍ରକାଶିତ

କାବ୍ୟ ସନ୍ଦର୍ତ୍ତେ କଲ ସୁପ୍ରକାଶିତ ।

 

ନାରୀକବି କୁନ୍ତଳାକୁମାରୀ

କୁନ୍ତଳିନୀକୁଳମଣି କୁନ୍ତଳାକୁମାରୀ

ଉତ୍କଳମଣୀକବି କୁନ୍ତଳ ଭୂଷଣ

ନାନାଗୁଣେ ଅଳଙ୍କୃତା ମନସ୍ୱିନୀ ନାରୀ

କବିତା ସଙ୍ଗୀତ ବିଭୂଭକ୍ତି ପ୍ରେମେ ଧନ୍ୟ ।

 

ନାରୀଚିକିତ୍ସକ ସେବାଧର୍ମେ ସୁଦୀକ୍ଷିତା

ସ୍ୱକର୍ତ୍ତବ୍ୟନିଷ୍ଠାବତୀ ସୁଦକ୍ଷ ଗୃହିଣୀ

କବିତାରସଜ୍ଞା ନାନାଭାଷେ ସୁପଣ୍ଡିତା

କାବ୍ୟସୁଧାପାୟୀ ବିଭୁପ୍ରେମ ବିରହିଣୀ ।

 

ସ୍ୱଦେଶର ପୂର୍ବ ଗଉରବେ ଗରବିତା

ନିସର୍ଗଲାବଣ୍ୟମୁଗ୍‌ଧା ଅୟି ପ୍ରେମମୟି !

କି ଅପୂର୍ବ ପ୍ରତିଭାରେ ହୋଇ ସନ୍ଦୀପିତା

ଏ ଦାନ ଉତ୍କଳେ ଅବତୀର୍ଣ୍ଣା ଶକ୍ତିମୟି !

ଧନ୍ୟ କଲା ମୋ କୁଟୀର ତବ ଆଗମନ

ନିଃସମ୍ବଳ ସ୍ନେହ ତେଣୁ କଲି ନିବେଦନ ।

 

କବିବର ରାଧାନାଥ

ସତେ କି ତେଜି ସ୍ୱର୍ଣ୍ଣ ଦେହ−ପିଞ୍ଜର

ଉଡ଼ି ଯାଇଛି ଆତ୍ମା−ପକ୍ଷି ତୁମ୍ଭର ?

ସତେ କି ସେହି ସୌମ୍ୟ ମୁଖ ସୁନ୍ଦର

ଲୁଚି ଯାଇଛି କବିବର ତୁମ୍ଭର ?

 

ପୁଣ୍ୟ ପ୍ରଭାତ କାଳେ ପୂତ ପ୍ରଦୋଷେ

ମୋ ଦ୍ୱାରେ କେ ଡାକିବ ମଧୁର ଘୋଷେ ?

ଦରିଦ୍ର କୁଟୀରେ ସେ ପଦ−ପୁଷ୍କର

ପଡ଼ିବ ନାହିଁ ଆଉ ହେ କବିବର ?

 

କାବ୍ୟ−ଆଳାପେ ଯାପି ଯାମ ପ୍ରହର

ବୁଲିବା ନାହିଁ ଆଉ ପଣ୍ଡିତବର ?

ସେହି ମଧୁର ମୂର୍ତ୍ତି ମଧୁର ବାଣୀ

ସେ ଟହ ଟହ ହସ ସରଳ ଠାଣୀ

ନୋହିବ ଆଉ ତାହା ନେତ୍ର ପଥିକ,

ଏଥୁଁ କି ଦୁଃଖ ଆଉ ଅଛି ଅଧିକ ?

 

 

ତେମନ୍ତ ଅନୁରାଗ ସାହିତ୍ୟ−ରସେ,

ସେ ଏକତାନ ମନ ଜ୍ଞାନ−ଆବେଶେ,

ହେଉ ନାହିଁ ତ ଆଉ ଗୋଚର କାହିଁ,

କିଏ କହିବ ପୁଣି ହେବ କି ନାହିଁ ?

କବିତାବିମୋହିନୀ ମୂରତି ଦେଖି

ସଂସାର ସୁଖ ଚିରଦିନ ଉପେକ୍ଷି

କାବ୍ୟ−ସୌନ୍ଦର୍ଯ୍ୟେ ହୋଇ ଉଦ୍ଭ୍ରାନ୍ତ ବତ

ବୁଲୁଥିଲ ଭାରତୀ କୁଞ୍ଜେ ସତତ ।

 

ବିହଙ୍ଗମ−କାକଳୀ ତରୁ ବ୍ରତତୀ

ବନ ଗିରି ନଗରୀ ତଟିନୀ ତତି

ପଲ୍ଲୀ ପ୍ରାନ୍ତର କ୍ଷେତ୍ରେ ନିକୁଞ୍ଜ ସର

ଶ୍ମଶାନ ଉପବନ ହ୍ରଦ ସାଗର ।

ଉତ୍କଳ ଗଉରବ ମନ୍ଦିରଗଣ

ଜ୍ୟୋତିଷ୍କ ବ୍ୟତୀତ ନୀଳଗଗନ

ସବୁରୀ ସଙ୍ଗେ ତବ ଆତ୍ମା ଅମର

ସଂଯୁତ ଦିଶୁଅଛି ହେ କବିବର !

 

ରାଜା ରାମମୋହନ ରାୟ

ପ୍ରାଚୀନ ଭାରତ ପୂଣ୍ୟର ଧାମ,

କୋଟିସ୍ମୃତିପୂର୍ଣ୍ଣ ଯାହାର ନାମ,

ପବିତ୍ର ପୁରାଣ କୀରତିମୟ,

ଜ୍ଞାନ କର୍ମ ପ୍ରେମେ ଯୋଗ ଆଳୟ,

ନିଜେ ଲୀଳାମୟ ହରି

ବ୍ରହ୍ମ ଜ୍ଞାନ−ରତ୍ନ            ଭଣ୍ଡାର ସ୍ୱରୂପେ

ବାଛି ନେଲେ କୃପାକରି ।

ଜନକାଦି ଋଷି ଏ ଦେଶେ ଆସି

ଗଲେ ଆଦି ଶାସ୍ତ୍ର ବେଦ ପ୍ରକାଶି,

ରାମାୟଣ ମହାଭାରତ ବ୍ୟାସ

ବାଲ୍ମୀକି ଏ ଦେଶେ କଲେ ପ୍ରକାଶ,

ସାଙ୍ଖ୍ୟାଦି ଷଡ଼ ଦର୍ଶନ

କପିଳାଦି ଋଷି            ଏହି ଦେଶେ ଜନ୍ମି

କରିଥିଲେ ପ୍ରଣୟନ ।

ମହାକର୍ମ−ଯୋଗୀ ବୁଦ୍ଧ ଗୌତମ

ପ୍ରଚାରି “ଅହିଂସା ପରମ ଧର୍ମ,

ରିପୁନାଶ କର୍ମ−ନିର୍ବାଣ ହେତୁ”

ଉଡ଼ାଇଲେ ସାମ୍ୟ−ଗୌରବ−କେତୁ,

ମହାପ୍ରେମିକ ଚୈତନ୍ୟ

“ନାମେ ଭକ୍ତି ଜୀବେ            ଦୟା” ଉପଦେଶି

ଏହି ଦେଶେ କଲେ ଧନ୍ୟ ।

ପୁରାଣ ଗାୟକ ଶୁକ ସନକ,

ମନୁ ପରାଶର ସ୍ମୃତିକାରକ,

ଭବଭୂତି କାଳିଦାସାଦି କବି,

ଭୂତଳେ ଅତୁଳ ଭାରତ ଛବି

ରାମ କୃଷ୍ଣ ଯାର ବୀର,

ଜ୍ଞାନ−ଗାରିମାରେ            ଭାରତ ସମାନ

କେଉଁ ଦେଶ ପୃଥିବୀର ।

ନାନକ କବିର ତୁଳସୀ ଦାସ

ତୁକାରାମ ବା ଜଗନ୍ନାଥ ଦାସ

ନାନା ଯୁଗେ ନାନା ସାଧୁ ସଜ୍ଜନ

ସମାଜ ସଂସ୍କାର କଲେ ସାଧନ,

ଦେଶେ ଘୋର ବିଶୃଙ୍ଖଳା

ଘୋଟେ ଯେବେ            ତେବେ ଜନ୍ମନ୍ତି ମହାତ୍ମା

ଘେନି ପରମାତ୍ମା କଳା ।

ପୁଣି ଏ ଭାରତ ଦୁର୍ଭାଗ୍ୟବଳେ

ପଡ଼ୁଥିଲା ଅବନତି−କବଳେ

ଏମନ୍ତ ସମୟେ ଜଗତଗୁରୁ

ଅଭୟ ଉଚ୍ଚାରି ତ୍ରିଦିବ ପୁରୁ

ମହାପୁରୁଷ−ରତନ

ଅମାନିଶାଧ୍ୱାନ୍ତେ            ଭାସ୍କର ପରାଏ

ଭାରତେ କଲେ ପ୍ରେରଣ ।

ଏକେଶ୍ୱରବାଦ−ପୁନଃସ୍ଥାପକ,

ସ୍ୱାଧୀନତା−ଚିରପରିପୋଷକ,

ମହାନ ପଣ୍ଡିତ ଦରିଦ୍ର ମିତ୍ର,

ଭୀମକାନ୍ତସମାବେଶ−ଚରିତ୍ର

ସତ୍ୟନ୍ୟାୟବିଭୂଷଣ

ଶାସ୍ତ୍ର−ଅନ୍ତଦର୍ଶୀ            ସୁଜ୍ଞ ସଂସ୍କାରକ

ରାଜା ଶ୍ରୀ ରାମମୋହନ ।

 

ଜ୍ଞାନ କର୍ମ ପ୍ରେମ ବୀର ବିକ୍ରାନ୍ତ,

ବହ୍ନି ସିନ୍ଧୁ ସମ ତେଜସ୍ୱୀ ଶାନ୍ତ,

ସ୍ୱଦେଶବତ୍ସଳ ଉଦାରଚେତା,

ମହାସମନ୍ୱୟ−ଧର୍ମପ୍ରଣେତା,

ରମଣୀ−ଚିରସହାୟ

ପ୍ରାଚ୍ୟ ପ୍ରତୀଚ୍ୟର            ସମନ୍ୱୟକାରୀ

ଶ୍ରୀ ରାମମୋହନ ରାୟ ।

 

ସମ୍ବଲପୁର

ସମ୍ବଲାଇ−ପାଳିତ ସମ୍ବଲପୁର

ଘୋର ଜାଙ୍ଗନ ସ୍ଥଳ ଦୁରୁଁ ସୁଦୂର ।

ନିସର୍ଗ−ଚାରୁ ତୋର ସୁନ୍ଦର ଚିତ୍ର

ନିରେଖି ନର−ନେତ୍ର ମୁଗ୍‌ଧ ପବିତ୍ର ।

ଦକ୍ଷିଣେ ଚିତ୍ରୋତ୍ପଳା କଳ ନିନାଦେ

ବହଇ ଧୋଇ ବାର ପର୍ବତ ପାଦେ ।

ଶିଳାବନ୍ଧୁର ନଦୀ ସିକତାଶଯ୍ୟା

ଚିତ୍ରକର ତୁଳିକି ଦିଅଇ ଲଜ୍ଜା ।

ପାଷାଣେ ପରିଚ୍ଛନ୍ନ ତଟିନୀ ତୀର

ପୁଲିନେ ଶୋହେ ସୋମନାଥ ମନ୍ଦିର ।

ସ୍ୱଦେଶ ସେବାରତ ବ୍ରଜମୋହନ

ସେତୁ ସୋପାନ ଦିଶେ କେଡ଼େ ସତନ । (୧)

 

ପଖାଳି ସେ ମନ୍ଦିର ପୂତ ଚରଣ

ସ୍ୱଚ୍ଛୋଦ ସର ଦିଶେ କି ଶୋଭାବନ !

ଶତ ସହସ୍ର ତହିଁ ଫୁଲ୍ଲ କମଳ

ନୀଳ ନିର୍ମଳ ଜଳେ କି ଢଳ ଢଳ !

ନୀଳ ସଲିଳେ ରକ୍ତ କମଳଗଣ

ତରଣୀ ଚାଳି ମାଳୀ କରେ ଚୟନ ।

 

ବାରୁଣୀ ଦିଶେ ଦିଶେ ବାର ପର୍ବତ;

ଶୋଭଇ ପ୍ରାକୃତିକ ପ୍ରାଚୀରବତ ।

ବାରପର୍ବତପ୍ରାନ୍ତେ ବୁଡ଼ଇ ରବି

ପ୍ରଦୋଷେ ପ୍ରକଟିଣ ରୁଚିର ଛବି ।

ଅକଳନ୍ତା ସିନା ସେ ବର୍ଣ୍ଣବିଭବ,

ବଖାଣି ପାରେ କିଏ ସେ ଦୃଶ୍ୟ ତବ ?

ତଟିନୀତୀରେ ଉଭା ରାଜନବର (୨)

 

କେଡ଼େ ପ୍ରାଚୀନ ପୁଣି କେଡ଼େ ଜବର !

ଏଡ଼େ ଜଟିଳ ଦୃଢ଼ ଗଡ଼କୁ କରି

ଏଡ଼ୁଣ ଥିଲେ ପରା ନୃପତି ଅରି ।

 

(୧) ପରଲୋକଗତ ବ୍ରଜମୋହନ ପଟ୍ଟନାୟକଙ୍କ ବହୁ ଯତ୍ନ ଓ ଅର୍ଥଦ୍ୱାରା ଏହି ବନ୍ଧ ଓ ପାବଚ୍ଛ ନିର୍ମିତ ହୋଇଥିଲା ।

(୨) ମହାନଦୀତୀରସ୍ଥ ସମ୍ବଲପୁର ରାଜାଙ୍କର ପୁରାତନ ସୁଦୃଢ଼ ସୁଦୃଶ୍ୟ ଦୁର୍ଗ ଅଧୁନା ସୋନପୁର ମହାରାଜା ଅଧିକୃତ ।

ଏହା ସମ୍ବଲପୁରର ଗୋଟିଏ ଦର୍ଶନୀୟ ସ୍ଥାନ ।

 

ବେଢ଼ା ଭିତରେ ବଡ଼ ବଡ଼ ବିଟପୀ

ଉଭା ଯୁଗ ଯୁଗାନ୍ତ ଗଗନ ଟପି ।

ଏ ବୃକ୍ଷେ ବସି ଅତିଦୂର ଅତୀତେ

ତୋଷୁଥିଲେ ବିହଙ୍ଗେ ମଧୁରଗୀତେ

ଅନ୍ତପୁରସ୍ଥା ନୃପଯୋଷାମାନଙ୍କୁ,

କାନ୍ତ ବାରତା ଆଣି ଦେଇଣ ତାଙ୍କୁ ।

ରାଜମହିଷୀ ରାଜଜେମା ସକଳେ

ମାର୍ଜନା କରୁଥିଲେ ଯେ କୂପଜଳେ,

ଅଦ୍ୟାପି ରାଜେ ତାହା ଦୁର୍ଗ ଭିତରେ,

ଶିଳାସୋପାନ ଶୋଭେ ଚଉପାଶରେ ।

ଦୁର୍ଗ ଚୌଦିଗେ ଥିଲା ଦୁର୍ଗ ପରିଖା,

ଅତଳଜଳ ସର ଅଦ୍ୟାପି ଦେଖା ।

 

କିମ୍ବଦନ୍ତୀ କହଇ ଏ ସର ଖାଇ

ରୂପେ ବିରାଜୁଥିଲା ଚୌଦିଗେ ଥାଇ ।

କାଳ−କାମୋଡ଼େ ଖଣ୍ଡ ଖଣ୍ଡ ପରିଖା

‘ନଶ୍ୱର ଏ ସଂସାର’ ଦିଏ ଏ ଦୀକ୍ଷା ।

ଗଡ଼ ନିକଟେ କେତେ ‘ଗୁଡ଼ି’ ସୁନ୍ଦର (୩)

ପୂର୍ବ ଗୌରବ ମୂକସାକ୍ଷୀ ତୋହର ।

ଦୁର୍ଗସୀମାନ୍ତେ ଘନ ବଂଶ ନିକୁଞ୍ଜ,

ମହୀଗରଭେ ଗୁପ୍ତ ଗୃହର ପୁଞ୍ଜ,

ପ୍ରାଚୀନ ଭଗ୍ନଦୁର୍ଗ ସଙ୍କେତମାନ,

କରନ୍ତି ପୂର୍ବକୀର୍ତ୍ତି ସଙ୍ଗୀତ ଗାନ ।

ଉତ୍ତରେ ‘ବୁଢ଼ା ରାଜା’ ପ୍ରହରୀ ପରି

ଜଗି ରହିଛି ଶୋଭାଧନ ତୋହରି ।

ପର୍ବତ ପଦପ୍ରାନ୍ତେ ବିଟପୀ ବଲ୍ଲୀ

ଶ୍ୟାମସମ୍ଭାର ଘେନି ହସଇ ପଲ୍ଲୀ !

 

(୩) ସମ୍ବଲପୁରରେ ଅସଂଖ୍ୟ ଉଚ୍ଚ ମନ୍ଦିର ଅଛି । ଗୁଡ଼ିମନ୍ଦିର । ଏହା ସମ୍ବଲପୁରୀ ଭାଷାର ଗୋଟିଏ ନିଦର୍ଶନ ।

 

ଶସ୍ୟଶ୍ୟାମଳ କ୍ଷେତ୍ର ନେତ୍ରମୋହନ,

ରସାଳଡାଳେ ଢାଳେ ବିହଙ୍ଗସ୍ୱନ ।

ନେତ୍ରଶ୍ରବଣେମୋହୀ ଏ ଶୋଭାରାଜି

ଘେନି ତୋ ଅପଘନ ଅଛୁ ତୁ ସାଜି ।

ଶତଶତମନ୍ଦିରପୂତ ନଗରୀ

ପୁରାଣକୀର୍ତ୍ତିରତ୍ନହାରା ସୁନ୍ଦରୀ ।

ଶସ୍ୟଶ୍ୟାମଳା ଶ୍ୟାମଗିରିକୁନ୍ତଳା

ଦେଶବିଦେଶ−ଅନ୍ନପୂର୍ଣ୍ଣା କମଳା । (୪)

ଏ ଶୋଭା ଲୋଭେ ଅବା ଭକ୍ତବତ୍ସଳ

ମଣ୍ଡିବେ ଭବିଷ୍ୟତେ ତୋ ଅଙ୍କସ୍ଥଳ । (୫)

ଶୈଳବନ୍ଧୁର ରମ୍ୟ ବନ୍ୟ ନଗର

ଉଜ୍ଜ୍ୱଳ ଭବିଷ୍ୟତ ଅଛି ତୋହର ।

 

ବୈକୁଣ୍ଠ, ନୀଳକଣ୍ଠ, ବ୍ରଜମୋହନ

କରିଗଲେ ତୋହର ଅଙ୍କ ମଣ୍ଡନ ।

ଆସନ୍ତୁ ତାଙ୍କ ପରି ପରୋପକାରୀ

ଦେଶପ୍ରେମିକ ଜନଯାତନାହାରୀ ।

ଏତେ ମାଗୁଣୀ ତବ ଚରଣେ ମୋର

କର ଶିଳାସୁଦୃଢ଼ ସନ୍ତାନେ ତୋର ।

ଦୃଢ଼ ପରାଣେ ସାଧି କର୍ତ୍ତବ୍ୟମାନ

ରଖନ୍ତୁ ତୋ ସନ୍ତାନେ ତୋର ସମ୍ମାନ ।

ଯେ ତୋତେ ଅନୁନ୍ନତ କହିବ କହୁ,

ତୋ ଚାରୁ ଦୃଶ୍ୟ ସ୍ମୃତିପଥେ ମୋ ରହୁ ।

 

୪) ‘ସମ୍ବଲପୁରୀ ଚାଉଳ’ ନାନାସ୍ଥାନକୁ ରପ୍ତାନୀ ହୁଏ । କଟକ ଅଞ୍ଚଳରେ ଏହି ଚାଉଳ ବହୁକାଳରୁ ପ୍ରସିଦ୍ଧ ।

(୫) କଳ୍କୀ ଅବତାର ସମ୍ବଲପୁରରେ ହେବାର ପୌରାଣିକ ଉକ୍ତି ପ୍ରକୃତିବାଦ ଅଭିଧାନରେ ଅନୁସନ୍ଧେୟ ।